ଭୁବନେଶ୍ୱର: କଟକ ଡେଭେଲପମେଣ୍ଟ ଅଥରିଟି(ସିଡିଏ)ର ଅଧ୍ୟକ୍ଷ ଅନୀଲ ସାମଲଙ୍କ ନିଯୁକ୍ତିକୁ ଆଉ ବର୍ଷେ ବଢ଼ାଇ ଦିଆଯାଇଛି । ୨୦୨୩ ସେପ୍ଟେମ୍ବର ୩୦ ପର୍ଯ୍ୟନ୍ତ ସେ ଏହି ପଦବୀରେ କାମ କରିବେ । ତାଙ୍କୁ ଯୋଗାଇ ଦିଆଯାଇଥିବା ସବୁ ସରକାରୀ ସୁବିଧା ସୁଯୋଗ ବଳବତ୍ତର ରହିବ । ନଗର ଉନ୍ନୟନ ବିଭାଗ ପକ୍ଷରୁ ଏହି ବିଜ୍ଞପ୍ତି ପ୍ରକାଶ ପାଇଛି ।
କଟକରେ ବିଶ୍ୱସ୍ତରୀୟ ଏସସିବି ନିର୍ମାଣ, ସଂପ୍ରସାରଣ ଯୋଜନା, ତାଳଦଣ୍ଡା କେନାଲ ରାସ୍ତା ସଂପ୍ରସାରଣ, ନେତାଜୀ ସୁଭାଷ ବୋଷ ଟର୍ମିନାଲ୍, ଚଣ୍ଡୀମନ୍ଦିର ପ୍ରକଳ୍ପ ଭଳି ଚାଲିଥିବା ବିଭିନ୍ନ ଉନ୍ନୟନ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ଦିଗରେ ତାଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହୁଥିବାରୁ ତାଙ୍କ କାର୍ଯ୍ୟକାଳ ଅବଧି ବୃଦ୍ଧି କରାଯାଇଥିବା ଜଣାପଡ଼ିଛି ।
ଗତବର୍ଷ ସେପ୍ଟେମ୍ବର ୩୦ ରେ ଆଇଏଏସ୍ ଅଫିସର ଶ୍ରୀ ସାମଲ ଚାକିରିରୁ ଅବସର ନେବା ଦିନ ରାଜ୍ୟ ସରକାର ତାଙ୍କୁ ତତକ୍ଷଣାତ୍ ସିଡିଏର ଅଧ୍ୟକ୍ଷ ଭାବେ ନିଯୁକ୍ତି(ଏନଗେଜ୍) କରିଥିଲେ । ବର୍ଷକ ପାଇଁ ତାଙ୍କୁ ଏହି ନିଯୁକ୍ତି ଦିଆଯାଇଥିଲା । କଟକ ମ୍ୟୁନିସିପାଲିଟି କର୍ପୋରେସନ୍ ନୂଆ କାଉନସିଲ୍ ଗଠନ ହେବା ପର୍ଯ୍ୟନ୍ତ ପ୍ରଶାସକ ଦାୟିତ୍ୱ ମଧ୍ୟ ଧରାଯାଇଥିଲା । ତାଙ୍କର ଦରମା ଓ ଆନୁସଙ୍ଗିକ ଖର୍ଚ୍ଚ ସିଡିଏ ବହନ କରିବ ବୋଲି ନଗର ଉନ୍ନୟନ ବିଭାଗର ବିଜ୍ଞପ୍ତିରେ କୁହାଯାଇଥିଲା ।
ସୂଚନାଥାଉକି, ଅନୁଗୁଳ ଜିଲ୍ଲାପାଳ ଭାବେ କାର୍ଯ୍ୟ କରୁଥିବା ବେଳେ ଶ୍ରୀ ସାମଲଙ୍କୁ ୨୦୧୯ ଫେବ୍ରୁଆରୀରେ ରାଜ୍ୟ ସରକାର କେନ୍ଦ୍ରାଞ୍ଚଳ ରାଜସ୍ୱ କମିସନର ଭାବେ କଟକ ବଦଳି କରିଥିଲେ । ସିଏମସିର ପ୍ରଶାସକ ଦାୟିତ୍ୱ ମଧ୍ୟ ଦିଆଯାଇଥିଲା ।