ଭୁବନେଶ୍ୱର: ମହିଳା ଇନସପେକ୍ଟର ଅନିତା ପ୍ରଧାନଙ୍କୁ ସର୍ବ ସମ୍ମୁଖରେ ଗାଳିଗୁଲଜ କରି ଧକ୍କା ମାରିଲେ ଜୟନାରାୟଣ ମିଶ୍ର । ଜୟନାରାୟଣ ବାବୁ ଜଣେ ସାଧାରଣ ବିଧାୟକ ନୁହଁନ୍ତି । ସେ ହେଉଛନ୍ତି ବିରୋଧୀ ଦଳର ନେତା । ତାଙ୍କ ପଦର ସାମ୍ବିଧାନିକ ମର୍ଯ୍ୟାଦା ଓ ଗାରିମା ଅଛି । ମାତ୍ର ସେହି ଗାରିମା ଓ ମର୍ଯ୍ୟାଦାକୁ ସେ ଭୁଲି ତାଙ୍କର ପୁରୁଣା ଗୁଣ୍ଡାଗର୍ଦ୍ଦି ରେକର୍ଡକୁ ଆପଣେଇନେଲେ । ମହିଳା ଇନସପେକ୍ଟରଙ୍କୁ ଅଶାଳୀନ ଭାଷାରେ ଗାଳି କରି ଧକ୍କା ମାରିବାର ଭିଡିଓ ଦୃଶ୍ୟ ସମସ୍ତେ ଦେଖୁଛନ୍ତି ।
ଏହା ଖାଲି ଅଭାବନୀୟ ନୁହେଁ, ଅତ୍ୟନ୍ତ ଲଜ୍ଜାକର ଘଟଣା । ମନ୍ତ୍ରୀ ନବ ଦାସଙ୍କ ହତ୍ୟା ପରିପ୍ରେକ୍ଷୀରେ ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତିକୁ ନେଇ ବିଜେପିର ଆନ୍ଦୋଳନ ବେଳେ ହିଁ ସମ୍ବଲପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଏହି ଅଘଟଣ ଘଟିଗଲା । ସଂପୃକ୍ତ ମହିଳା ପୁଲିସ ଅଫିସରଙ୍କ ଏତଲା ଆଧାରରେ ସମ୍ବଲପୁର ଟାଉନ ଥାନା ପୁଲିସ ଜୟନାରାୟଣଙ୍କ ବିରୋଧରେ ଆଇପିସିର ଧାରା ୩୫୩, ୩୩୨, ୩୫୩, ୨୯୪, ୫୦୦, ୫୦୬ ଓ ୩୪୧ ଦଫାରେ ମାମଲା ରୁଜୁ କରିଛି ।
ରାଜନୈତିକ ଦୃଷ୍ଟିକୋଣରୁ ଜୟନାରାୟଣଙ୍କ କାଣ୍ଡ ତାଙ୍କ ଦଳ ବିଜେପିକୁ ଅକଳରେ ପକାଇଛି । ତାଙ୍କୁ ସୁରକ୍ଷା ଦେବା ପାଇଁ ଲୋକଦେଖାଣିଆ କାର୍ଯ୍ୟକ୍ରମ ହେଉଥିଲେ ମଧ୍ୟ ବାସ୍ତବତା ସେୟା ନୁହେଁ । ବିରୋଧୀ ଦଳର ନେତା ହୋଇ ଜଣେ କାର୍ଯ୍ୟରତ ମହିଳା ପୁଲିସ ଅଫିସରଙ୍କୁ ମାଡ ମାରିବା ଘଟଣାକୁ ହାଇକମାଣ୍ଡ ଅତ୍ୟନ୍ତ ଗମ୍ଭୀରତାର ସହ ଗ୍ରହଣ କରିଛନ୍ତି । ରାଜ୍ୟରେ ବିପର୍ଯ୍ୟସ୍ତ ଆଇନଶୃଙ୍ଖଳାକୁ ଦଳ ମୁଦ୍ଦା କରୁଥିବା ବେଳେ ଏହା ବୁମେରାଂ ହେବାର ଆଶଙ୍କା କରାଯାଇଛି ।
ରାଷ୍ଟ୍ରୀୟ ସଭାପତି ଜେ.ପି.ନଡ୍ଡା ଏ ବାବଦରେ ରାଜ୍ୟ ସଭାପତି ସମୀର ମହାନ୍ତିଙ୍କଠାରୁ ଏକ ରିପୋର୍ଟ ମାଗିଥିବା ଜଣାପଡ଼ିଛି । ଆସନ୍ତା ୨୩ ତାରିଖରେ ଗୃହମନ୍ତ୍ରୀ ଅମିତ୍ ଶାହା ଓଡ଼ିଶା ଗସ୍ତରେ ଆସୁଥିବାରୁ ଜୟନାରାୟଣଙ୍କ ବିବାଦ ଦଳ ପାଇଁ ଅଧିକ ମୁଣ୍ଡବ୍ୟଥାର କାରଣ ହୋଇଛି । ତାଙ୍କର ଅସଂଯତ ଆଚରଣ ଦଳୀୟ ନେତାଙ୍କୁ ଚିନ୍ତାରେ ପକାଇଛି । ନବ ଦାସ ହତ୍ୟା ଘଟଣାରୁ ଦଳ ଯେଉଁ ମାଇଲେଜ୍ ନେବା କଥା ଜୟନାରାୟଣଙ୍କ ଘଟଣା ତାହାକୁ ପାଣିଚିଆ କରିଦେଇଛି ।
ଇତିମଧ୍ୟରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଦଳର ଇଜ୍ଜତକୁ ଜଗିବାକୁ ଚେଷ୍ଟା କରି ଘଟଣାକୁ ପ୍ରାୟୋଜିତ ବୋଲି ସଫେଇ ଦେଇଛନ୍ତି । ଅବଶ୍ୟ ଜୟନାରାୟଣଙ୍କ କାର୍ଯ୍ୟକୁ ସେ ପରୋକ୍ଷରେ ନାପସନ୍ଦ କରିଛନ୍ତି । ସାଂସଦ ଅପରାଜିତା ଷଡ଼ଙ୍ଗୀ ମଧ୍ୟ ଜୟନାରାୟଣଙ୍କୁ ସମର୍ଥନ କରିନାହାନ୍ତି । ଓଡ଼ିଶା ପ୍ରଭାରୀ ଡି.ପୁରନ୍ଦେଶ୍ୱରୀ ଏଠି ରହି କେବଳ ପାଳି ତୁଲା କାମ କରୁଛନ୍ତି । ଜୟନାରାୟଣଙ୍କ ସପକ୍ଷରେ ଛିଡ଼ା ହେବାର ଦମ୍ଭ ନାହିଁ ।








