ଭୁବନେଶ୍ୱର: ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ବିରୋଧରେ ଚାର୍ଜସିଟ୍ ଦାଖଲ ହୋଇଛି । ୩ ହଜାର ପୃଷ୍ଠାର ଚାର୍ଜସିଟ୍ ରେ ବିଧାୟକଙ୍କର ୯ କୋଟି ୧୮ ଲକ୍ଷ ୧୩ ହଜାର ଟଙ୍କାର ଆୟ ବର୍ହିଭୂତ ସମ୍ପତ୍ତି ରହିଥିବା ଦର୍ଶାଯାଇଛି । ଏଥିରେ ତାଙ୍କ ପତ୍ନୀଙ୍କୁ ମଧ୍ୟ ଅଭିଯୁକ୍ତ ଦର୍ଶାଯାଇଛି । ଲୋକାୟୁକ୍ତଙ୍କ ଅନୁମତିକ୍ରମେ ଭୁବନେଶ୍ୱର ସ୍ୱତନ୍ତ୍ର କୋର୍ଟରେ ଭିଜିଲାନସ୍ ଏହି ଚାର୍ଜସିଟ୍ ଦାଖଲ କରିଛି ।
ବିଧାୟକ ଓ ମନ୍ତ୍ରୀତ୍ୱ କାଳରେ ପ୍ରଦୀପ ପାଣିଗ୍ରାହୀ ବିପୁଳ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ କରିଥିବା ପ୍ରଥମେ ଲୋକାୟୁକ୍ତଙ୍କ ନଜରକୁ ଆସିଥିଲା । ଲୋକାୟୁକ୍ତଙ୍କ ନିର୍ଦ୍ଦେଶକ୍ରମେ ରାଜ୍ୟ ଭିଜିଲାନସ୍ ବିଭାଗ ପକ୍ଷରୁ ତାଙ୍କ ବିରୋଧରେ ୨୦୨୧ ଅକ୍ଟୋବର ୪ ତାରିଖରେ ମାମଲା ରୁଜୁ ହୋଇଥିଲା । ଭିଜିଲାନସ୍ ଟିମ୍ ତାଙ୍କ ଘର ଖାନତଲାସ କରି ତାଙ୍କର ଆୟ ଓ ଖର୍ଚ୍ଚ ସଂକ୍ରାନ୍ତୀୟ ସବୁ ଦସ୍ତାବିଜ୍ ସଂଗ୍ରହ କରିଥିଲେ । ତାଙ୍କର ଆୟ ବର୍ହିଭୂତ ସମ୍ପତ୍ତି ପରିମାଣ ୯ କୋଟି ୧୮ ଲକ୍ଷ ୧୩ ହଜାର ୭ ଟଙ୍କା ହିସାବ କରାଯାଇଥିଲା । ଏହି ଟଙ୍କା କେଉଁ ସୂତ୍ରରୁ କମେଇଛନ୍ତି ବିଧାୟକ ତାହାର ସନ୍ତୋଷଜନକ ଉତ୍ତର ଦେଇପାରି ନ ଥିଲେ । ବେଆଇନ ସମ୍ପତ୍ତି ଅର୍ଜନରେ ତାଙ୍କ ପତ୍ନୀଙ୍କ ଭୂମିକା ସମ୍ପର୍କରେ ମଧ୍ୟ ଭିଜିଲାନସ୍ ଜାଣିବାକୁ ପାଇଥିଲା ।
୨୦୨୨୨ ଜୁନ୍ ୯ ତାରିଖରେ ଭିଜିଲାନସ୍ ତା’ର ତଦନ୍ତ ରିପୋର୍ଟ ଲୋକାୟୁକ୍ତଙ୍କ ନିକଟରେ ଦାଖଲ କରିଥିଲା । ଏହି ତଦନ୍ତ ରିପୋର୍ଟକୁ ଅନୁଧ୍ୟାନ କଲା ପରେ ବିଧାୟକ ପ୍ରଦୀପ ପାଣିଗ୍ରାହୀ ଏବଂ ତାଙ୍କର ପତ୍ନୀଙ୍କ ବିରୋଧରେ କୋର୍ଟରେ ଚାର୍ଜସିଟ୍ ଦାଖଲ ପାଇଁ ଗତ ୨୦ ତାରିଖରେ ଲୋକାୟୁକ୍ତ ଅନୁମତି ଦେଇଥିଲେ । ସ୍ୱତନ୍ତ୍ର କୋର୍ଟ ଏବେ ଏହି ମାମଲାର ଶୁଣାଣି କରିବେ ।