ଭୁବନେଶ୍ୱର: ମନୋରଞ୍ଜନ ପାଣିଗ୍ରାହୀଙ୍କ ସମେତ ୪ ଓଡ଼ିଆ ଅଫିସରଙ୍କୁ ମୁଖ୍ୟ ଆୟକର କମିଶନର ଭାବେ ପଦୋନ୍ନତି ମିଳିଛି । ଅନ୍ୟମାନେ ହେଲେ ବିଜୟାନନ୍ଦ ପୃଷେଠ୍, ଦେବେନ୍ଦ୍ର ନାରାୟଣ କର ଏବଂ ସୀମାଚଳ ଦାଶ । ଶ୍ରୀ ପାଣିଗ୍ରାହୀ ବର୍ତ୍ତମାନ କଟକରେ ପ୍ରଧାନ ଆୟକର କମିଶନର ଭାବେ ଅବସ୍ଥାପିତ ଥିଲା ବେଳେ ଶ୍ରୀ ପୃଷେଠ୍ ସମ୍ବଲପୁରରେ ପ୍ରଧାନ ଆୟକର କମିଶନର ଭାବେ ଅବସ୍ଥାପିତ ଅଛନ୍ତି ।
୧୯୮୮ ବ୍ୟାଚ୍ ଆଇଆରଏସ୍ (ଭାରତୀୟ ରାଜସ୍ୱ ସେବା) ମନୋରଞ୍ଜନ ପାଣିଗ୍ରାହୀ ଜଣେ ଦକ୍ଷ ଓ କର୍ମନିଷ୍ଠ ଅଧିକାରୀ ଭାବେ ସୁପରିଚିତ । ଆୟକର ବିଭାଗର ପ୍ରାୟ ସମସ୍ତ କ୍ଷେତ୍ରରେ ତାଙ୍କ କାର୍ଯ୍ୟ ବେଶ ପ୍ରଶଂସନୀୟ । ତେବେ କେବଳ ଆୟକର ବିଭାଗରେ ତାଙ୍କ କାର୍ଯ୍ୟ ସୀମିତ ନୁହେଁ । ଜଣେ ସାହିତ୍ୟ ଓ ସଂସ୍କୃତିପ୍ରେମୀ ଭାବେ ଓଡ଼ିଆ ସାହିତ୍ୟ ଓ ସଂସ୍କୃତିକୁ ତାଙ୍କର ଯଥେଷ୍ଟ ଅବଦାନ ରହିଛି । ଓଡ଼ିଶା ସରକାରଙ୍କ ସଂସ୍କୃତି, ସୂଚନା ଓ ଲୋକସମ୍ପର୍କ ବିଭାଗର ଶାସନ ସଚିବ ଭାବେ ସେ ୫ ବର୍ଷ କାର୍ଯ୍ୟ କରିଥିଲେ ।
ଶ୍ରୀ ପୃଷେଠ୍, ଶ୍ରୀ କର ଏବଂ ଶ୍ରୀ ଦାଶ ମଧ୍ୟ ଦକ୍ଷ ଓ ନାମକରା ଅଫିସରେ ଭାବେ ବିଭାଗରେ ଜଣାଶୁଣା ।
ସୂଚନାଥାଉକି, ଆୟକର ବିଭାଗରେ ୩୬ ଜଣ ପ୍ରଧାନ ଆୟକର କମିଶନରଙ୍କୁ ମୁଖ୍ୟ ଆୟକର କମିଶନ ଭାବେ ପଦୋନ୍ନତି ମିଳିଛି । ଯେଉଁଥିରେ ଏହି ୪ ଓଡ଼ିଆ ଅଧିକାରୀ ଅଛନ୍ତି । ଏକାଥରେ ୪ ଓଡ଼ିଆ ଅଧିକାରୀଙ୍କୁ ଆୟକର ବିଭାଗର ଉଚ୍ଚ ପଦବୀରେ ନିଯୁକ୍ତି ମିଳିବା ରାଜ୍ୟ ପାଇଁ ଖୁସି ଓ ଗର୍ବର ବିଷୟ ।