ଭୁବନେଶ୍ୱର: ସିଆରପି ଅଞ୍ଚଳରେ ଥିବା ଏକ ନାମୀ କୋଚିଂ ଅନୁଷ୍ଠାନ ଉପରେ କେନ୍ଦ୍ରୀୟ ଜିଏସଟି ପକ୍ଷରୁ ଚଢ଼ଉ ହୋଇଛି । ଆଜି ସକାଳ ୯ଟାରୁ ଚଢ଼ଉ ଆରମ୍ଭ ହୋଇ ବିଳମ୍ବିତ ରାତି ସୁଦ୍ଧା ଜାରି ରହିଛି । ଏହି ଚଢ଼ଉ ପଛରେ ପ୍ରତିଶୋଧ ରାଜନୀତି ଥିବା ଚର୍ଚ୍ଚା ହେଉଛି ।
କେନ୍ଦ୍ରୀୟ ସଂସ୍ଥାର ୨୫ ଜଣିଆ ଟିମ୍ ଆଜି ସକାଳେ ଅଚାନକ ଉକ୍ତ କୋଚିଂ ସେଣ୍ଟରରେ ପଶିଥିଲେ । ଅଫିସ୍ କର୍ମଚାରୀ ଆସିବା ପୂର୍ବରୁ ସେମାନେ ଆକାଉଣ୍ଟସ୍ ରୁମ୍ ଭାଙ୍ଗି ଭିତରକୁ ପଶିଥିଲେ । କର୍ମଚାରୀମାନେ ଆସିବା ପରେ ସମସ୍ତ ମୋବାଇଲ୍ ଛଡ଼ାଇ ନେଇ ଏକପ୍ରକାର ନଜରବନ୍ଦୀରେ ରଖିଥିଲେ । ସଂଧ୍ୟା ୭ଟା ବେଳେ କର୍ମଚାରୀମାନଙ୍କୁ ଘରକୁ ଛାଡ଼ିଥିଲେ ମଧ୍ୟ ରିପୋର୍ଟ ଲେଖା ହେଲା ବେଳକୁ ଚଢ଼ଉ ଜାରି ରହିଥିବା ବିଶ୍ୱସ୍ତ ସୂତ୍ରରୁ ଜଣାପଡ଼ିଛି ।