ଭୁବନେଶ୍ୱର: ରାଜ୍ୟରେ କୋଭିଡ ସ୍ଥିତି ସମ୍ପର୍କରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଭିଡ଼ିଓ କନଫରେନ୍ସିଂ ଜରିଆରେ ସମୀକ୍ଷା କରିଥିଲେ । ପ୍ରଶାସନ ସତର୍କ ରହିବା ସହିତ ସଚେତନତା କାର୍ଯ୍ୟକ୍ରମ ଜାରି ରଖିବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ । ବିଶେଷକରି ବରିଷ୍ଠ ନାଗରିକ ଓ ଫ୍ରଣ୍ଟଲାଇନ୍ ଯୋଦ୍ଧାମାନଙ୍କୁ ବୁଷ୍ଟର ଡୋଜ୍ ଦେବା ଉପରେ ଗୁରୁତ୍ୱ ଦେଇଥିଲେ ।
ରାଜ୍ୟରେ ବର୍ତ୍ତମାନ ସକ୍ରିୟ କୋଭିଡ ରୋଗୀ ସଂଖ୍ୟା ସ୍ଥିର ରହିଥିବା ବେଳେ ନୂଆ ପଜିଟିଭ କେସ୍ରେ ମଧ୍ୟ ହ୍ରାସ ଘଟିଛି । ତୃତୀୟ ଲହରରେ ଡାକ୍ତରଖାନା ଉପରେ ବିଶେଷ ଚାପ ପଡିନାହିଁ । କିନ୍ତୁ ଏଥିରେ ଆତ୍ମସନ୍ତୋଷର ସ୍ଥାନ ନାହିଁ । ସଂପୂର୍ଣ୍ଣ ପ୍ରସ୍ତୁତ ରହି ପ୍ରଶାସନ ପରିସ୍ଥିତି ଉପରେ ନଜର ରଖିବା, ମିଶନ ଶକ୍ତି ଗୋଷ୍ଠୀ ମାନଙ୍କର ସକ୍ରିୟ ସହଯୋଗରେ ସାରା ରାଜ୍ୟରେ ସଚେତନତା କାର୍ଯ୍ୟକ୍ରମ ଜାରି ରଖିବା ପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ । ଜନସାଧାରଣ ଯେପରି କୋଭିଡ ସୁରକ୍ଷା ନିୟମାବଳୀ ଠିକ୍ ଭାବରେ ପାଳନ କରନ୍ତି, ସେଥିପ୍ରତି ବିଶେଷ ଯତ୍ନବାନ ହେବା ପାଇଁ ପୋଲିସକୁ କହିଥିଲେ । ସେହିପରି ପୃଥକ ବାସରେ ଘରେ ରହି ଚିକିତ୍ସିତ ହେଉଥିବା ରୋଗୀ ମାନଙ୍କର ସ୍ୱାସ୍ଥ୍ୟ ଅବସ୍ଥା ସଂପର୍କରେ ଠିକ୍ ଭାବରେ ତଦାରଖ କରିବା ପାଇଁ ମଧ୍ୟ କହିଥିଲେ । ବର୍ତ୍ତମାନ ପରିସ୍ଥିତିରେ ଆତଙ୍କିତ ନ ହୋଇ କୋଭିଡ ସୁରକ୍ଷା ନିୟମାବଳୀକୁ ସଠିକ୍ ଭାବରେ ପାଳନ କରିବା ପାଇଁ ଜନସାଧାରଣଙ୍କୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ ।
ଉନ୍ନୟନ କମିଶନର ତଥା ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ ଜେନା କୋଭିଡ ନିୟମାବଳୀର ପରିପାଳନ ନିମନ୍ତେ ପ୍ରଶାସନ ନେଇଥିବା ବିଭିନ୍ନ ପଦଷେପ ସଂପର୍କରେ ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରାଇଥିଲେ ।
ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଆର୍.କେ ଶର୍ମା ରାଜ୍ୟରେ କୋଭିଡ ସ୍ଥିତି ସଂପର୍କରେ ଏକ ରିପୋର୍ଟ ଉପସ୍ଥାପନା କରିଥିଲେ। ରାଜ୍ୟରେ ଦୈନିକ ଟେଷ୍ଟିଂ ୬୫ ହଜାରରୁ ୭୦ ହଜାର ରହିଥିବା ବେଳେ, ପଜିଟିଭିଟି ହାର ୧୧.୪ ପ୍ରତିଶତ ରହିଛି । ଯାହା ଜାତୀୟ ହାର ଠାରୁ କମ୍ ଅଟେ। ଯାଜପୁର, ବାଲେଶ୍ୱର, କଟକ, ସୁନ୍ଦରଗଡ ଓ ଖୋର୍ଦ୍ଧାରେ ପଜିଟିଭିଟି ହାର ତୁଳନାତ୍ମକ ଭାବେ ଅଧିକ ଅଛି ବୋଲି ସେ ସୂଚନା ଦେଇଥିଲେ ।
ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି) ଭି.କେ. ପାଣ୍ଡିଆନ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।
ଅନ୍ୟମାନଙ୍କ ମଧ୍ୟରେ ଭୁବନେଶ୍ୱର ଓ କଟକ ମ୍ୟୁନିସପାଲ କମିଶନର ଏବଂ ଖୋର୍ଦ୍ଧା ଓ ରାୟଗଡାର ଜିଲ୍ଲାପାଳ ମାନେ ସେମାନଙ୍କ ଅଞ୍ଚଳର ପରିସ୍ଥିତି ସଂପର୍କରେ ବୈଠକରେ ଉପସ୍ଥାପନା କରିଥିଲେ ।