– ମାନ୍ୟବର ପ୍ରଧାନମନ୍ତ୍ରୀ, ଆପଣ ଓଡ଼ିଶାକୁ କେତେ ମନେ ରଖିଛନ୍ତି?
– ଆପଣ ୨୦୧୪ ଓ ୨୦୧୯ ରେ ନିଜେ କରିଥିବା ପ୍ରତିଜ୍ଞାକୁ ମନେ ରଖିଛନ୍ତି କି?
– ଓଡ଼ିଶାର କୌଣସି ଜଣେ ହେଲେ ବରପୁତ୍ର ଭାରତ ରତ୍ମ ପାଇଁ କ’ଣ ଠିକ୍ ଲାଗିଲେନି?
– ବିଜୁ ଜନତା ଦଳ ଷଷ୍ଠ ଥର ପାଇଁ ଓଡ଼ିଶାରେ ସରକାର ଗଢ଼ିବ
ଭୁବନେଶ୍ୱର: ଓଡ଼ିଶାର ତିନୋଟି ଯାକ ନିର୍ବାଚନୀ ପ୍ରଚାର ସଭାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ବିଜେଡି ସରକାର ଏବଂ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସିଧାସଳଖ ଆକ୍ରମଣ କରିବା ପରେ ରାଜନୀତି ସରଗରମ ହୋଇଛି । ୫-ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ୍ ରଘୁନାଥପାଲ୍ଲୀ ସଭାରେ ପ୍ରଧାନମନ୍ତ୍ରୀଙ୍କ ହମଲାର ଜବାବ ଦେଇଥିଲେ । ବିଜେଡି ପକ୍ଷରୁ ମୁଖପାତ୍ର ଡ. ସସ୍ମିତ୍ ପାତ୍ର ଏବଂ ବାଲେଶ୍ୱର ଲୋକସଭା ସାଂସଦ ପ୍ରାର୍ଥୀ ଲେଖାଶ୍ରୀ ସାମନ୍ତସିଂହାର ଜବାବ ଦେଇଥିଲେ । ତେବେ ଶେଷରେ ନିଜେ ମୁଖ୍ୟମନ୍ତ୍ରୀ ଏକ ଭିଡ଼ିଓ ବାର୍ତ୍ତା ଜରିଆରେ ପ୍ରଧାନମନ୍ତ୍ରୀଙ୍କୁ କଡ଼ା ଜବାବ ଦେଇଛନ୍ତି । ଜୁନ୍ ୧୦ ରେ ତ ନୁହେଁ, ଆଉ ୧୦ ବର୍ଷରେ ବି ବିଜେପି ଓଡ଼ିଶା ଲୋକଙ୍କ ହୃଦୟ ଜିତିପାରିବ ନାହିଁ ବୋଲି ମୁଖ୍ୟମନ୍ତ୍ରୀ ତାଙ୍କୁ ଶୁଣେଇ ଦେଇଛନ୍ତି । ଏଥିସହ ପ୍ରଧାନମନ୍ତ୍ରୀଙ୍କୁ ପ୍ରଶ୍ନବାଣରେ ଛନ୍ଦିଛନ୍ତି ମୁଖ୍ୟମନ୍ତ୍ରୀ ।
ଏହି ଭିଡ଼ିଓ ବାର୍ତ୍ତାରେ ମୁଖ୍ୟମନ୍ତ୍ରୀ କହିଛନ୍ତି-
ଜୟ ଜଗନ୍ନାଥ । ମୋର କ’ଣ ମନେ ଅଛି କି ନାଇଁ ତାହା ଓଡ଼ିଶାବାସୀ ୨୪ ବର୍ଷ ହେଲା ଭଲ ଭାବରେ ଜାଣିଛନ୍ତି । କିନ୍ତୁ ମାନ୍ୟବର ପ୍ରଧାନମନ୍ତ୍ରୀ, ଆପଣ ଓଡ଼ିଶାକୁ କେତେ ମନେ ରଖିଛନ୍ତି? ଓଡ଼ିଆ ଭାଷା କ୍ଲାସିକାଲ୍ ଲାଙ୍ଗୁଏଜ୍ ହେଲା ପରେ ବି ଆପଣ ଓଡ଼ିଆ ଭାଷାକୁ ଭୁଲିଗଲେ । ଆପଣ ଓଡ଼ିଶୀ ସଙ୍ଗୀତକୁ ଭୁଲିଗଲେ? ମୁଁ ଓଡ଼ିଶୀ ସଙ୍ଗୀତକୁ କ୍ଲାସିକାଲ୍ ମାନ୍ୟତା ପାଇଁ ଦୁଇଥର ପ୍ରସ୍ତାବ ପଠାଇଥିଲି ଓ ଆପଣ ଦୁଇଥର ରିଜେକ୍ଟ କଲେ ।
ଓଡ଼ିଶାରେ ବହୁତ ବୀରପୁତ୍ର ଅଛନ୍ତି । କେତେ ନାଁ ଆଜି ଆପଣ ବି କହିଲେ । କେହି ଜଣେ ହେଲେ ଭାରତ ରତ୍ନ ପାଇଁ କ’ଣ ଠିକ୍ ଲାଗିଲେନି? ଆପଣ ଭାରତ ରତ୍ନ ବାଣ୍ଟିଲା ବେଳେ ଓଡ଼ିଶାର ବୀରପୁତ୍ର ବିଜୁ ପଟ୍ଟନାୟକଙ୍କୁ ବି ଭୁଲିଗଲେ?
ଆପଣ ଚାଷୀମାନଙ୍କ ପାଇଁ ଏମଏସପି ଦୁଇଗୁଣ କରିବାକୁ ପ୍ରମିସ୍ କରିଥିଲେ । ଆପଣ ତାକୁ ବି ଭୁଲିଗଲେ?
ଆପଣ ଓଡ଼ିଶା ଲୋକଙ୍କୁ ମନେ ରଖି କି କୋଷ୍ଟାଲ୍ ହାଇୱେ କରିବା ଥିଲା । ସେଇଟା ବି ଭୁଲିଗଲେ । ଓଡ଼ିଶାର ସମ୍ପଦ କୋଇଲା । କୋଇଲା ଆପଣ ନେଉଛନ୍ତି । ରୟାଲିଟି ବଢ଼ିବା ପାଇଁ ୧୦ ବର୍ଷ ହେଲା ଭୁଲିଗଲେ?
କେବଳ ନିର୍ବାଚନ ସମୟରେ ଓଡ଼ିଶାକୁ ମନେ ପକାଇଲେ କିଛି ଲାଭ ନାହିଁ । ଆପଣ ୨୦୧୪ ଓ ୨୦୧୯ ରେ ନିଜେ କରିଥିବା ପ୍ରମିସେସ୍ କୁ ମନେ ରଖିଛନ୍ତି କି?
ଓଡ଼ିଶାବାସୀ ଆପଣଙ୍କର କହିଥିବା ଦରବୃଦ୍ଧିକୁ କମାଇବା, ଦୁଇକୋଟି ନିଯୁକ୍ତି କରିବା, ଏଲପିଜି/ପେଟ୍ରୋଲ/ଡିଜେଲ୍ ଦର କମାଇବା, ମୋବାଇଲ୍ ଯୋଗାଯୋଗ ଦେବା, ଜିଏସଟି ଛାଡ଼ କରିବା ସବୁ ଓଡ଼ିଶାବାସୀ ମନେ ରଖିଛନ୍ତି । ଜୁନ୍ ୧୦ ରେ ତ ନୁହେଁ, ଆଉ ୧୦ ବର୍ଷରେ ବି ବିଜେପି ଓଡ଼ିଶା ଲୋକଙ୍କର ହୃଦୟ ଜିତିପାରିବ ନାହିଁ ।
ମହାପ୍ରଭୁଙ୍କ ଆଶୀର୍ବାଦ ଏବଂ ଓଡ଼ିଶାବାସୀଙ୍କ ଭଲ ପାଇବା ଯୋଗୁଁ ବିଜୁ ଜନତା ଦଳ ଷଷ୍ଠ ଥର ପାଇଁ ଓଡ଼ିଶାରେ ସରକାର ଗଢ଼ିବ ।