ନୂଆଦିଲ୍ଲୀ: ବରିଷ୍ଠ ସାମ୍ବାଦିକ ତଥା ପୂର୍ବତନ ରାଜ୍ୟସଭା ସାଂସଦ ଚନ୍ଦନ ମିତ୍ରଙ୍କର ପରଲୋକ ହୋଇଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ୬୫ ବର୍ଷ ହୋଇଥିଲା । କିଛି ଦିନ ଧରି ସେ ଅସୁସ୍ଥ ଥିଲେ । ଗତକାଲି ରାତିରେ ତାଙ୍କର ମୃତ୍ୟୁ ହୋଇଥିବା ପୁଅ କୁଶନ ମିତ୍ର ଆଜି ସକାଳେ ଟ୍ୱିଟ୍ କରି ଜଣାଇଥିଲେ । ଚନ୍ଦନ ମିତ୍ରଙ୍କ ବିୟୋଗ ଖବର ବିଭିନ୍ନ ମହଲରେ ଶୋକର ଛାୟା ଖେଳାଇ ଦେଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ମୃତ୍ୟୁରେ ଗଭୀର ଶୋକ ପ୍ରକାଶ କରିଛନ୍ତି ।
ଦ ପାୟୋନିୟର୍ ର ପୂର୍ବତନ ସମ୍ପାଦକ ଚନ୍ଦନ ମିତ୍ର ସାମ୍ବାଦିକତାରୁ ରାଜନୀତିକୁ ଆସିଥିଲେ । ଲାଲକୃଷ୍ଣ ଆଡଭାନୀଙ୍କର ସେ ଥିଲେ ଅତ୍ୟନ୍ତ ବିଶ୍ୱସ୍ତ । ସେହି ଦୃଷ୍ଟିରୁ ଅଟଳ ବିହାରୀ ବାଜପେୟୀଙ୍କ ସରକାର ବେଳେ ତାଙ୍କର ଯଥେଷ୍ଟ ପତିଆରା ଥିଲା । ୨୦୦୩ରେ ତାଙ୍କୁ ରାଜ୍ୟସଭାକୁ ମନୋନୀତ କରାଯାଇଥିଲା । ୨୦୦୯ ଯାଏଁ ସେ ସାଂସଦ ଭାବେ କାର୍ଯ୍ୟ କରିଥିଲେ । ଦ୍ୱିତୀୟ ଥର ପାଇଁ ୨୦୧୦ ରେ ବିଜେପି ତାଙ୍କୁ ମଧ୍ୟପ୍ରଦେଶରରୁ ରାଜ୍ୟସଭାକୁ ପଠାଇଥିଲା । ୨୦୧୬ ପର୍ଯ୍ୟନ୍ତ ସେ ରାଜ୍ୟସଭା ସଦସ୍ୟ ଥିଲେ । ତେବେ ମୋଦି-ଶାହା ଶାସନରେ ଶ୍ରୀ ମିତ୍ରଙ୍କୁ ଦୂରେଇ ଦିଆଯାଇଥିଲା । ଦଳରେ ନିଜର ଅସ୍ଥିତ୍ୱ ହରାଇବା ଯୋଗୁଁ ୨୦୧୮ ରେ ସେ ବିଜେପି ଛାଡ଼ି ଟିଏମସିରେ ଯୋଗ ଦେଇଥିଲେ ।
୨୦୦୯ ରେ ଓଡ଼ିଶାରେ ବିଜେଡ଼ି-ବିଜେପି ମେଣ୍ଟ ଶାସନ ଭାଙ୍ଗିବା ପୂର୍ବରୁ ବିଜେପି ପକ୍ଷରୁ ମଧ୍ୟସ୍ଥି ଭାବେ ଚନ୍ଦନ ମିତ୍ର ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଅବତୀର୍ଣ୍ଣ ହୋଇଥିଲେ । ନବୀନ ନିବାସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ମେଣ୍ଟ ଅତୁଟ ରହିବା ନେଇ ଚୂଡ଼ାନ୍ତ କଥାବାର୍ତ୍ତା କରିବାକୁ ଆସିଥିଲେ । ମାତ୍ର ଏହା ଫେଲ୍ ହୋଇଥିଲା । ନବୀନ ନିବାସରୁ ବାହାରି ଶ୍ରୀ ମିତ୍ର ମେଣ୍ଟ ଭାଙ୍ଗିବା ସମ୍ପର୍କରେ ଘୋଷଣା କରିଥିଲେ ।