ଭୁବନେଶ୍ୱର: ବିଶିଷ୍ଟ ଶିଳ୍ପପତି ମହିମା ମିଶ୍ରଙ୍କ ସାନପୁଅ ତଥା ଓଡ଼ିଶା ଷ୍ଟେିଭେଡର୍ସ ଲିମିଟେଡ୍ ନିର୍ଦ୍ଦେଶକ ଚର୍ଚ୍ଚିତ ମିଶ୍ର ସିବିଆଇ ଦ୍ୱାରା ଗିରଫ ହୋଇଛନ୍ତି । କୋର୍ଟ ଚାଲାଣ ସହ ଅଧିକ ପଚରାଉଚୁରା ପାଇଁ ତାଙ୍କୁ ୪ ଦିନିଆ ରିମାଣ୍ଡରେ ନିଆଯାଇଛି । ମହିମା ଓ ବଡ଼ପୁଅ ଚନ୍ଦନଙ୍କୁ ମଧ୍ୟ ସିବିଆଇ ଛାଡୁନାହିଁ । ଆଜି ବି ଉଭୟଙ୍କୁ ମାରାଥନ୍ ଜେରା କରାଯାଇଛି । ପାରାଦ୍ୱୀପ ବନ୍ଦର ଲାଞ୍ଚ କାରବାର ମାମଲାରେ ମିଶ୍ର ପରିବାରକୁ ଏହି ଦଶା ଭୋଗିବାକୁ ପଡ଼ିଛି ।
ଗତକାଲି ଚର୍ଚ୍ଚିତଙ୍କୁ ସିବିଆଇରେ ହାଜର ହେବାକୁ ନୋଟିସ୍ ହୋଇଥିଲେ ହେଁ ସେ ଆସି ନ ଥିଲେ । ତେବେ ଆଜି ଭୋର୍ ୪ ଟାରେ ଭୁବନେଶ୍ୱର ସିବିଆଇ ଅଫିସ୍ ରେ ଚର୍ଚ୍ଚିତ ଆତ୍ମସମର୍ପଣ ଢ଼ଙ୍ଗରେ ହାଜର ହୋଇଥିବା କୁହାଯାଉଛି । ସେଠାରେ ତାଙ୍କୁ ୫ ଘଣ୍ଟା ଧରି ଜେରା କରିବା ପରେ ଗିରଫ କରାଯାଇଥିଲା । କ୍ୟାପିଟାଲ୍ ହସ୍ପିଟାଲ୍ ରେ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇ କୋର୍ଟ ଚାଲାଣ କରାଯାଇଥିଲା । ଏହି ମାମଲାର ମୁଖ୍ୟ ଅଭିଯୁକ୍ତ ପାରାଦ୍ୱୀପ ବନ୍ଦରର ମୁଖ୍ୟ ମେକାନିକାଲ୍ ଇଂଜିନିୟର୍ ସରୋଜ ଦାସଙ୍କଠାରୁ ଟଙ୍କା ନେଇ ତାଙ୍କ ନାଁରେ ଫ୍ଲାଟ୍ ବୁକ୍ କରିଥିବା ରିୟଲ୍ ଇଷ୍ଟେଟ୍ ମାଲିକ ଶିଶିର ଦାସଙ୍କୁ ମଧ୍ୟ ସିବିଆଇ ଆଜି ଗିରଫ କରିଛି । ଲାଞ୍ଚ ଟଙ୍କାରେ ସରୋଜ ଏହି ଫ୍ଲାଟ୍ ବୁକ୍ କରିଥିବା ଅଭିଯୋଗ ରହିଛି ।
ପାରାଦ୍ୱୀପ ବନ୍ଦରରେ ଲାଞ୍ଚ କାରବାର ଘଟଣାରେ ଗତକାଲି ୪ ଜଣ ଗିରଫ ହୋଇଥିଲେ । ସେମାନେ ହେଉଛନ୍ତି ପାରାଦ୍ୱୀପ ବନ୍ଦରର ମୁଖ୍ୟ ମେକାନିକାଲ୍ ଇଂଜିନିୟର୍ ଶ୍ରୀ ଦାସ, ଓଡ଼ିଶା ଷ୍ଟିଭେଡର୍ସ ଲିମିଟେଡ୍ (ଓଏସଏଲ)ର ଡିଜିଏମ୍ ସୂର୍ଯ୍ୟନାରାୟଣ ସାହୁ, କେସିଟି ଗ୍ରୁପ୍ ର ଅପରେସନ୍ ମ୍ୟାନେଜର ଶଙ୍ଖଶୁଭ୍ରା ମିତ୍ର ଓ ଠିକା କର୍ମଚାରୀ ସୁମନ୍ତ ରାଉତ । ଆଜି ଚର୍ଚ୍ଚିତଙ୍କ ସହ ଅନ୍ୟ ୩ ଜଣଙ୍କୁ ରିମାଣ୍ଡରେ ନେଇ ସିବିଆଇ ଅଧିକ ପଚରାଉଚୁରା କରୁଛି । ଏହି ମାମଲାରେ ଏ ପର୍ଯ୍ୟନ୍ତ ୬ ଜଣ ଗିରଫ ହୋଇଛନ୍ତି ।
ସୂଚନାଥାଉକି, ଆଜି ତୃତୀୟ ଦିନରେ ସିବିଆଇ ଟିମ୍ ଲାଞ୍ଚ କାରବାର ମାମଲା ଲିଙ୍କ୍ ରେ ବିଭିନ୍ନ ବ୍ୟକ୍ତିଙ୍କୁ ପଚରାଉଚୁରା ଜାରି ରଖିଛନ୍ତି । ବିଭିନ୍ନ ଜାଗାରେ ଚଢ଼ଉ ମଧ୍ୟ ଚାଲିଛି । ଆଜି ଦିନ ତମାମ ସିବିଆଇ ଟିମ୍ ପାରାଦ୍ୱୀପ ବନ୍ଦରର ଅନେକ ଅଧିକାରୀଙ୍କୁ ଗେଷ୍ଟ ହାଉସ୍ ଡାକିନେଇ ପଚରାଉଚୁରା କରିଥିଲା ।
ମାମଲାରୁ ଜଣାପଡ଼ିଛି, କିଛି ଦିନ ତଳେ ଓଡ଼ିଶା ଷ୍ଟିଭେଡର୍ସ ଲିମିଟେଡର କାର୍ଗୋ ଅନଲୋଡିଂ ବେଳେ ପାରାଦ୍ୱୀପ ବନ୍ଦରରେ ଥିବା ଏକ କନଭେୟର ବେଲ୍ଟ ନଷ୍ଟ ହୋଇଯାଇଥିଲା । ଯାହାର ମରାମତି ଅତ୍ୟନ୍ତ ବ୍ୟୟବହୁଳ ଥିଲା । ତେବେ ବନ୍ଦର ମୁଖ୍ୟ ମେକାନିକାଲ୍ ଇଂଜିନିୟର୍ ଶ୍ରୀ ଦାସ ଏହାକୁ ଟଙ୍କା କମେଇବାର ସୁଯୋଗ ବୋଲି ଧରିନେଇଥିଲେ । ବନ୍ଦରର କ୍ଷତି ଦର୍ଶାଇ ବନ୍ଦର ରକ୍ଷଣାବେକ୍ଷଣ ଟଙ୍କାରେ ମରାମତି କରିଦେବାକୁ କହି ୬୦ ଲକ୍ଷ ଟଙ୍କା ଲାଞ୍ଚ ମାଗିଥିଲେ । ସଂପୃକ୍ତ ସଂସ୍ଥା ଏଥିରେ ରାଜି ହେବା ପରେ ଲାଞ୍ଚ କାରବାର ହୋଇଥିଲା ।
ତେବେ କୌଣସି ସୂତ୍ରରୁ ନୂଆଦିଲ୍ଲୀସ୍ଥିତ ସିବିଆଇ ମୁଖ୍ୟାଳୟରେ ଏହି ଅଭିଯୋଗ ପଂହଞ୍ଚିଲା ପରେ ଏହାର ଛାନଭିନ୍ ଆରମ୍ଭ ହୋଇଥିଲା । ଦିଲ୍ଲୀ ଏବଂ ଭୁବନେଶ୍ୱର ସିବିଆଇର ୬ଟି ଟିମ୍ ମହିମା ମିଶ୍ରଙ୍କ ଘର ସମେତ ଓଏସଏଲ ଅଫିସ, କଟକ, ପାରାଦ୍ୱୀପ, ଭୁବନେଶ୍ୱର, ଜଗତସିଂହପୁରର ୧୫ ଟି ସ୍ଥାନରେ ଚଢ଼ଉ କରିଥିଲା । ଏପର୍ଯ୍ୟନ୍ତ ୮୫ ଲକ୍ଷରୁ ଅଧିକ ଟଙ୍କା ସମେତ ବହୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଜବତ ହୋଇଛି ।