ଭୁବନେଶ୍ୱର: ଦ୍ୱିତୀୟ ଲହର କରୋନା ସଂକ୍ରମଣ ରୋକିବା ଲାଗି ବ୍ୟାପକ ପଦକ୍ଷେପ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ବରିଷ୍ଠ ଅଧିକାରୀ, ଜିଲ୍ଲାପାଳ ଓ ଏସପିମାନଙ୍କ ସହିତ ଭିଡ଼ିଓ କନଫରେନ୍ସିଂ ବୈଠକରେ ସ୍ଥିତି ସମୀକ୍ଷା କଲା ପରେ କୋଭିଡ୍ ପ୍ରୋଟୋକଲ୍ ର କଡ଼ାକଡ଼ି ଅନୁପାଳନ ସହ ସମଗ୍ର ପ୍ରଶାସନିକ କଳକୁ ପୁନର୍ବାର ସଜାଗ କରି ଦେଇଛନ୍ତି । କୋଭିଡ୍ ଅନୁପାଳନକୁ କଡ଼ାକଡ଼ି କରିବା ଲାଗି ରାଜ୍ୟବ୍ୟାପୀ ୧୦ ଦିନ ସ୍ପେଶାଲ୍ ଡ୍ରାଇଭ୍ କରିବାକୁ ମୁଖ୍ୟମନ୍ତ୍ରୀ ପୁଲିସ ଡିଜିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଏଥିସହ ଛତିଶଗଡ଼ରେ ଅଧିକ ସଂକ୍ରମଣ ଦୃଷ୍ଟିରୁ ପଶ୍ଚିମ ଓଡ଼ିଶା ଜିଲ୍ଲାଗୁଡ଼ିକ ପାଇଁ ଅଧିକ ସତର୍କତା ଅବଲମ୍ବନ କରାଯାଇଛି ।
କରୋନା ସଂକ୍ରମଣରୁ ରକ୍ଷା ପାଇବାକୁ ହେଲେ ମାସ୍କ ପିନ୍ଧିବା, ସାମାଜିକ ଦୂରତା ରଖିବା, ବାରମ୍ବାର ହାତ ଧୋଇବା ବାଧ୍ୟତାମୂଳକ । ମାତ୍ର ଏହାର ଅନୁପାଳନରେ ଲୋକମାନେ ଢ଼ିଲା ମାରୁଥିବାରୁ ସଂକ୍ରମଣ ବିପଦ ବଢ଼ୁଛି । କୋଭିଡ କଟକଣା କଡ଼ାକଡ଼ି କରିବାକୁ ପୁଣି ଥରେ ପୁଲିସକୁ ଦାୟିତ୍ୱ ଦିଆଯାଇଛି । ଏଥିପାଇଁ ସାରା ରାଜ୍ୟରେ ୧୦ ଦିନିଆ ସ୍ପେଶାଲ୍ ଡ୍ରାଇଭ୍ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ସବୁଆଡ଼େ ବହୁ ସଂଖ୍ୟାରେ ପୁଲିସ ମୁତୟନ କରିବାକୁ ଡିଜିପିଙ୍କୁ କୁହାଯାଇଛି ।
ବର୍ତ୍ତମାନ ସ୍ଥିତିରେ ଛତିଶଗଡ଼ ସୀମାନ୍ତ ଜିଲ୍ଲାଗୁଡ଼ିକରେ ସଂକ୍ରମଣ ଅଧିକ ହେଉଥିବାରୁ ଗ୍ରାଉଣ୍ଡରେ ସ୍ଥିତି ପରଖି ଜରୁରୀ ପଦକ୍ଷେପ ନେବାକୁ ମୁଖ୍ୟ ଶାସନ ସଚିବ, ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଏବଂ ବିଭାଗୀୟ ବରିଷ୍ଠ ଅଧିକାରୀମାନଙ୍କୁ ମୁଖ୍ୟମନ୍ତ୍ରୀ ଦାୟିତ୍ୱ ଦେଇଛନ୍ତି । ପଶ୍ଚିମ ଓଡ଼ିଶା ଜିଲ୍ଲାଗୁଡ଼ିକରେ କରୋନା ସଂକ୍ରମଣର ମୁକାବିଲା ପାଇଁ ସ୍ୱାସ୍ଥ୍ୟ ଭିତ୍ତିଭୂମି ସଜାଡ଼ିବା ସହ ଆବଶ୍ୟକୀୟ ଡାକ୍ତର, ପାରାମେଡ଼ିକସ୍, ଲାବୋରେଟୋରି ଟେକ୍ନିସିଆନ୍ ଙ୍କୁ ତୁରନ୍ତ ପୁନଃନିଯୁକ୍ତି ଦିଆଯିବ । ଡାକ୍ତରଖାନାଗୁଡ଼ିକର ପର୍ଯ୍ୟାପ୍ତ ବେଡ୍, ଆମ୍ବୁଲାନସ୍ ଏବଂ ଅକ୍ସିଜେନ ମହଜୁଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ରୋଗୀ ଚିକିତ୍ସାରେ କୌଣସି ଅବହେଳାକୁ ବରଦାସ୍ତ କରାଯିବ ନାହିଁ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।
ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ନୂତନ କୋଭିଡ ସଚେତନତା ବାର୍ତ୍ତା ବ୍ୟାପକ ଭାବରେ ପ୍ରଚାର କରାଯିବ । ଜିଲ୍ଲାପାଳମାନେ ପଞ୍ଚାୟତସ୍ତରୀୟ ସଦସ୍ୟ, ମିଶନ ଶକ୍ତି ଗ୍ରୁପ୍ ସହ ଯୋଗାଯୋଗରେ ରହି କୋଭିଡ୍ ସଚେତନତା ଏବଂ ଗାଇଡଲାଇନ୍ ଅନୁପାଳନକୁ ସୁନିଶ୍ଚିତ କରିବେ ।
ଦ୍ୱିତୀୟ ଲହର କୋଭିଡ୍ ସଂକ୍ରମଣ ଅଧିକ ମାରାତ୍ମକ ହୋଇଥିବାରୁ ଏହାକୁ ରୋକା ନ ଗଲେ ପରିସ୍ଥିତି ଭୟଙ୍କର ହେବ ବୋଲି ମୁଖ୍ୟମନ୍ତ୍ରୀ ସମସ୍ତଙ୍କୁ ସତର୍କ କରାଇ ଦେଇଛନ୍ତି । କୋଭିଡ୍ କଟକଣାକୁ ମାନିବା ସହ ସରକାରୀ କଳକୁ ସମ୍ପୂର୍ଣ୍ଣ ସହଯୋଗ କରିବା ପାଇଁ ଜନସାଧାରଣଙ୍କୁ ଅନୁରୋଧ କରିଛନ୍ତି ମୁଖ୍ୟମନ୍ତ୍ରୀ ।
ବୈଠକରେ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର, ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର, ଉନ୍ନୟନ କମିଶନର ପ୍ରଦୀପ କୁମାର ଜେନା, ଡିଜିପି ଶ୍ରୀ ଅଭୟଙ୍କ ସମେତ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।
ମୁଖ୍ୟମନ୍ତ୍ରୀଙ୍କ ସଚିବ(୫-ଟି) ଭି.କେ.ପାଣ୍ଡିଆନ୍ କାର୍ଯ୍ୟକ୍ରମକୁ ସଂଚାଳନ କରିଥିଲେ ।