ଭୁବନେଶ୍ୱର: ପଶ୍ଚିମ ଓଡ଼ିଶାବାସୀଙ୍କୁ ଫାଇଦା ହୋଇଛି ପଦ୍ମପୁର ଉପନିର୍ବାଚନ । ନିଖିଳ ଓଡ଼ିଶା ମେହେର(ଭୁଲିଆ) ସମାଜ ଏବଂ ଓଡ଼ିଶା କୁଲତା ସମାଜର ପ୍ରତିନିଧିଙ୍କୁ ଦେଇଥିବା ପ୍ରତିଶ୍ରୁତିକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅବିଳମ୍ବେ ପାଳନ କରିଛନ୍ତି । ସ୍ୱଭାବ କବି ଗଙ୍ଗାଧର ମେହେର ଭବନ ନିର୍ମାଣ ପାଇଁ ଭୁବନେଶ୍ୱରର ଚନ୍ଦ୍ରଶେଖରପୁରରେ ଅଧ ଏକର ଜମି ସହିତ ନିର୍ମାଣ ପାଇଁ ୩ କୋଟି ଟଙ୍କା ମଞ୍ଜୁର କରିଥିଲା ବେଳେ କୁଲତା ସମାଜର ଲୋକମାନଙ୍କ ନିମନ୍ତେ ଧର୍ମଶାଳା ନିର୍ମାଣ ପାଇଁ ପୁରୀରେ ୧ ଏକର ଜମି ଏବଂ ୩ କୋଟି ଟଙ୍କା ମଞ୍ଜୁର କରିଛନ୍ତି ।
୨୮ ତାରିଖରେ ଏହି ଦୁଇ ସମାଜର ପ୍ରତିନିଧିଦଳ ନବୀନ ନିବାସରେ ମୁଖ୍ୟମନ୍ତ୍ରୀଙ୍କୁ ପୃଥକ୍ ଭାବେ ଭେଟିଥିଲେ । ନିଖିଳ ଓଡ଼ିଶା ମେହେର(ଭୁଲିଆ) ସମାଜର ପ୍ରତିନିଧିମାନେ ସ୍ୱଭାବ କବିଙ୍କ ସ୍ମୃତିରେ ରାଜଧାନୀରେ ଭବନ ନିର୍ମାଣ ଓ ଶ୍ରାଦ୍ଧ ଶତବାର୍ଷିକୀ ପାଳନ ବିଷୟରେ ଆଲୋଚନା କରିଥିଲେ । ଗଙ୍ଗାଧର ଭବନ ନିର୍ମାଣ ହେଲେ ଦୂରଦୂରାନ୍ତରୁ ଆସୁଥିବା ଛାତ୍ରଛାତ୍ରୀମାନଙ୍କ ପାଠପଢ଼ା ତଥା ଚିକିତ୍ସା ପାଇଁ ଆସୁଥିବା ଲୋକମାନଙ୍କୁ ବିଭିନ୍ନ ସେବା ଯୋଗାଇ ଦିଆଯାଇପାରିବ ବୋଲି ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ।
ସେହିଭଳି କୁଲତା ସମାଜ ପ୍ରତିନିଧିଦଳ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଥିଲେ ଯେ ପ୍ରତିବର୍ଷ କୁଲତା ସମାଜର ଲକ୍ଷାଧିକ ଲୋକ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଦର୍ଶନ ପାଇଁ ପୁରୀ ଆସିଥାନ୍ତି । ସେମାନଙ୍କ ରହଣୀ ଓ ଅନ୍ୟାନ୍ୟ ଧାର୍ମିକ କାର୍ଯ୍ୟକ୍ରମ ନିମନ୍ତେ ଏକ ଧର୍ମଶାଳା ପ୍ରତିଷ୍ଠା ପାଇଁ ଜମି ଯୋଗାଇ ଦିଆଯାଉ । ଏ ଦିଗରେ ତୁରନ୍ତ ପଦକ୍ଷେପ ନେବାକୁ ମୁଖ୍ୟମନ୍ତ୍ରୀ ପୁରୀ ଜିଲ୍ଲା ପ୍ରଶାସନକୁ ନିଦେ୍ର୍ଦଶ ଦେଇଥିଲେ ।
ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇ ଚିଠି ଲେଖିଲେ ଶ୍ରୀକାନ୍ତ ଜେନା: ରାଜ୍ୟ ସରକାରଙ୍କ ଏହି ପଦକ୍ଷେପକୁ ସ୍ୱାଗତ କରିଛନ୍ତି ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀକାନ୍ତ ଜେନା । ମୁଖ୍ୟମନ୍ତ୍ରୀଙ୍କୁ ଏକ ଚିଠିରେ ସେ ଲେଖିଛନ୍ତି- ‘କୁଲତା ସମାଜ’ର ଦାବିକୁ ଗ୍ରହଣ କରି ପୁରୀଠାରେ ୧ ଏକର ଜମି ଓ ୩ କୋଟି ଟଙ୍କା ଦେଇ ଏକ ଧର୍ମଶାଳା ପ୍ରତିଷ୍ଠାନ ନିଷ୍ପତ୍ତି ନେଇଥିବାରୁ ଆପଣଙ୍କୁ ଧନ୍ୟବାଦ । ‘କୁଲତା ସମାଜ’ର ଅନ୍ୟାନ୍ୟ ସମସ୍ୟା ଅର୍ଥାତ ଚାଷ ସମ୍ପର୍କୀୟ ଅନେକ ସମସ୍ୟା ଅଛି ଏବଂ ସେହି ସମାଜର ଛାତ୍ରଛାତ୍ରୀଙ୍କ ପାଇଁ ଉଚ୍ଚଶିକ୍ଷାରେ ତୁରନ୍ତ ସଂରକ୍ଷଣ ବ୍ୟବସ୍ଥା ସହ ଚାକିରି କ୍ଷେତ୍ରରେ ମଧ୍ୟ ସଂରକ୍ଷଣ ଦେବାର ନିଷ୍ପତ୍ତି ନେବେ ବୋଲି ଆଶା କରୁଛି । ତତସହିତ ରାଜ୍ୟର ଅନ୍ୟାନ୍ୟ ‘ସମାଜ’ ପାଇଁ ମଧ୍ୟ ପୁରୀ କିମ୍ବା ଭୁବନେଶ୍ୱରରେ ଜମି ଦେବା ସଙ୍ଗେ ସଙ୍ଗେ ଆବଶ୍ୟକୀୟ ଅର୍ଥ ବ୍ୟବସ୍ଥା କରିବାକୁ ଅନୁରୋଧ ।