ଭୁବନେଶ୍ୱର: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣର ଆଜି ସପ୍ତମ ଦିନରେ ପୁରୀ ଯାଇ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ କରିବା ସହ ଆଶୀର୍ବାଦ ନେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମହାପ୍ରଭୁଙ୍କ ଦର୍ଶନ ପରେ ମୁଖ୍ୟମନ୍ତ୍ରୀ ପରିକ୍ରମା ପ୍ରକଳ୍ପର ପୁନଃ ପ୍ରଦକ୍ଷୀଣ କରିଛନ୍ତି । ୫-ଟି ତଥା ନବୀନ ଓଡ଼ିଶା ଅଧ୍ୟକ୍ଷ ଭି. କାର୍ତ୍ତିକ ପାଣ୍ଡିଆନ୍ ମୁଖ୍ୟମନ୍ତ୍ରୀଙ୍କ ସହିତ ପୁରୀ ଯାଇଥିଲେ ।

ଭକ୍ତମାନଙ୍କୁ ମିଳୁଥିବା ନୂତନ ସୁବିଧା ସୁଯୋଗ ସମ୍ପର୍କର ଅନୁଭୂତି ନେବା ପାଇଁ ମୁଖ୍ୟମନ୍ତ୍ରୀ ଆଜି ପୁଣି ଥରେ ପୁରୀ ଆସିବାକୁ ଇଚ୍ଛା ପ୍ରକାଶ କରିବା ପରେ ପ୍ରଶାସନିକ ତତ୍ପରତା ଦେଖିବାକୁ ମିଳିଥିଲା । ଅପରାହ୍ନ ପ୍ରାୟ ୫ଟାରେ ମୁଖ୍ୟମନ୍ତ୍ରୀ ଶ୍ରୀମନ୍ଦିରରେ ପହଞ୍ଚିଥିଲେ । ମହାପ୍ରଭୁଙ୍କ ଦର୍ଶନ କରି ଓଡ଼ିଶାବାସୀଙ୍କ ଉନ୍ନତି ଓ ମଙ୍ଗଳ କାମନା କରିଥିଲେ । ମହାପ୍ରଭୁଙ୍କ ଦର୍ଶନ ପରେ ପରିକ୍ରମା ପ୍ରକଳ୍ପ ବୁଲିଥିଲେ ମୁଖ୍ୟମନ୍ତ୍ରୀ । ପ୍ରକଳ୍ପର ଭବ୍ୟତା ଓ ଆଧ୍ୟାତ୍ମିକତା ପୂର୍ଣ୍ଣ ପରିବେଶକୁ ଦେଖି ମୁଖ୍ୟମନ୍ତ୍ରୀ ଆନନ୍ଦିତ ହେବା ସହ ସନ୍ତୋଷ ପ୍ରକାଶ କରିଥିଲେ ।

ସୂଚନାଥାଉକି, ଗତ ୧୭ ତାରିଖରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଲୋକାର୍ପଣ କରିଥିଲେ ମୁଖ୍ୟମନ୍ତ୍ରୀ । ଶ୍ରୀମନ୍ଦିରର ସୁରକ୍ଷା, ଯାନିଯାତ୍ରା ଓ ଭକ୍ତମାନଙ୍କ ସୁବିଧା ଦୃଷ୍ଟିରୁ ଏହା ଅତି ଜରୁରୀ ଥିଲା । ମନ୍ଦିର ଚତୁଃପାଶ୍ୱର୍ରେ ୭୫ ମିଟର ପ୍ରଶସ୍ତ ଏହି ପରିକ୍ରମା ପ୍ରକଳ୍ପ ଅତ୍ୟନ୍ତ ଭବ୍ୟ, ସୌନ୍ଦର୍ଯ୍ୟମୟ ହୋଇଛି । ସୁନ୍ଦର ସବୁଜ ପରିବେଶ ସାଙ୍ଗକୁ ଖଣ୍ଡାଲାଇଟ୍ ପଥରର ଆକର୍ଷଣୀୟ କାରିଗରୀ କାର୍ଯ୍ୟ, କ୍ଲୋଜ ରୁମ୍, ସୂଚନା କେନ୍ଦ୍ର, ଆମ୍ପି ଥିଏଟର୍ ଆଦି ଭକ୍ତମାନଙ୍କୁ ସୁବିଧା ଦେବା ସହ ଏକ ଆଧ୍ୟାତ୍ମିକ ପରିବେଶ ପ୍ରଦାନ କରୁଛି ।







