ଭୁବନେଶ୍ୱର: ଭଦ୍ରକ ଜିଲ୍ଲା ଚାନ୍ଦବାଲିରେ ୧୦ ବର୍ଷର କୁନିଝିଅକୁ ଦୁଷ୍କର୍ମ ପରେ ହତ୍ୟା ଭଳି ଅତ୍ୟନ୍ତ ଜଘନ୍ୟ, ଲୋମଟାଙ୍କୁରା ଓ ସମ୍ବେଦନଶୀଳ ଘଟଣା ଉପରେ ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ା ପ୍ରତିକ୍ରିୟା ଦେଇଛନ୍ତି । ସେ କହିଛନ୍ତି, ଏଭଳି ଘଟଣାକୁ ରୋକିବା କେବଳ ସରକାରଙ୍କର ଦାୟିତ୍ୱ ନୁହେଁ । ସମାଜର ମଧ୍ୟ ଏଥିରେ ଦାୟିତ୍ୱ ଅଛି । ପୁଲିସ ଓ ଆଇନ ତା’ ବାଟରେ ଯାଉଛି । ଯିଏ ଦୋଷୀ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ । ମହିଳା କମିଶନ ଓ ପୁଲିସ ତାଙ୍କ ଦାୟିତ୍ୱରେ ଯଦି ଅବହେଳା କରନ୍ତେ ପ୍ରଶ୍ନ ଉଠନ୍ତା । ଏହି ଦୃଷ୍ଟିରୁ ସରକାରଙ୍କ ଦାୟିତ୍ୱବୋଧ ନେଇ କାହା ମନରେ କିଛି ପ୍ରଶ୍ନ ନ ଆସିବା କଥା ।
ଗୋଟେ ପଟେ ରାଜ୍ୟରେ ରେପ୍ ଆଣ୍ଡ ମର୍ଡର ନିତିଦିନିଆ ଘଟଣା ପାଲଟିଥିବା ବେଳେ ସରକାର ନିଜ ଦାୟିତ୍ୱ ଠିକ୍ ଭାବେ ତୁଲାଉଛନ୍ତି ବୋଲି ଉପମୁଖ୍ୟମନ୍ତ୍ରୀ ଦାବି କରିବା ଓଡ଼ିଶାବାସୀଙ୍କ ପ୍ରତି ଉପହାସ ଭଳି ହୋଇଛି । ସେହିଭଳି ସମାଜର ଦାୟିତ୍ୱ କଥା ଉଠାଇ ଉପମୁଖ୍ୟମନ୍ତ୍ରୀ ରାଜ୍ୟବାସୀଙ୍କୁ ନିଜ କଥା ନିଜେ ସମ୍ଭାଳ ବୋଲି କହିବାକୁ ଚାହିଁଛନ୍ତି । ଉପମୁଖ୍ୟମନ୍ତ୍ରୀଙ୍କ ମନ୍ତବ୍ୟରୁ ଏହା ହିଁ ପ୍ରତୀୟମାନ ହେଉଛି । ଯାହା କି ଅତ୍ୟନ୍ତ ଲଜ୍ଜାଜନ ।
କିଛି ଦିନ ତଳେ ଧଉଳିଠାରେ ନାବାଳିକା ଗଣଦୁଷ୍କର୍ମ ଘଟଣାରେ ମହିଳା କମିସନ ସଦସ୍ୟା ଉର୍ମିଳା ମହାପାତ୍ର ବିବାଦୀୟ ମନ୍ତବ୍ୟ ଦେଇଥିଲେ । ଘଟଣାସ୍ଥଳକୁ ସରଜମିନ୍ ତଦନ୍ତ ପାଇଁ ଯାଇଥିବା ବେଳେ ସେ ଏଭଳି ନିଛାଟିଆ ଜାଗାକୁ ସଂଧ୍ୟାରେ ଝିଅମାନେ ଆସିବା ଉଚିତ୍ ନୁହେଁ ବୋଲି ମନ୍ତବ୍ୟ ଦେଇଥିଲେ ।
ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡ଼ା ଏବଂ ତାଙ୍କ ସରକାରଙ୍କ ଦ୍ୱାରା ନିଯୁକ୍ତ ମହିଳା କମିସନ ସଦସ୍ୟା ଶ୍ରୀମତୀ ମହାପାତ୍ରଙ୍କ ଉକ୍ତିରୁ ମହିଳା ବିରୋଧୀ ଅପରାଧ ଏବଂ ନାବାଳିକା ଦୁଷ୍କର୍ମ ଘଟଣା ରୋକିବାରେ ସରକାରଙ୍କ ଅସହାୟତା ବାରି ହୋଇଯାଉଛି । ଜଣେ ମହିଳା ଉପମୁଖ୍ୟମନ୍ତ୍ରୀ ଏବଂ ଜଣେ ମହିଳା କମିଶନ ସଦସ୍ୟାଙ୍କଠାରୁ ଏଭଳି ମନ୍ତବ୍ୟ ଆଶା କରାଯାଇପାରେନା ।
ଚାନ୍ଦବାଲି ନାବାଳିକା ଦୁଷ୍କର୍ମ ଓ ହତ୍ୟା ଘଟଣା ଏକ ସମ୍ବେଦନଶୀଳ ଘଟଣା । ପୁଲିସର କାର୍ଯ୍ୟାନୁଷ୍ଠାନ ସମ୍ପର୍କରେ ସୂଚନା ଦେବା ପାଇଁ ଜିଲ୍ଲାର ଏସପି ଅଛନ୍ତି । ରେଞ୍ଜ ଡିଆଇଜି ଅଛନ୍ତି । ଗୃହ ବିଭାଗ ଦାୟିତ୍ୱରେ ଥିବା ଖୋଦ୍ ମୁଖ୍ୟମନ୍ତ୍ରୀ ଅଛନ୍ତି । ଜିଲ୍ଲାରୁ ମନ୍ତ୍ରିମଣ୍ଡଳରେ ପ୍ରତିନିଧିତ୍ୱ କରୁଥିବା ସୂରଜ ସୂର୍ଯ୍ୟବଂଶୀ ଅଛନ୍ତି । ଯେଉଁଠି ଘଟଣା ଘଟିଛି ସେଠୁ ଲଢୁଥିଲେ ଦଳ ମୁଖିଆ ମନମୋହନ ସାମଲ । ସେ କହିବା କଥା । ମାତ୍ର ଏହି ସମ୍ବେଦନଶୀଳ ଘଟଣାରେ ସରକାରଙ୍କ ପକ୍ଷରୁ ପ୍ରତିକ୍ରିୟା ଦେବା ପାଇଁ ଉପମୁଖ୍ୟମନ୍ତ୍ରୀ କିଏ ? ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଭାବେ ଯଦି କହୁଥାନ୍ତି ତେବେ ଚାନ୍ଦବାଲି ଘଟଣାର ଉତ୍ତରଦାୟିତ୍ୱ ନେବେ ତ?
ଏଠାରେ ମନେ ପକାଇ ଦେବାକୁ ଚାହୁଁ ଯେ କିଛି ମାସ ତଳେ ବଳଙ୍ଗା ଛାତ୍ରୀ ମୃତ୍ୟୁ ଘଟଣା ସାରା ରାଜ୍ୟରେ ଆଲୋଡ଼ନ ସୃଷ୍ଟି କରିଥିଲା । ବାଲେଶ୍ୱର ଫକୀର ମୋହନ ବିଶ୍ୱବିଦ୍ୟାଳୟ ଛାତ୍ରୀ ଆତ୍ମାହୁତି ଘଟଣାର ନିଆଁ ନ ଲିଭୁଣୁ ବଳଙ୍ଗାରେ ଛାତ୍ରୀ ଆତ୍ମାହୁତି ଅଭିଯୋଗ ରାଜ୍ୟରେ ଆଲୋଡ଼ନ ସୃଷ୍ଟି କରିଥିଲା । ସ୍ଥାନୀୟ ବିଧାୟିକା ଭାବେ ପ୍ରଭାତୀ ପରିଡ଼ାଙ୍କ ଆଚରଣ ଜନଅସନ୍ତୋଷ ସୃଷ୍ଟି କରିଥିଲା । ତାଙ୍କର ସମ୍ବେଦନହୀନତାକୁ ଅଞ୍ଚଳବାସୀ ପ୍ରଶ୍ନ କରିଥିଲେ । ରାଜ୍ୟରେ ବଳଙ୍ଗା ନିଆଁ ଜଳୁଥିବା ବେଳେ ବିଧାୟିକା ତଥା ଉପମୁଖ୍ୟମନ୍ତ୍ରୀ ଦିଲ୍ଲୀର ଏକ ତାରକା ହୋଟେଲରେ ଆୟୋଜିତ ଡିନର୍ ପାର୍ଟିରେ ବସି ମଉଜ କରିବା ସୋସିଆଲ୍ ମିଡିଆରେ ଭାଇରାଲ୍ ହେବାରୁ ପ୍ରବଳ ସମାଲୋଚନାର ଶିକାର ହୋଇଥିଲେ ।
ଚାନ୍ଦବାଲି ଘଟଣାକୁ ନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବହୁ ବିଳମ୍ବରେ ଟୁଇଟ୍ ଜରିଆରେ ପ୍ରତିକ୍ରିୟା ଦେଇଛନ୍ତି । ଏହି ଘଟଣାରେ ସେ ଗଭୀର ଦୁଃଖପ୍ରକାଶ କରିବା ସହ ଦିବଙ୍ଗତ ଆତ୍ମାର ସଦଗତି ପାଇଁ ପ୍ରାର୍ଥନା କରିଛନ୍ତି । ସମ୍ପୃକ୍ତ ଘଟଣାରେ ଉପଯୁକ୍ତ ତଦନ୍ତ କରି ଦୋଷୀଙ୍କୁ ଆଇନ ଅନୁଯାୟୀ କଠୋରରୁ ଅତି କଠୋର ଦଣ୍ଡ ବିଧାନ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ପୀଡ଼ିତାଙ୍କ ପରିବାରର ନିକଟତମ ଆତ୍ମୀୟଙ୍କ ପାଇଁ ମୁଖ୍ୟମନ୍ତ୍ରୀ ରିଲିଫ୍ ପାଣ୍ଠିରୁ ୧୦ ଲକ୍ଷ ଟଙ୍କାର ସହାୟତା ପ୍ରଦାନ କରାଯିବ ବୋଲି ଘୋଷଣା କରିଛନ୍ତି ।
ଅନ୍ୟପକ୍ଷରେ ଚାନ୍ଦବାଲି ଘଟଣା ପରିପ୍ରେକ୍ଷୀରେ ରାଜ୍ୟ ସରକାରଙ୍କ ଅପାରଗତା ବିରୋଧରେ ଛାତ୍ର ଓ ଯୁବ ବିଜେଡି ପକ୍ଷରୁ ଆଜି ରାଜଧାନୀରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଘେରାଉ ପାଇଁ ଉଦ୍ୟମ ହୋଇଥିଲା । କଂଗ୍ରେସ ପକ୍ଷରୁ ମଧ୍ୟ ଆନେ୍ଦାଳନ ଦେଖିବାକୁ ମିଳିଛି । ଆସନ୍ତାକାଲି ଉଭୟ ଦଳ ପକ୍ଷରୁ ଚାନ୍ଦବାଲି ବନ୍ଦ ଡାକରା ଦିଆଯାଇଛି ।