ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ବିଜେଡି ସରକାରକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆଟାକ୍ ର ଜବାବ ଦେଇଛନ୍ତି ବରିଷ୍ଠ ବିଜେଡି ନେତା ତଥା ୫-ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ୍ । ଗୋଟେ ପଟେ ଫୁଲବାଣୀ, ବଲାଙ୍ଗୀର ଏବଂ ବରଗଡ଼ ସଭାରେ ପ୍ରଧାନମନ୍ତ୍ରୀଙ୍କ ଆକ୍ରମଣ ଚାଲିଥିବା ବେଳେ ସେପଟେ ସୁନ୍ଦରଗଡ଼ ଜିଲ୍ଲାକୁ ପ୍ରଚାରରେ ଯାଇଥିବା ପାଣ୍ଡିଆନ୍ ରଘୁନାଥପାଲ୍ଲୀ ସଭାରେ ପ୍ରଧାନମନ୍ତ୍ରୀଙ୍କ ଆକ୍ରମଣର ଗୋଟି ଗୋଟି କରି ଜବାବ ଦେଇଥିଲେ । ପ୍ରଧାନମନ୍ତ୍ରୀ ଓ ବିଜେପି ସରକାରଙ୍କୁ ପ୍ରଶ୍ନବାଣରେ ଛନ୍ଦିବାକୁ ଚେଷ୍ଟା କରିଥିଲେ । ସେହିଭଳି ଭୁବନେଶ୍ୱର ଶଙ୍ଖ ଭବନରେ ବିଜେଡିର ଜାତୀୟ ମୁଖପାତ୍ର ତଥା ରାଜ୍ୟସଭା ସାଂସଦ ଡ. ସସ୍ମିତ୍ ପାତ୍ର ଏକ ସାମ୍ବାଦିକ ସମ୍ମିଳନୀ କରି ନବୀନ ଗ୍ୟାରେଣ୍ଟିରେ ଓଡ଼ିଶାବାସୀଙ୍କୁ ମାଗଣା ବିଜୁଳି ଯୋଜନା ବିଜେପିକୁ ଶକ୍ତ ଆଘାତ ହୋଇଥିବା କହି ବର୍ଷିଥିଲେ ।
ରଘୁନାଥପାଲ୍ଲୀ ସଭାରେ କ’ଣ କହିଲେ ପାଣ୍ଡିଆନ୍-
• ୨୦୧୪, ୨୦୧୯ରେ ମିଛ କଥା କହି, ମିଛ ପ୍ରତିଶ୍ରୁତି ଦେଇ ବିଜେପି କ୍ଷମତାକୁ ଆସିଲେ, କହିଥିଲେ ତେଲ ଦର କମେଇବା ପାଇଁ, ତେଲଦର କମୁଛି କି ? ଏଲ୍.ପି.ଜି. ଦର କମୁଛି କି ? ବିଜେପି ସରକାର କଥା ସହିତ ଦରଦାମ ବି ବଢ଼ି ଚାଲିଛି ।
• ବହୁତ ବଡ଼ ବଡ଼ ନେତା ବର୍ତ୍ତମାନ ଓଡ଼ିଶାକୁ ଆସୁଛନ୍ତି, ମୁଖ୍ୟମନ୍ତ୍ରୀଙ୍କ ବିରୁଦ୍ଧରେ ପ୍ରଚାର କରିବା ପାଇଁ, ଆମ ନବୀନ ବାବୁଙ୍କ ଶକ୍ତି ହେଉଛନ୍ତି ସାଢ଼େ ୪ କୋଟି ଓଡ଼ିଶାବାସୀ । ଓଡ଼ିଶାରେ ଟୁରିଷ୍ଟମାନଙ୍କ କଥାକୁ କେହି ବିଶ୍ୱାସ କରୁନାହାନ୍ତି
• ଜୁଲାଇରୁ ଓଡ଼ିଶାରେ ଲୋକଙ୍କୁ ବିଜୁଳି ବିଲ୍ ଦେବାକୁ ପଡ଼ିବ ନାହିଁ,
• ନବୀନ ବାବୁ ମାଗଣା ବିଜୁଳି ଦେଉଛନ୍ତି ବୋଲି ଶୁଣି ବିରୋଧୀଙ୍କୁ କରେଣ୍ଟ ଲାଗିଗଲାଣି, ସେମାନେ କହୁଛନ୍ତି ଆମେ ସୋଲାର ପାନେଲ ଦେବୁ ।
• ଆପଣଙ୍କ ଆଶୀର୍ବାଦରେ ନବୀନ ଇଞ୍ଜନ ଜୋରରେ ଚାଲିଛି ଓ ଚାଲିବ
• ଜୁନ ୯ ତାରିଖ ୧୧.୩୦ ରୁ ୧.୦୦ ମଧ୍ୟରେ ନବୀନ ପଟ୍ଟନାୟକ ପୁନର୍ବାର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ, ସନ୍ଧ୍ୟାବେଳେ ନିର୍ବାଚନ ଇସ୍ତାହାର ମନ୍ତ୍ରୀମଣ୍ଡଳରେ ପାସ୍ ହେବ ।
• ବିରୋଧୀ ବଡ଼ ବଡ଼ କଥା କହି ବୁଲୁଛନ୍ତି, ତାଙ୍କୁ ମୁଁ ପଚାରୁଛି ତେଲ ଦର ବୃଦ୍ଧି ହେବ ନାହିଁ ବୋଲି ଗ୍ୟାରେଣ୍ଟି ଦେବେ କି ? ଦରଦାମ୍ ବଢ଼ିବ ନାହି କି ବୋଲି ଗ୍ୟାରେଣ୍ଟି ଦେବେ କି ? ରୋଜଗାର ଦେବେ ବୋଲି ଗ୍ୟାରେଣ୍ଟି ଦେବେ କି ?
• କେନ୍ଦ୍ରମନ୍ତ୍ରୀଙ୍କୁ ମୁଁ କହୁଛି ସବୁଯାଗାରେ ପରିବର୍ତ୍ତନର ହାୱା ବହୁଛି ବୋଲି କହୁଛନ୍ତି କିନ୍ତୁ ଓଡ଼ିଶାରେ ସବୁଯାଗାରେ ନବୀନ ହାୱା ଚାଲିଛି ।
• ମୁଁ ଗୋଟେ ଛୋଟ ଲେବୁଲର କର୍ମଚାରୀ ହୋଇ ତିନି ଚତୁର୍ଥାଂଶ ମେଜରିଟିରେ ନବୀନ ପଟ୍ଟନାୟକ ଜିତି ପୁନର୍ବାର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ବୋଲି ମୁଁ କହିପାରୁଛି, କେନ୍ଦ୍ରମନ୍ତ୍ରୀ କହିବେ କି ଯଦି ଆପଣଙ୍କ ଦଳ ନ ଆସେ ଆପଣ ରାଜନୀତି ଛାଡ଼ି ଦେବେ କି ?
• ଆପଣଙ୍କ ଦଳ ସରକାର ଗଠନ କରିବେ ବୋଲି ଆପଣଙ୍କ ବିଶ୍ୱାସ ନାହିଁକି ଆପଣଙ୍କ କର୍ମୀମାନଙ୍କ ବିଶ୍ୱାସ ନାହିଁ । ବଡ଼ ବଡ଼ ନେତାମାନେ ଆସି ବିରୋଧୀ ଦଳର ଆତ୍ମବିଶ୍ୱାସ ବୃଦ୍ଧି କରିବା ପାଇଁ ବୃଥା ଚେଷ୍ଟା କରୁଛନ୍ତି ।
• ଓଡ଼ିଶାର କୃଷକ, ମା, ଛାତ୍ରଛାତ୍ରୀ ସବୁ ବର୍ଗର ଲୋକଙ୍କ ଭଲ ପାଇବା ନବୀନ ବାବୁଙ୍କୁ ଶକ୍ତି ଦେଉଛି ।
• ବିଜୁ ଜନତା ଦଳର କର୍ମୀର ଉଦ୍ୟମ ଓ ନିଷ୍ଠା ଆଗରେ ଦୁନିଆର ସବୁ ଶକ୍ତି ହାର ମାନିବ