ଭୁବନେଶ୍ୱର: ସାଧାରଣ ନିର୍ବାଚନ ମୁଣ୍ଡ ଉପରେ ସବାର ହୋଇସାରିଥିବା ବେଳେ ଓଡ଼ିଶାରେ ଦୁର୍ବଳ କଂଗ୍ରେସକୁ ସବଳ କରିବା ପାଇଁ ଉଦ୍ୟମ ଆରମ୍ଭ କରିଛନ୍ତି ନୂଆ ପ୍ରଭାରୀ ଡ. ଅଜୟ କୁମାର । ଓଡ଼ିଶା ପାଇଁ ସ୍ୱତନ୍ତ୍ର ରଣନୀତି ଧରି ସେ ଯୁଦ୍ଧକ୍ଷେତ୍ରକୁ ଓହ୍ଲାଇଛନ୍ତି । ଓଡ଼ିଶାରେ ବହୁଧା ଗୋଷ୍ଠୀରେ ବିଭକ୍ତ କଂଗ୍ରେସ ନେତାଙ୍କୁ ଏକାଠି କରିବା ଏବଂ ଅନ୍ୟ ଦଳର ଅସନ୍ତୁଷ୍ଟ ନେତାଙ୍କୁ କଂଗ୍ରେସକୁ ଆଣିବା ତାଙ୍କର ପ୍ରାଥମିକତା ହୋଇଛି । ଏହିକ୍ରମରେ ‘ବିଶୃଙ୍ଖଳିତ’ ଆଚରଣ ପାଇଁ କଂଗ୍ରେସରୁ ତଡ଼ା ଖାଇଥିବା ନେତାଙ୍କ ଉପରେ ସେ ବେଶୀ ଭରସା କରିଛନ୍ତି ।
କଟକ ବାରବାଟୀ ବିଧାୟକ ମହମ୍ମଦ ମୋକିମ୍, ପିସିସିର ପୂର୍ବତନ କାର୍ଯ୍ୟକାରୀ ସଭାପତି ଚିରଞ୍ଜିବୀ ବିଶ୍ୱାଳଙ୍କ ଉପରୁ ନିଲମ୍ବନ ଉଠାଇ ଦିଆଯାଇଛି । ୫ ବର୍ଷ ତଳେ ଦଳରୁ ବହିଷ୍କୃତ କୋରାପୁଟର ପୂର୍ବତନ ବିଧାୟକ କୃଷ୍ଣଚନ୍ଦ୍ର ସଗରିଆଙ୍କୁ ମଧ୍ୟ ଫେରାଇ ଅଣାଯାଇଛି । ଆଜି କଂଗ୍ରେସ ଭବନରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଅଜୟ କୁମାର ଏହି ସୂଚନା ଦେଇଛନ୍ତି । ବିଭିନ୍ନ କାରଣରୁ କଂଗ୍ରେସ ଛାଡ଼ିଥିବା ଅନ୍ୟ ନେତାମାନେ ଦଳକୁ ଫେରି ବିଜେଡି ଓ ବିଜେପି ବିରୋଧରେ ଏକଜୁଟ୍ ହୋଇ ଲଢ଼ିବାକୁ ସେ ଆହ୍ୱାନ ଦେଇଛନ୍ତି । ନିକଟରେ ବିଜେଡି ଛାଡ଼ିଥିବା ପୂର୍ବତନ ମନ୍ତ୍ରୀ ବଳଭଦ୍ର ମାଝୀ ଖୁବଶୀଘ୍ର କଂଗ୍ରେସରେ ଯୋଗଦେବେ ବୋଲି ମଧ୍ୟ ସେ ସଙ୍କେତ ଦେଇଛନ୍ତି ।
ନିକଟରେ ଗମାଙ୍ଗ ପରିବାର କଂଗ୍ରେସକୁ ଫେରି ଆସିଛନ୍ତି । ଗତ ୧୭ ତାରିଖରେ ଦିଲ୍ଲୀ ଏଆଇସିସି କାର୍ଯ୍ୟାଳୟରେ ଅଜୟ ମାକେନ୍ ଏବଂ ଅଜୟ କୁମାରଙ୍କ ଉପସ୍ଥିତିରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ, ମୁଖ୍ୟମନ୍ତ୍ରୀ ତଥା ୯ ଥରର ସାଂସଦ ଗିରିଧର ଗମାଙ୍ଗ, ପତ୍ନୀ ହେମା ଗମାଙ୍ଗ ଏବଂ ପୁଅ ଶିଶିର ଗମାଙ୍ଗ କଂଗ୍ରେସରେ ସାମିଲ ହୋଇଥିଲେ । ବରଗଡ଼ର ପୂର୍ବତନ ସାଂସଦ ସଞ୍ଜୟ ଭୋଇ ମଧ୍ୟ କଂଗ୍ରେସକୁ ଫେରିଛନ୍ତି ।
ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀକାନ୍ତ ଜେନା କଂଗ୍ରେସକୁ ଫେରିବା ନେଇ ମଧ୍ୟ ଜୋର୍ ଚର୍ଚ୍ଚା ହେଉଛି । ବାଲେଶ୍ୱର ଲୋକସଭା ଆସନରୁ ସେ ପୁନର୍ବାର ଲଢ଼ିବେ ବୋଲି କୁହାଯାଉଛି । ତେବେ ଏ ସମ୍ପର୍କରେ ଠୋସ୍ ସୂଚନା ମିଳିପାରିନାହିଁ ।
ସୂଚନାଥାଉକି, ମହମ୍ମଦ ମୋକିମ୍ ଏବଂ ଚିରଞ୍ଜିବୀ ବିଶ୍ୱାଳଙ୍କୁ ଦଳବିରୋଧୀ କାର୍ଯ୍ୟ ଅଭିଯୋଗରେ ଗତ ଜୁଲାଇ ମାସରେ କଂଗ୍ରେସରୁ ନିଲମ୍ବିତ କରାଯାଇଥିଲା । କଟକ ବାରବାଟୀ ବିଧାୟକ ମୋକିମ୍ ଗତ ରାଷ୍ଟ୍ରପତି ନିର୍ବାଚନରେ ଦଳୀୟ ହୁଇପ୍ ଅମାନ୍ୟ କରି ଏନଡିଏ ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କୁ ଭୋଟ ଦେଇଥିଲେ । କଂଗ୍ରେସ ନେତୃତ୍ୱ ତାଙ୍କୁ ଏଥିପାଇଁ କାରଣ ଦର୍ଶାଅ ନୋଟିସ୍ ଜାରି କରିଥିଲେ ମଧ୍ୟ ସେ ଖାତିର କରିନଥିଲେ ।
ଓଲଟି ଝାରସୁଗୁଡ଼ା ଉପନିର୍ବାଚନ ବେଳେ ବିଜେଡି ଓ ବିଜେପି ନେତାମାନେ ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାରରେ ଝାଳନାଳ ହେଉଥିବା ବେଳେ ଏଠି ଭୁବନେଶ୍ୱରରେ ଅସନ୍ତୁଷ୍ଟ କଂଗ୍ରେସିଆଙ୍କ ମେଳି ଦେଖିବାକୁ ମିଳିଥିଲା । ଝାରସୁଗୁଡ଼ା ଉପନିର୍ବାଚନ ପ୍ରଚାରର ଶେଷ ଦିନରେ ନିରଞ୍ଜନ ପଟ୍ଟନାୟକ, ମହମ୍ମଦ ମୋକିମ୍ ଏବଂ ଚିରଞ୍ଜିବୀ ବିଶ୍ୱାଳଙ୍କ ଭଳି ନେତାମାନେ ଭୁବନେଶ୍ୱର ଜୟଦେବଭବନରେ ଏକ କାର୍ଯ୍ୟକ୍ରମର ଆୟୋଜନ କରି ଓଡ଼ିଶାରେ କଂଗ୍ରେସର ସ୍ଥିତିକୁ ତାତ୍ସଲ୍ୟ କରିଥିଲେ । ପିସିସି ନେତୃତ୍ୱ ବିରୋଧରେ ପ୍ରବଳ ବିଷୋଦଗାର କରିଥିଲେ । ଆସନ୍ତା ନିର୍ବାଚନରେ ୧୪୭ ନିର୍ବାଚନମଣ୍ଡଳୀରେ କଂଗ୍ରେସ ପ୍ରାର୍ଥୀ ଦେଇପାରିବନି ବୋଲି କଟାକ୍ଷ କରିଥିଲେ ଚିରଞ୍ଜିବୀ ।
ପିସିସି ଶୃଙ୍ଖଳାଗତ କମିଟି ଏହାକୁ ଗୁରୁତ୍ୱର ସହ ନେବା ପରେ କମିଟିର ସୁପାରିଶ ଆଧାରରେ ଗତବର୍ଷ ଜୁଲାଇ ମାସରେ ମୋକିମ୍ ଏବଂ ଚିରଞ୍ଜିବୀଙ୍କୁ ଦଳରୁ ନିଲମ୍ବନ କରାଯାଇଥିଲା । କୋରାପୁଟର ପୂର୍ବତନ ବିଧାୟକ କୃଷ୍ଣଚନ୍ଦ୍ର ସଗରିଆ ଦଳ ବିରୋଧୀ କାର୍ଯ୍ୟ ଅଭିଯୋଗରେ ୨୦୧୯ ଜାନୁଆରୀ ମାସରେ ଦଳରୁ ବହିଷ୍କୃତ ହୋଇଥିଲେ ।
ନିଲମ୍ବନ ଆଦେଶ ଉଠିବା ପରେ ମହମ୍ମଦ ମୋକିମ୍ ସକ୍ରିୟତା ଦେଖାଇଛନ୍ତି । ସେ କହିଛନ୍ତି, ଦଳରେ ପୁଣି ଥରେ କାମ କରି ମୁଁ ଆନନ୍ଦିତ । ତଥାପି ମୁଁ କେବେ ଦଳ ବିରୋଧୀ କାର୍ଯ୍ୟରେ ଲିପ୍ତ ନ ଥିଲି । ଭବିଷ୍ୟତରେ ଦଳ ମୋତେ ଯେଉଁ ଦାୟିତ୍ୱ ଦେବ ମୁଁ ନିର୍ବାହ କରିବି ବୋଲି ସେ କହିଛନ୍ତି । ଶ୍ରୀ ସଗରିଆ ତାଙ୍କ ପ୍ରତିକ୍ରିୟାରେ ଦଳୀୟ ନେତୃତ୍ୱଙ୍କ ନିର୍ଦ୍ଦେଶ ଅନୁଯାୟୀ କାମ କରିବେ ବୋଲି କହିଛନ୍ତି । ଦଳ ପାଇଁ ସେ ସମ୍ପତ୍ତି ହେବେ ବୋଲି ଦମ୍ଭ ଦେଖାଇଛନ୍ତି ।







