ମୁମ୍ବାଇ: ମାତ୍ର ୪୦ ବର୍ଷ ବୟସରେ ହୃଦଘାତ୍ ରେ ମୃତ୍ୟୁବରଣ କରିଛନ୍ତି ଟେଲିଭିଜନ ଓ ଫିଲ୍ମ ଜଗତର ଲୋକପ୍ରିୟ ଅଭିନେତା ସିଦ୍ଧାର୍ଥ ଶୁକ୍ଲା । ରିୟଲିଟି ସୋ ‘ବିଗ୍ ବସ୍-୧୩’ ଏବଂ ‘ଖତରନ କେ ଖିଲାଡୀ-୭’ ର ସେ ଥିଲେ ବିଜେତା । ଟିଭି ସିରିୟଲ୍ ‘ବାଲିକା ବଧୁ’ ରେ ଅଭିନୟ ପାଇଁ ସେ ଘରେ ଘରେ ପରିଚିତ ଥିଲେ । ତାଙ୍କର ଅକାଳ ମୃତ୍ୟୁ ବଲିଉଡ୍ ଜଗତକୁ ସ୍ତବ୍ଧ କରିଦେଇଛି ।
ସୂଚନା ଅନୁଯାୟୀ, ଆଜି ସକାଳ ପ୍ରାୟ ୧୦.୩୦ ରେ ସିଦ୍ଧାର୍ଥ ମାସିଭ୍ ହାର୍ଟ ଆଟାକ୍ ର ଶିକାର ହୋଇଥିଲେ । ମୁମ୍ବାଇସ୍ଥିତ କୁପର ହସ୍ପିଟାଲ୍ କୁ ତାଙ୍କୁ ତୁରନ୍ତ ଅଣାଯାଇଥଲା । ମାତ୍ର ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ । ତେବେ ହସ୍ପିଟାଲ୍ ଆଣିଲା ବେଳକୁ ତାଙ୍କର ମୃତ୍ୟୁ ହୋଇସାରିଥିବା କୁପର୍ ହସ୍ପିଟାଲ୍ କର୍ତ୍ତୃପକ୍ଷଙ୍କଠାରୁ ସୂଚନା ମିଳିଛି । ପୋଷ୍ଟମର୍ଟମ ରିପୋର୍ଟ ଆସିଲା ପରେ ତାଙ୍କ ମୃତ୍ୟୁର କାରଣ ଜଣାପଡ଼ିବ ବୋଲି ଫରେନସିକ୍ ବିଭାଗର ଜଣେ ବରିଷ୍ଠ ଡାକ୍ତର ଗଣମାଧ୍ୟମକୁ କହିଛନ୍ତି ।
ସିଦ୍ଧାର୍ଥ ଅବିବାହିତ ଥିଲେ । ଘରେ ତାଙ୍କର ମାଆ ଏବଂ ଦୁଇ ଭଉଣୀ ଅଛନ୍ତି ।
୧୯୮୦ ଡିସେମ୍ବର ୧୨ ରେ ମୁମ୍ବାଇରେ ଜନ୍ମିତ ସିଦ୍ଧାର୍ଥ ସେଣ୍ଟ ଜାଭିୟର୍ସରୁ ସ୍କୁଲ ପଢ଼ା ସାରି ଇଣ୍ଟେରିୟର୍ ଡିଜାଇନ୍ ରେ ଗ୍ରାଜୁଏସନ୍ କରିଥିଲେ । ୨୦୦୮ ମସିହାରେ ‘ବାବୁଲ୍ କା ଅଙ୍ଗନ ଛୁଟେ ନା’ ରେ ସେ ଅଭିନୟ ଜୀବନ ଆରମ୍ଭ କରିଥିଲେ । ୨୦୧୪ ରେ କରନ୍ ଜୋହରଙ୍କ ‘ହମ୍ପଟି ଶର୍ମା କି ଦୁଲହନିଆ’ ରେ ସହ କଳାକାର ଭାବେ ସେ ବଲିଉଡ୍ ରେ ପାଦ ଥାପିଥିଲେ । ପରବର୍ତ୍ତୀ ସମୟରେ ଅନେକ ଟିଭି ସିରିୟଲ୍ ଏବଂ ଫିଲ୍ମରେ ଅଭିନୟ କରି ଲୋକପ୍ରିୟତା ଅର୍ଜନ କରିଥିଲେ ।
ଏକାଧାରରେ ସେ ଥିଲେ ଆକ୍ଟର, ହୋଷ୍ଟ୍ ଏବଂ ମଡ଼େଲ । ଇଣ୍ଡିଆସ୍ ଗଟ୍ ଟାଲେଣ୍ଟ, ସାବଧାନ ଇଣ୍ଡିଆ ଭଳି ଲୋକପ୍ରିୟ ସୋ’ ର ହୋଷ୍ଟ ଥିଲେ ସିଦ୍ଧାର୍ଥ । ରିୟଲିଟି ସୋ’ ଝଲକ ଦିଖଲା ଜା-୬, ଫିଅର୍ ଫ୍ୟାକ୍ଟର: ଖତରନ କେ ଖିଲାଡ଼ି-୭, ବିଗ୍ ବସ୍-୧୩ ଏବଂ ଡ୍ୟାନସ୍ ଦିୱାନେ-୩ ଫେମ୍ ଥିଲେ ସିଦ୍ଧାର୍ଥ । ବାଲିକା ବଧୁ, ଦିଲ୍ ସେ ଦିଲ୍ ତକ ରେ ତାଙ୍କର ଅଭିନୟ ତାଙ୍କୁ ଘରେ ଘରେ ପରିଚିତ କରାଇଥିଲା ।
ବିଗ୍ ବସ୍-୧୩ ରେ ତାଙ୍କର ସହ ପ୍ରତିଯୋଗୀ ଶେହନାଜ୍ ଗିଲ୍ ଙ୍କ ସହ ତାଙ୍କର ସମ୍ପର୍କକୁ ନେଇ ବେଶ୍ ଚର୍ଚ୍ଚା ହୋଇଥିଲା । ଫ୍ୟାନ୍ ମାନେ ଏହି ଯୋଡିଙ୍କୁ “ସିଦନାଜ’ ନାଁ ଦେଇଥିଲେ । ଏହି ଯୋଡିଙ୍କର ଅନେକ ଆଲବମ୍ ଗୀତ ହିଟ୍ ହୋଇଛି । ଉଭୟଙ୍କ ମଧ୍ୟରେ ଏହି ସମ୍ପର୍କକୁ ପ୍ରେମ ନୁହେଁ ବରଂ ବନ୍ଧୁତ୍ୱ ବୋଲି କହୁଥିଲେ ସିଦ୍ଧାର୍ଥ ।