ନୂଆଦିଲ୍ଲୀ/ଭୁବନେଶ୍ୱର: ଝାରସୁଗୁଡ଼ା ବିଧାନସଭା ଆସନ ପାଇଁ ଉପନିର୍ବାଚନ ତାରିଖ ଘୋଷଣା ହୋଇଛି । ମେ’ ୧୦(ବୁଧବାର) ସେଠାରେ ଉପନିର୍ବାଚନ ଅନୁଷ୍ଠିତ ହେବ । ମେ’ ୧୩ ତାରିଖ( ଶନିବାର) ଭୋଟଗଣତି ହୋଇ ଫଳ ଘୋଷଣା ହେବ । ମୁଖ୍ୟ ନିର୍ବାଚନ କମିସନର ରାଜୀବ କୁମାର କର୍ଣ୍ଣାଟକ ବିଧାନସଭା ନିର୍ବାଚନ ତାରିଖ ସହ ଝାରସୁଗୁଡ଼ା ଉପନିର୍ବାଚନ ତାରିଖ ଏବଂ କାର୍ଯ୍ୟସୂଚୀ ଘୋଷଣା କରିଛନ୍ତି ।
ଝାରସୁଗୁଡ଼ା ଉପନିର୍ବାଚନ ପାଇଁ ଏପ୍ରିଲ୍ ୧୩ ରେ ବିଜ୍ଞପ୍ତି ପ୍ରକାଶ ପାଇବ । ଏପ୍ରିଲ୍ ୨୦ ତାରିଖ ନାମାଙ୍କନପତ୍ର ଦାଖଲର ଶେଷ ଦିନ ରହିଛି । ୨୧ ତାରିଖରେ ନାମାଙ୍କନପତ୍ର ଯାଞ୍ଚ ଏବଂ ୨୪ ତାରିଖରେ ନାମାଙ୍କନପତ୍ର ପ୍ରତ୍ୟାହାରର ଶେଷ ଦିନ ରଖାଯାଇଛି । ମେ’ ୧୦ ରେ ଭୋଟ ଗ୍ରହଣ ହୋଇ ୧୩ ତାରିଖରେ ଫଳ ଘୋଷଣା ହେବ ।
ନବ ଦାସଙ୍କ ମୃତ୍ୟୁ ପରେ ଝାରସୁଗୁଡ଼ା ବିଧାନସଭା ଆସନ ଖାଲି ପଡ଼ିଛି । ଜାନୁଆରୀ ୨୯ ତାରିଖରେ ଶ୍ରୀ ଦାସଙ୍କର ମୃତ୍ୟୁ ହୋଇଥିଲା । ପୁଲିସ ଏଏସଆଇ ଗୋପାଳ ଦାସ ତାଙ୍କୁ ଗୁଳି କରି ହତ୍ୟା କରିଥିଲେ ।
କର୍ଣ୍ଣାଟକ ଭୋଟ: ୨୨୪ ଆସନ ବିଶିଷ୍ଟ କର୍ଣ୍ଣାଟକ ବିଧାନସଭା ପାଇଁ ମେ’ ୧୦ ରେ ନିର୍ବାଚନ ଅନୁଷ୍ଠିତ ହେବ । ମେ’ ୧୩ ତାରିଖରେ ଫଳ ଘୋଷଣା ହେବ ।
କାର୍ଯ୍ୟସୂଚୀ ଅନୁଯାୟୀ, ଏପ୍ରିଲ୍ ୧୩ ରେ ବିଜ୍ଞପ୍ତି ପ୍ରକାଶ ପାଇବ । ଏପ୍ରିଲ୍ ୨୦ ତାରିଖ ନାମାଙ୍କନପତ୍ର ଦାଖଲର ଶେଷ ଦିନ ରହିଛି । ୨୧ ତାରିଖରେ ନାମାଙ୍କନପତ୍ର ଯାଞ୍ଚ ଏବଂ ୨୪ ତାରିଖରେ ନାମାଙ୍କନପତ୍ର ପ୍ରତ୍ୟାହାରର ଶେଷ ଦିନ ରଖାଯାଇଛି ।
୨୨୪ ବିଧାନସଭା ଆସନ ପାଇଁ ୫ କୋଟି ୨୧ ଲକ୍ଷ ଭୋଟର ସେମାନଙ୍କ ମତଦାନ ସାବ୍ୟସ୍ତ କରିବେ ।
ସୂଚନାଯୋଗ୍ୟ, ୨୦୧୮ ନିର୍ବାଚନରେ ବିଜେପିକୁ ୧୦୪ ଆସନ ମିଳିଥିଲା ବେଳେ କଂଗ୍ରେସକୁ ୮୦ ଏବଂ ଜେଡିଏସ୍ କୁ ମିଳିଥିଲା ୩୭ ଆସନ । ସେଠାରେ ବିଜେପି ଏବେ କ୍ଷମତାରେ ଅଛି ।