ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ ଙ୍କ ପ୍ରଶାସନରେ ଆଉ ଜଣେ ଭାରତୀୟ ବଂଶୋଭବଙ୍କୁ ଶୀର୍ଷ ସ୍ଥାନରେ ଦେଖିବାକୁ ମିଳିଛି । ସେ ହେଉଛନ୍ତି ବିଶିଷ୍ଟ ବୈଜ୍ଞାନିକ ଭବ୍ୟା ଲାଲ୍ । ଆମେରିକାର ମହାକାଶ ଗବେଷଣା ସଂସ୍ଥା ନାସାର ଆକ୍ଟିଂ ଚିଫ୍ ଅଫ୍ ଷ୍ଟାଫ୍ ପଦରେ ତାଙ୍କୁ ନିଯୁକ୍ତି ମିଳିଛି । ପୂର୍ବରୁ ଆମେରିକାର ନବ ନିର୍ବାଚିତ ଉପରାଷ୍ଟ୍ରପତି ଶ୍ରୀମତୀ କମଳା ହାରିସ୍ ଙ୍କ ସମେତ ବାଇଡେନ୍ ଟିମ୍ ରେ ୨୦ ରୁ ଅଧିକ ଭାରତୀୟ ବଂଶୋଭବ ସ୍ଥାନ ପାଇଛନ୍ତି । ବାଇଡେନ୍ ପ୍ରେସିଡେନ୍ସିଆଲ୍ ଟ୍ରାନଜିସନ୍ ଏଜେନ୍ସି ରିଭ୍ୟୁ ଟିମ୍ ସଦସ୍ୟ ଥିଲେ ଭବ୍ୟା ।
ନାସା ସୂତ୍ର ଅନୁଯାୟୀ, ଇଂଜିନିୟରିଂ ଓ ସ୍ପେଶ୍ ଟେକନୋଲୋଜିରେ ଭବ୍ୟା ଲାଲ୍ ଙ୍କର ପ୍ରଚୁର ଅଭିଜ୍ଞତା ରହିଛି । ୨୦୦୫ ରୁ ୨୦୨୦ ପର୍ଯ୍ୟନ୍ତ ଇନଷ୍ଟିଚ୍ୟୁଟ୍ ଅଫ ଡିଫେନ୍ସ ଆନାଲିସସ୍ ସାଇନ୍ସ ଆଣ୍ଡ ଟେକନୋଲୋଜି ପଲିସି ଇନଷ୍ଟିଚ୍ୟୁଟ୍ (ଏସଟିପିଆଇ) ର ରିସର୍ଚ୍ଚ ଷ୍ଟାମ୍ପ୍ ଥିଲେ । ଏହି ପଦରେ ସେ ହ୍ୱାଇଟ୍ ହାଉସ୍ ଅଫିସ୍ ର ସାଇନ୍ସ ଆଣ୍ଡ ଟେକନୋଲୋଜି ପଲିସି ଆଣ୍ଡ୍ ନ୍ୟାସନାଲ୍ ସ୍ପେଶ୍ କାଉନସିଲ୍ ପାଇଁ ଗବେଷଣା, ନୀତି ନିର୍ଦ୍ଧାରଣ ଆଦିର ନେତୃତ୍ୱ ନେଇଥିଲେ । ଏଥିସହ ନାସା, ଆମେରିକାର ପ୍ରତିରକ୍ଷା ବିଭାଗ ଏବଂ ଗୋଇନ୍ଦା ପାଇଁ କାର୍ଯ୍ୟ କରିଥିଲେ ଭବ୍ୟା ।
ଆମେରିକାର ସ୍ପେଶ୍ ଟେକନୋଲୋଜି ଏବଂ ପଲିସି କମ୍ୟୁନିଟିର ଜଣେ ସକ୍ରିୟ ସଦସ୍ୟ ହେଉଛନ୍ତି ଲାଲ୍ । ନ୍ୟାସନାଲ୍ ଏକାଡେମୀ ଅଫ ସାଇନ୍ସର ୫ ଟି ଶକ୍ତିଶାଳୀ କମିଟିରେ ସେ ଅଧ୍ୟକ୍ଷତା କରିଛନ୍ତି ।
ଏସଟିପିଆଇରେ ଯୋଗଦେବା ପୂର୍ବରୁ ଲାଲ୍ ଆମେରିକାର ଏକ ସାଇନ୍ସ ଆଣ୍ଡ ଟେକନୋଲୋଜି ପଲିସି ରିସର୍ଚ୍ଚ ଆଣ୍ଡ କନସଲଟିଂ ଫାର୍ମ ସି-ଏସଟିପିଏସ ଏଲଏଲସି ର ଅଧ୍ୟକ୍ଷ ଥିଲେ । ଏହାପୂର୍ବରୁ ମାସାଚୁଟ୍ ଏବଂ କେମ୍ବ୍ରିଜ୍ ବିଶ୍ୱବିଦ୍ୟାଳୟ ରେ ଅବସ୍ଥିତ ଗ୍ଲୋବାଲ୍ ପଲିସି ରିସର୍ଚ୍ଚ କନସଲଟାନ୍ସି ସଂସ୍ଥାର ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରିଥିଲେ । ମହାକାଶ ଗବେଷଣା କ୍ଷେତ୍ରରେ ତାଙ୍କର ବହୁମୂଲ୍ୟ ଅବଦାନ ପାଇଁ ଇଣ୍ଟରନ୍ୟାସନାଲ୍ ଏକାଡେମୀ ଅଫ ଆଷ୍ଟ୍ରୋନଟିକସ୍ ର କରେସପଣ୍ଡିଂ ମେମ୍ବର ଭାବେ ମନୋନୀତ ହୋଇଥିଲେ ।
ନ୍ୟୁକ୍ଲିୟର୍ ଇଂଜିନିୟରିଂ ଏବଂ ଟେକନୋଲୋଜି ଆଣ୍ଡ ପଲିସିରେ ଭବ୍ୟା ମାସାଚୁଟ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକନୋଲୋଜିରୁ ମାଷ୍ଟର୍ ଡିଗ୍ରୀ ହାସଲ କରିଥିଲା ବେଳେ ପବ୍ଲିକ୍ ପଲିସି ଏବଂ ପବ୍ଲିକ୍ ଆଡମିନିଷ୍ଟ୍ରସନ୍ ରେ ଜର୍ଜ ୱାଶିଂଟନ୍ ୟୁନିଭରସିଟିରୁ ଡକ୍ଟରେଟ୍ ଡିଗ୍ରୀ ହାସଲ କରିଛନ୍ତି ।