ଭୁବନେଶ୍ୱର: ‘ମହିଳା ସଶକ୍ତିକରଣରେ କେନ୍ଦ୍ର ପାଇଁ ଓଡ଼ିଶା ବେଞ୍ଚମାର୍କ ପାଲଟିଛି । ଓଡ଼ିଶାର ମମତା ଯୋଜନାକୁ ୨୦୧୧-୧୨ ରେ କେନ୍ଦ୍ର ଲାଗୁ କରିଥିଲା । ମହିଳା ସଶକ୍ତିକରଣ ପାଇଁ ଏବେ ମିଶନ ଶକ୍ତିକୁ କେନ୍ଦ୍ର ବଜେଟ୍ ରେ ଗୁରୁତ୍ୱ ଦିଆଯାଇଛି । ମୁଁ ଆଶା କରୁଛି ଏହାପରେ ଲୋକସଭା ଓ ବିଧାନସଭାରେ ମହିଳାଙ୍କ ପାଇଁ ସ୍ଥାନ ସଂରକ୍ଷଣ ଲାଗୁ କରିବେ । ଏଥିପାଇଁ ଆମର ଲଢ଼େଇ ଜାରି ରହିବ ।’
ଆଜି ସଂସଦରେ ଉପସ୍ଥାପିତ କେନ୍ଦ୍ର ବଜେଟ୍ ଉପରେ ଏହି ପ୍ରତିକ୍ରିୟା ରଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କେନ୍ଦ୍ର ବଜେଟ୍ ରେ ମିଶନ ଶକ୍ତି ଆବିର୍ଭାବରେ ମୁଖ୍ୟମନ୍ତ୍ରୀ ଆନନ୍ଦବ୍ୟକ୍ତ କରିଛନ୍ତି ।
ବିକାଶ ତ୍ୱରାନ୍ୱିତ ପାଇଁ କ୍ୟାପିଟାଲ ଇନଭେଷ୍ଟମେଣ୍ଟକୁ ମୁଖ୍ୟମନ୍ତ୍ରୀ ସ୍ୱାଗତ କରିଥିବା ବେଳେ କରୋନା ପାଇଁ ଟିକା ବ୍ୟୟବରାଦ, ଆତ୍ମନିର୍ଭର ଭାରତ ପଦକ୍ଷେପକୁ ପ୍ରଶଂସା କରିଛନ୍ତି । ବିତ୍ତୀୟ ନିଅଣ୍ଟ ବଢ଼ାଇ ଅର୍ଥନୀତିକୁ ସବଳ କରିବାର ସାହସିକ ପଦକ୍ଷେପ ଏବଂ ଆତ୍ମନିର୍ଭର ଭାରତ ପାଇଁ ମଧ୍ୟମ ଓ ଦୀର୍ଘ ମିଆଦୀ ଦୂରଦୃଷ୍ଟିକୁ ମୁଖ୍ୟମନ୍ତ୍ରୀ ପ୍ରଶଂସା କରିଛନ୍ତି ।
ଅନ୍ୟପକ୍ଷରେ ପଞ୍ଚଦଶ ଅର୍ଥ କମିଶନରେ ରାଜ୍ୟ ଭାଗ ଟିକସ କମୁଥିବା ନେଇ ମୁଖ୍ୟମନ୍ତ୍ରୀ ଚିନ୍ତାପ୍ରକଟ କରିଛନ୍ତି । ଏହାଦ୍ୱାରା ଚଳିତବର୍ଷ ଓଡ଼ିଶା ୧୦, ୮୦୦ କୋଟି ଟଙ୍କା ହରାଇବ । ଆଗାମୀ ୫ ବର୍ଷରେ ଓଡ଼ିଶାର ଭାଗ ୪.୬୨୯% ରୁ ୪.୫୨୮% କୁ ହ୍ରାସ୍ ପାଇବ ଯାହାକି ରାଜ୍ୟର ଅର୍ଥନୀତି ଉପରେ ଗଭୀର ପ୍ରଭାବ ପକାଇବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।
ଅନ୍ୟ ରାଜ୍ୟମାନଙ୍କ ଭଳି ଓଡ଼ିଶାକୁ ରେଲୱେ ଏବଂ ରାସ୍ତା ନିର୍ମାଣ କ୍ଷେତ୍ରରେ ଅଧିକ ଅନୁଦାନ ଲୋଡ଼ା ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ପେଟ୍ରୋଲ୍, ଡିଜେଲ ଉପରେ ସେସ୍ କେନ୍ଦ୍ର-ରାଜ୍ୟ ବିତ୍ତୀୟ ସମନ୍ୱୟକୁ ଦୁର୍ବଳ କରିବ ବୋଲି କହିଛନ୍ତି । ମହିଳା, ଚାଷୀ ଏବଂ ଏମଏସଏମଇମାନଙ୍କୁ ବ୍ୟାଙ୍କଗୁଡ଼ିକ ଅଧିକ ସହଯୋଗର ହାତ ବଢ଼ାଇବାକୁ ମଧ୍ୟ ଦାବି କରିଛନ୍ତି ନବୀନ ।