ଭୁବନେଶ୍ୱର: ବିଜେଡି ନେତାଙ୍କ ମୁହଁରୁ ‘ଜୟ ଜଗନ୍ନାଥ’ ସ୍ଲୋଗାନ୍ ଆଜି ସୋସିଆଲ୍ ମିଡିଆରେ ଟ୍ରେଣ୍ଡ କରୁଛି । ଅଚାନକ ଏଭଳି ସ୍ଲୋଗାନ୍ ଆସିବା ପଛର ରହସ୍ୟକୁ ନେଇ ଜୋରଦାର ଆଲୋଚନା ହେଉଛି । ବିରୋଧୀ ଶିବିରରେ ମଧ୍ୟ ଏହାର ଉଷ୍ଣତା ଦେଖିବାକୁ ମିଳିଛି ।
କିଛି ଦିନ ପୂର୍ବେ ସୋସିଆଲ୍ ମିଡିଆରେ ଜମିଥିଲା ବିଜେଡି ନେତାଙ୍କ ‘ଶଙ୍ଖ ମୋର ଗର୍ବ’ ସ୍ଲୋଗାନ୍ । ଏହାକୁ ନେଇ ବହୁତ ଆଲୋଚନା ହେଲା । ଆଜି ବିଜେଡି ପକ୍ଷରୁ ଦ୍ୱିତୀୟ ସ୍ଲୋଗାନ୍ ଭାବେ ବଜାରକୁ ଆସିଛି ‘ଜୟ ଜଗନ୍ନାଥ’ । ଦଳର ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ‘ଜୟ ଜଗନ୍ନାଥ’ କହୁଥିବାର ଏକ ଭିଡିଓ ପ୍ରଥମେ ସୋସିଆଲ୍ ମିଡିଆରେ ଆସିଲା । ଏହା ପରଠୁ ସବୁ ନେତା ଏହି ଧାରାରେ ଯୋଡି ହୋଇଥିବା ଦେଖିବାକୁ ମିଳୁଛି । ଦଳୀୟ ନେତାମାନେ ଜୟ ଜଗନ୍ନାଥ ଭିଡିଓ କରି କରି ସୋସିଆଲ୍ ମିଡିଆରେ ସେୟାର୍ କରୁଛନ୍ତି । ‘ଜୟ ଜଗନ୍ନାଥ’ ସ୍ଲୋଗାନ୍ ରେ ସୋସିଆଲ୍ ମିଡ଼ିଆ ଛାଇ ହୋଇଗଲାଣି ।
ବିଜେଡିର ଏହା ନୂଆ ରଣନୀତି ବୋଲି ବିରୋଧୀ ଶିବିରରେ ଜୋରଦାର ଆଲୋଚନା ଚାଲିଛି । ଅମିତ ଶାହା- ସୁନୀଲ ବଂଶଲଙ୍କ ଓଡ଼ିଶା ଯୋଜନାକୁ ବିଫଳ କରିବା ପାଇଁ ଏହା ବିଜେଡିର ଚାଲ୍ ବୋଲି କୁହାଯାଉଛି । ଆଗକୁ ଶ୍ରୀ ଜଗନ୍ନାଥ ପରିକ୍ରମା ପ୍ରକଳ୍ପର ଶୁଭାରମ୍ଭ ଥିବାରୁ ଏହା ବିଜେପି ପାଇଁ ସମ୍ବେଦନଶୀଳ ପ୍ରସଙ୍ଗ ହୋଇଛି । ତେବେ ଦଳ ଉପରେ ଏହା ବିଶେଷ ଫରକ ପକାଇବନି ବୋଲି ଜଣେ ବରିଷ୍ଠ ନେତା କହିଛନ୍ତି ।
କଂଗ୍ରେସ ନେତା ବିଜୟ ପଟ୍ଟନାୟକ ବିଜେଡିର ‘ଜୟ ଜଗନ୍ନାଥ’ ନାରାକୁ ନେଇ ପ୍ରଶ୍ନ ଉଠାଇଛନ୍ତି । ସେ କହିଛନ୍ତି, ଠାକୁରଙ୍କ ବନ୍ଦନାରେ ଅସୁବିଧା ନାହିଁ, କିନ୍ତୁ ଧର୍ମକୁ ନେଇ ରାଜନୀତି ଅନାବଶ୍ୟକ । ବିଜେପି ମାଇଲେଜ ନେଇଯିବା ଡରରେ ବିଜେଡି ଜୟ ଜଗନ୍ନାଥକୁ ଅସ୍ତ୍ର କରିଛି । ତେବେ କଂଗ୍ରେସ ଏସବୁ ଉଦ୍ଧ୍ୱର୍ରେ । କଂଗ୍ରେସ ସବୁ ଧର୍ମକୁ ସମ୍ମାନ ଦିଏ ବୋଲି ସେ କହିଛନ୍ତି ।
ଅନ୍ୟପକ୍ଷରେ ବିଜେଡି ଶିବିରର ଯୁକ୍ତି ହେଉଛି, ମହାପ୍ରଭୁ ଜଗନ୍ନାଥ ହେଉଛି ଆମର ଆରାଧ୍ୟ ଦେବତା । ମହାପ୍ରଭୁଙ୍କୁ ନେଇ ଆମେ ରାଜନୀତି କରୁନୁ । ‘ଜୟ ଜଗନ୍ନାଥ’ କହିଲେ ବିରୋଧୀ ଦଳ ଛାନିଆଁ କାହିଁକି ହେଉଛନ୍ତି ବୋଲି ଓଲଟି ପ୍ରଶ୍ନ କରିଛନ୍ତି ।