ଭୁବନେଶ୍ୱର: ନୂଆଦିଲ୍ଲୀ ଗସ୍ତରେ ଥିବା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ପୃଥକ୍ ଭାବରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଏବଂ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି । ନକ୍ସଲମୁକ୍ତ ଓଡ଼ିଶା, ଦ୍ରୁତ ଶିଳ୍ପାୟନ, ସମବାୟ ବିକାଶ ଏବଂ କଲ୍ୟାଣକାରୀ ଯୋଜନା ସମ୍ପର୍କରେ ଗୃହମନ୍ତ୍ରୀଙ୍କ ସହିତ ମୁଖ୍ୟମନ୍ତ୍ରୀଙ୍କର ଆଲୋଚନା ହୋଇଥିଲା । ଓଡ଼ିଶାବାସୀଙ୍କ ଆଶା ଆକାଂକ୍ଷା ପୂରଣ ପାଇଁ କେନ୍ଦ୍ରମନ୍ତ୍ରୀ ସମସ୍ତ ସହଯୋଗର ପ୍ରତିଶ୍ରୁତି ଦେଇଥିବା କୁହାଯାଇଛି ।
ଗୃହମନ୍ତ୍ରୀଙ୍କ ସହ ଆଲୋଚନା କାଳରେ ମୁଖ୍ୟମନ୍ତ୍ରୀ ରାଜ୍ୟରେ ନିଆଯାଇଥିବା ବିକାଶମୂଳକ ପଦକ୍ଷେପ, ଆଇନ ଶୃଙ୍ଖଳା ପରିସ୍ଥିତି, ଆଭ୍ୟନ୍ତରୀଣ ସୁରକ୍ଷା ଏବଂ ଚାଲୁ ରହିଥିବା ବିଭିନ୍ନ ବିକାଶମୂଳକ ଓ କଲ୍ୟାଣକାରୀ ଯୋଜନା ସମ୍ପର୍କରେ ଅବଗତ କରାଇଥିଲେ । ସକ୍ରିୟ ପୁଲିସିଂ ଯୋଗୁଁ ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି ନିୟନ୍ତ୍ରଣାଧୀନ ରହିଛି । ରାଜ୍ୟର ବିକାଶ ପ୍ରକ୍ରିୟାକୁ ଆହୁରି ସୁଦୃଢ଼ କରିବା ପାଇଁ କେନ୍ଦ୍ର ଗୃହମନ୍ତ୍ରୀଙ୍କ ନିରନ୍ତର ସହଯୋଗ କାମନା କରିଥିଲେ । ଓଡ଼ିଶାର ଡବଲ ଇଞ୍ଜିନ୍ ସରକାର ସିଧାସଳଖ ଜନସମ୍ପର୍କ ଏବଂ ଦ୍ରୁତ ଅଭିଯୋଗ ପ୍ରତିକାର ମାଧ୍ୟମରେ ଜନସାଧାରଣଙ୍କ ଆସ୍ଥା ଜିତି ପାରିଛି ବୋଲି ମୁଖ୍ୟମନ୍ତ୍ରୀ ଦୃଢ଼ୋକ୍ତି ପ୍ରକାଶ କରିଥିଲେ ।
ଏହି ଅବସରରେ ଗୃହମନ୍ତ୍ରୀ ଶ୍ରୀ ଶାହ ରାଜ୍ୟ ସରକାରଙ୍କ ପ୍ରଶଂସନୀୟ ଓ ଜନକଲ୍ୟାଣକାରୀ ପଦକ୍ଷେପଗୁଡ଼ିକର ଭୂୟସୀ ପ୍ରଶଂସା କରିଥିଲେ ବୋଲି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି ।
ନୀତି ଆୟୋଗ ତଥା ପ୍ରଧାନମନ୍ତ୍ରୀଙ୍କ ଅର୍ଥନୈତିକ ପରାମର୍ଶଦାତା ପରିଷଦର ସଦସ୍ୟ ପ୍ରଫେସର କେ.ଭି ରାଜୁଙ୍କୁ ମଧ୍ୟ ମୁଖ୍ୟମନ୍ତ୍ରୀ ସାକ୍ଷାତ କରିଛନ୍ତି ।
୪ ଦିନିଆ ଦିଲ୍ଲୀ ଗସ୍ତ ସାରି ମୁଖ୍ୟମନ୍ତ୍ରୀ ଆସନ୍ତାକାଲି ଭୁବନେଶ୍ୱର ପ୍ରତ୍ୟାବର୍ତ୍ତନ କରିବେ । ସକାଳ ୧୦ଟାରେ ଆକାଶ ମାର୍ଗରୁ ଯାଜପୁର, ଭଦ୍ରକ, ବାଲେଶ୍ୱର ଏବଂ କେନ୍ଦୁଝର ବନ୍ୟା ଅଞ୍ଚଳ ବୁଲି ଦେଖିବେ ।