ନୂଆଦିଲ୍ଲୀ/ଭୁବନେଶ୍ୱର: ପାରାଦ୍ୱୀପଠାରୁ ବଡ଼ବିଲ୍ ପର୍ଯ୍ୟନ୍ତ ୩୦୦ କିମି ରାସ୍ତାକୁ ୮ ଲେନ୍ କରାଯିବ । ପାରାଦ୍ୱୀପରୁ ଆରମ୍ଭ ହୋଇ ଚଣ୍ଡିଖୋଲ, ଡୁବୁରି, କେନ୍ଦୁଝର, ରେମୁଳି ଦେଇ ବଡ଼ବିଲ୍ ରେ ସରିବ ଏହି ରାସ୍ତା । ଆଜି କେନ୍ଦ୍ରମନ୍ତ୍ରୀ ନୀତିନ୍ ଗଡ଼କରୀ ଏବଂ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ମଧ୍ୟରେ ଏ ସମ୍ପର୍କରେ ଆଲୋଚନା ହୋଇଛି । ପାରାଦ୍ୱୀପ ଠାରୁ ବଡ଼ବିଲ୍ ମଧ୍ୟରେ ଅର୍ଥନୈତିକ କରିଡର ପାଇଁ ମୁଖ୍ୟମନ୍ତ୍ରୀଙ୍କ ପ୍ରସ୍ତାବକୁ କେନ୍ଦ୍ରମନ୍ତ୍ରୀ ଗ୍ରହଣ କରିବା ସହ କାର୍ଯ୍ୟ ତୁରନ୍ତ ଆରମ୍ଭ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଗଡ଼କରୀ-ନବୀନଙ୍କ ମଧ୍ୟରେ ଅନୁଷ୍ଠିତ ବୈଠକରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଉପସ୍ଥିତ ଥିଲେ ।
ପ୍ରସ୍ତାବିତ ପାରାଦ୍ୱୀପ-ବଡ଼ବିଲ୍ ଅର୍ଥନୈତିକ କରିଡ଼ରରେ ରାଜ୍ୟ ସରକାର ପାର୍ଟନର୍ ହେବାକୁ ଇଚ୍ଛୁକ ଏବଂ ଏଥିପାଇଁ ସମସ୍ତ ପ୍ରକାର ସାହାଯ୍ୟ ସହଯୋଗ ଯୋଗାଇ ଦେବେ ବୋଲି ମୁଖ୍ୟମନ୍ତ୍ରୀ ପ୍ରତିଶ୍ରୁତି ଦେଇଥିଲେ । ପ୍ରକଳ୍ପ କାର୍ଯ୍ୟ ତ୍ୱରାନ୍ୱିତ ପାଇଁ କେନ୍ଦ୍ରମନ୍ତ୍ରୀଙ୍କ ସହ ତାଙ୍କର ନିୟମିତ ଦୁଇମାସରେ ଥରେ ଏବଂ କେନ୍ଦ୍ର-ରାଜ୍ୟ ମଧ୍ୟରେ ପ୍ରତି ମାସରେ ଅଫିସରସ୍ତରୀୟ ଆଲୋଚନା ପାଇଁ ମୁଖ୍ୟମନ୍ତ୍ରୀ ପ୍ରସ୍ତାବ ଦେଇଛନ୍ତି ।
ଏତଦବ୍ୟତୀତ ୩୦୦ କିମି ଦୀଘା-ସାତପଡ଼ା କୋଷ୍ଟାଲ୍ ହାଇୱେ ନିର୍ମାଣ ସମ୍ପର୍କିତ ବିଭିନ୍ନ ସମସ୍ୟାର ତୁରନ୍ତ ସମାଧାନ ପାଇଁ ମୁଖ୍ୟମନ୍ତ୍ରୀ କେନ୍ଦ୍ରମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ରାଜ୍ୟ ସରକାର ଆନୁସଙ୍ଗିକ ଅନୁମତି ପ୍ରଦାନ କରିସାରିଥିବାରୁ ତୁରନ୍ତ ଏହା ଆରମ୍ଭ କରିବାକୁ ମୁଖ୍ୟମନ୍ତ୍ରୀ ଅନୁରୋଧ କରିଥିଲେ । କେନ୍ଦ୍ରମନ୍ତ୍ରୀ ଏହାକୁ ଗ୍ରହଣ କରିଛନ୍ତି ।
କେନ୍ଦୁଝର ଜିଲ୍ଲାରେ ନିର୍ମାଣାଧୀନ ଜାତୀୟ ରାଜପଥ ପ୍ରକଳ୍ପଗୁଡ଼ିକର କାର୍ଯ୍ୟ ତୁରନ୍ତ ସାରିବା ଉପରେ ଉଭୟଙ୍କ ମଧ୍ୟରେ ଆଲୋଚନା ହୋଇଥିଲା । ଆଲୋଚନା ଅନୁଯାୟୀ, ଏନଏଚ-୨୦ ଅନ୍ତର୍ଗତ ପାଣିକୋଇଲି-ରେମୁଳି ରାସ୍ତା ପ୍ରାୟତଃ ଶେଷ ହେବା ଉପରେ । ଅସମ୍ପୂର୍ଣ୍ଣ କାର୍ଯ୍ୟ ବର୍ଷେ ଭିତରେ ସମ୍ପୂର୍ଣ୍ଣ ହେବ । ସେହିଭଳି ୪୩ କିମି ରେମୁଳି-କୋଇଡା ୪ ଲେନିଂ ରାସ୍ତା ଏବଂ ୧୦୪ କିମି ସିଙ୍ଗାରା-ବିଂଜବାହାଲ ଏନଏଚ କାର୍ଯ୍ୟ ୨୦୨୧ ଜୁନ୍ ସୁଦ୍ଧା ସରିବ ବୋଲି କେନ୍ଦ୍ରମନ୍ତ୍ରୀ ପ୍ରତିଶ୍ରୁତି ଦେଇଛନ୍ତି ।
ଗୋପାଳପୁର, ସୁବର୍ଣ୍ଣରେଖା, ଅସ୍ତରଙ୍ଗ, ପାରାଦ୍ୱୀପ ଏବଂ ଧାମରା ବନ୍ଦର ସଂଯୋଗୀକରଣ ପ୍ରସଙ୍ଗରେ ମଧ୍ୟ ଆଲୋଚନା ହୋଇଥିଲା । ପ୍ରକଳ୍ପ କାର୍ଯ୍ୟ ତୁରନ୍ତ ଶେଷ କରିବାକୁ ଆବଶ୍ୟକ ପଦକ୍ଷେପ ନିଆଯିବ ବୋଲି ପ୍ରତିଶ୍ରୁତି ମିଳିଥିଲା । ଆଲୋଚନାରେ ଅମପାଣି-ଜୟପୁର ବିଜୁ ଏକ୍ସପ୍ରେସ୍ ୱେ, ଭୁବନେଶ୍ୱର-ପୁରୀ ଏକ୍ସପ୍ରେସ୍ ୱେ ଏବଂ ରାଇପୁର-ବିଶାଖାପାଟଣା ରାସ୍ତା ଉପରେ ଆଲୋଚନା ହୋଇଥିଲା ।
ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ଇନଫ୍ରା ପ୍ରକଳ୍ପ ନେଇ କେନ୍ଦ୍ରମନ୍ତ୍ରୀଙ୍କ ସହ ଆଲୋଚନା ଫଳପ୍ରଦ ହୋଇଥିବାରୁ ମୁଖ୍ୟମନ୍ତ୍ରୀ ଧନ୍ୟବାଦ ଅର୍ପଣ କରିଥିଲେ । ଭର୍ଚୁଆଲ୍ ମୋଡ୍ ରେ ଅନୁଷ୍ଠିତ ଏହି ବୈଠକରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବରିଷ୍ଠ ଅଧିକାରୀ ଏବଂ ଜାତୀୟ ରାଜପଥ ପ୍ରାଧିକରଣ କର୍ତ୍ତୃପକ୍ଷ ଅଂଶଗ୍ରହଣ କରିଥିଲେ ।
ପାରାଦ୍ୱୀପ-ବଡ଼ବିଲ୍ ପ୍ରସ୍ତାବିତ ଅର୍ଥନୈତିକ କରିଡ଼ର ଚଣ୍ଡିଖୋଲ ସମେତ କଳିଙ୍ଗନଗର ଇସ୍ପାତ କ୍ଲଷ୍ଟର୍ ର ବିକାଶ ଏବଂ କେନ୍ଦୁଝରରୁ ଖଣିଜ ଦ୍ରବ୍ୟର ପରିବହନ ପାଇଁ ବଡ଼ ଭୂମିକା ନେବ ବୋଲି ବୈଠକ ପରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଗଣମାଧ୍ୟମକୁ କହିଛନ୍ତି । ସେହିପରି ୯ ହଜାର କୋଟି ଟଙ୍କା ବ୍ୟୟରେ ପ୍ରସ୍ତାବିତ ଦୀଘା-ଗୋପାଳପୁର କୋଷ୍ଟାଲ୍ ହାଇୱେ ପ୍ରକଳ୍ପ କାର୍ଯ୍ୟ ଅନୁଧ୍ୟାନ କରିବାକୁ ମୁଖ୍ୟମନ୍ତ୍ରୀ ପ୍ରତିଶ୍ରୁତି ଦେଇଥିବା ଧର୍ମେନ୍ଦ୍ର କହିଛନ୍ତି ।