ଭୁବନେଶ୍ୱର: ରାଜ୍ୟ ଶାସନର ରୂପାନ୍ତରରେ ‘୫-ଟି’ ଏବଂ ‘ମୋ ସରକାର’ କାର୍ଯ୍ୟକ୍ରମ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି । ଏହାର ମୂଳ ଲକ୍ଷ୍ୟ ହେଉଛି, ଲୋକଙ୍କ ପାଖରେ ବିକାଶମୂଳକ ଯୋଜନା ସଠିକ୍ ଭାବେ ପହଞ୍ଚାଇବା । ଜିଲ୍ଲାସ୍ତରରେ ଆପଣମାନେ ଅଧିକରୁ ଅଧିକ ଲୋକଙ୍କ ପାଖକୁ ଯାଆନ୍ତୁ । ସେମାନଙ୍କର ସମସ୍ୟା ବୁଝି ତାହାର ଶୀଘ୍ର ଏବଂ ସରଳ ସମାଧାନ କରନ୍ତୁ ।
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ଏହା ଥିଲା ଜିଲ୍ଲାପାଳମାନଙ୍କୁ ଆହ୍ୱାନ । ଲୋକସେବା ଭବନର ସମ୍ମିଳନୀ କକ୍ଷରେ ଦୁଇଦିନିଆ ଜିଲ୍ଲାପାଳ ସମ୍ମିଳନୀକୁ ଉଦଘାଟନ କରି ମୁଖ୍ୟମନ୍ତ୍ରୀ ତାଙ୍କ ସରକାରଙ୍କ ବିକାଶ ଏଜେଣ୍ଡାକୁ ସ୍ପଷ୍ଟ କରିଦେଇଥିଲେ । କହିଥିଲେ, ସରକାରଙ୍କ ଉନ୍ନୟନ ପ୍ରକଳ୍ପଗୁଡ଼ିକ ଯଥାସମ୍ଭବ କମ୍ ସମୟ ମଧ୍ୟରେ କାର୍ଯ୍ୟକାରୀ ହୋଇ ହିତାଧିକାରୀମାନଙ୍କ ପାଖରେ ପହଞ୍ଚିବା ଦରକାର । ଲକ୍ଷ୍ୟ ପୂରଣ ପାଇଁ ଜିଲ୍ଲାମାନଙ୍କ ମଧ୍ୟରେ ପ୍ରତିଯୋଗିତା ହେବା ଦରକାର । ଏଭଳି ଭାବେ ଆମ ରାଜ୍ୟ ଅନ୍ୟମାନଙ୍କ ପାଇଁ ଉଦାହରଣ ହେଉ ।

ମୁଖ୍ୟମନ୍ତ୍ରୀ କହିଥିଲେ, ରୂପାନ୍ତରଣ କ୍ଷେତ୍ରରେ ଓଡ଼ିଶା ଦେଶର ଅଗ୍ରଣୀ ରାଜ୍ୟ ହୋଇପାରିଛି । କ୍ରୀଡ଼ା, ସ୍ୱାସ୍ଥ୍ୟସେବା, ସ୍କୁଲ ରୂପାନ୍ତର, ମହିଳା ସଶକ୍ତିକରଣ, ଦକ୍ଷତା ବିକାଶ, ଶସ୍ୟ ଉତ୍ପାଦନ, କୋଭିଡ୍ ପରିଚାଳନାରେ ରାଜ୍ୟ ଅନ୍ୟମାନଙ୍କ ଦୃଷ୍ଟି ଆକର୍ଷଣ କରିଛି । ‘୫-ଟି’ ଏବଂ ‘ମୋ ସରକାର’ ପାଇଁ ଏହା ସମ୍ଭବ ହୋଇଛି ।
ଖାଦ୍ୟ ଉତ୍ପାଦନରେ ଓଡ଼ିଶା ଆଜି ବଳକା ରାଜ୍ୟ ହୋଇ ଦେଶର ସାଧାରଣ ବଣ୍ଟନ ବ୍ୟବସ୍ଥାରେ ଅବଦାନ ରଖିଛି । ତେବେ କେବଳ ଏତିକିରେ ସନ୍ତୁଷ୍ଟ ହେଲେ ଚଳିବନି । ଫାର୍ମ ମେକାନାଇଜେସନ୍, କ୍ରପ୍ ଡାଇଭରଫିକେସନ୍, ହର୍ଟିକଲଚର, ଫ୍ଲୋରିକଲଚର ଉପରେ ଅଧିକ ଧ୍ୟାନ ଦେବାକୁ ପଡ଼ିବ । ଆମର ‘ମିଲେଟ୍ ମିଶନ୍’ ଜାତୀୟସ୍ତରରେ ଆଦୃତ ଲାଭ କଲାଣି । ଏ କ୍ଷେତ୍ରରେ ଆମକୁ ଅଧିକ ଉତ୍କର୍ଷ ଆଣିବାକୁ ପଡ଼ିବ ।
ଅର୍ଥନୈତିକ ବିକାଶରେ ଷ୍ଟାର୍ଟ ଅପ୍ ର ଗୁରୁତ୍ୱପୂର୍ଣ୍ଣ ଭୂମିକା ଅଛି । ରାଜ୍ୟ ସରକାରଙ୍କ ପକ୍ଷରୁ ଏ ଦିଗରେ ବହୁତ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି । ଦେଶର ତିନି ମୁଖ୍ୟ ଷ୍ଟାର୍ଟ ଅପ୍ ଲକ୍ଷ୍ୟସ୍ଥଳରେ ଓଡ଼ିଶାକୁ ସ୍ଥାନ ଦେବାକୁ ରାଜ୍ୟ ସରକାର ଉଦ୍ୟମ ଜାରି ରଖିଛନ୍ତି ।
ମୁଖ୍ୟମନ୍ତ୍ରୀ ତାଙ୍କ ଭାଷଣରେ ମହିଳା ସଶକ୍ତିକରଣ ଉପରେ ଆଲୋକପାତ କରିଥିଲେ । ମିଶନ ଶକ୍ତି ଗ୍ରୁପ୍ କୁ କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗୀ ଭାବେ ରୂପାନ୍ତର କରିବାକୁ ରାଜ୍ୟ ସରକାର ଉଦ୍ୟମ କରୁଛନ୍ତି । ସେଥିପାଇଁ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବିନା ସୁଧରେ ଋଣ ଯୋଗାଇ ଦିଆଯାଉଛି । ମିଶନ ଶନ୍ତି ଗ୍ରୁପ୍ କୁ ଆସନ୍ତା ୫ ବର୍ଷରେ ୫୦ ହଜାର କୋଟି ଟଙ୍କା ଯୋଗାଇ ଦେବାକୁ ଲକ୍ଷ୍ୟ ରଖାଯାଇଛି । ମିଶନ ଶକ୍ତି ଗ୍ରୁପ୍ କୁ ଲକ୍ଷ୍ୟସ୍ଥଳରେ ପହଞ୍ଚାଇବାକୁ ଜିଲ୍ଲାପାଳମାନେ ଆବଶ୍ୟକ ସାହାଯ୍ୟ ସହଯୋଗ ଯୋଗାଇ ଦେବାକୁ ମୁଖ୍ୟମନ୍ତ୍ରୀ ଆହ୍ୱାନ ଦେଇଥିଲେ ।
ଏକ ନୂଆ ଏବଂ ସଶକ୍ତ ଓଡ଼ିଶା ଗଠନ ପାଇଁ ଆସ ଆମେ ସମସ୍ତେ ଏକାଠି ହୋଇ କାମ କରିବା ବୋଲି ମୁଖ୍ୟମନ୍ତ୍ରୀ ତାଙ୍କ ଭାଷଣ ଶେଷରେ କହିଥିଲେ ।
ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଜିଲ୍ଲାପାଳ ସମ୍ମିଳନୀ ଆରମ୍ଭ ହୋଇଛି । ୩୦ ଜିଲ୍ଲାର ଜିଲ୍ଲାପାଳ ଏବଂ ଜିଲ୍ଲାର ଅନ୍ୟ ପଦସ୍ଥ ଅଧିକାରୀମାନେ ଯୋଗଦେଇଛନ୍ତି । ସବୁ ବିଭାଗର ଶାସନ ସଚିବଙ୍କଠାରୁ ଆରମ୍ଭ କରି ପଦସ୍ଥ ଅଧିକାରୀମାନେ ଉପସ୍ଥିତ ଅଛନ୍ତି ।
ଆସନ୍ତାକାଲି କୋଣାର୍କ ଇକୋ ରିଟ୍ରେଟ୍ ଠାରେ ଦ୍ୱିତୀୟ ଦିନର ସମ୍ମିଳନୀ ଅନୁଷ୍ଠିତ ହେବ ।







