ଭୁବନେଶ୍ୱର: ପିପିଲି ନିକଟ ତରାକାଜ ଛକରେ ଏକ ପଲସରରେ ଯାଉଥିବା ଦୁଇଜଣ ଯୁବକଙ୍କଠାରୁ ପୁଲିସ ୫୦ ଲକ୍ଷ ଟଙ୍କା ଜବତ କରିବା ସହ ସେମାନଙ୍କୁ ଗିରଫ କରିଛି । ଗିରଫ ଯୁବକଦ୍ୱୟ ପିପିଲି ବିଜେପି ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକଙ୍କ ସହଯୋଗୀ ବୋଲି ଜଣାପଡ଼ିଛି । ଭୋଟରଙ୍କୁ ଟଙ୍କା ଦେବା ପାଇଁ ଏହି ଟଙ୍କା ଆସୁଥିବା ଅନୁମାନ କରାଯାଉଛି ।
ଆଜି ଦିନ ୨ ଟା ବେଳେ ପୁଲିସ ଚେକିଂରେ ଧରାପଡ଼ିଥିଲେ ଏହି ଯୁବକ । ଏକ ନୀଳ ରଙ୍ଗର ପଲସର୍(ଓଆର ୧୩ ଜି ୬୬୭୨) ରେ ସେମାନେ ଭୁବନେଶ୍ୱରରୁ ଆସୁଥିଲା ବେଳେ ପିପିଲି ଟୋଲ୍ ଗେଟ୍ ଠାରେ ପୁଲିସ ଚେକିଂ ସ୍କ୍ୱାଡ୍ ର ସନେ୍ଦହ ନଜର ପଡ଼ିଥିଲା । ସେମାନଙ୍କୁ ଅଟକାଇବାକୁ ଚେଷ୍ଟା କରିଥିଲେ ପୁଲିସ । ମାତ୍ର ଦୁଇ ଯୁବକ ଗାଡ଼ି ନ ଅଟକାଇ ସେଠାରୁ ଖସି ଆସିଥିଲେ । ନିଜେ ଏସଡିପିଓ ଦେବଦତ୍ତ ବରାଳ ଏବଂ ଆଇଆଇସି ଗୌରାଙ୍ଗ ପୃଷ୍ଟି ସେମାନଙ୍କ ପିଛା କରି ତରାକାଜ ଛକ ନିକଟରେ ଧରିଥିଲେ ।
ସେମାନଙ୍କ ପାଖରୁ ମିଳିଥିବା ନାଲି ରଙ୍ଗର ବ୍ୟାଗ୍ ରେ ୨୦ ବିଡ଼ା ୫୦୦ ଟଙ୍କିଆ ନୋଟ୍ ଥିଲା । ସମୁଦାୟ ୫୦ ଲକ୍ଷ ଟଙ୍କା ଥିବା ଯୁବକ ଦ୍ୱୟ ପୁଲିସ ନିକଟରେ ବୟାନ ଦେଇଛନ୍ତି । ତେବେ ଟଙ୍କା କୋଉଠୁ ଆଣିଲେ ଏବଂ କୁଆଡ଼େ ନେଉଥିଲେ ସେ ସମ୍ପର୍କରେ ସ୍ପଷ୍ଟ କରିନାହାନ୍ତି । ପୁଲିସ ସେମାନଙ୍କୁ ଗିରଫ କରି ପଚରାଉଚୁରା ଚଳାଇଛି ।
ଅନ୍ୟପକ୍ଷରେ ଟଙ୍କା ନେଇ ଆସୁଥିବା ଏହି ଦୁଇ ଯୁବକ ପିପିଲି ବିଜେପି ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକଙ୍କ ଖାସ୍ ସହଯୋଗୀ ବୋଲି ଜଣାପଡ଼ିଛି । ଆଶ୍ରିତଙ୍କ ସହ ସେମାନଙ୍କ ଅନ୍ତରଙ୍ଗ ଫଟୋ ସୋସିଆଲ୍ ମିଡ଼ିଆରେ ଘୂରି ବୁଲୁଛି । ଆଶ୍ରିତଙ୍କ ସୋସିଆଲ୍ ମିଡ଼ିଆ ଆକାଉଣ୍ଟ ସେମାନେ ପରିଚାଳନା କରୁଥିବା ଏକ ସୂତ୍ରରୁ ଜଣାପଡ଼ିଛି ।
ଆଜି ପିପିଲି ଏନଏସିରେ ଆଶ୍ରିତ ନିର୍ବାଚନା ପ୍ରଚାର କରୁଥିବା ସମୟରେ ମାତ୍ର ୩୦୦ କିମି ଦୂରରେ ତାଙ୍କର ତଥାକଥିତ ସହଯୋଗୀଙ୍କଠାରୁ ପୁଲିସ ୫୦ ଲକ୍ଷ ଟଙ୍କା ଜବତ କରିଥିବାରୁ ଏହା ହଟଚମଟ ସୃଷ୍ଟି କରିଛି । ଟଙ୍କା କାହାର ତାହା ସ୍ପଷ୍ଟ ହୋଇ ନ ଥିଲେ ମଧ୍ୟ ପୁଲିସ ଚେକିଂରୁ ସେମାନେ ଖସିଯିବାକୁ ଉଦ୍ୟମ କରିଥିବାରୁ ଏହା ଯେ କଳାଟଙ୍କା ଏବଂ ପିପିଲି ନିର୍ବାଚନ ଖର୍ଚ୍ଚ ପାଇଁ ଆସୁଥିଲା ତାହା ସ୍ପଷ୍ଟ ଜଣାପଡୁଛି ।
ଏ ସମ୍ପର୍କରେ ଆଶ୍ରିତଙ୍କଠାରୁ କୌଣସି ପ୍ରତିକ୍ରିୟା ମିଳିନାହିଁ ।
ତେବେ ବିଜେଡ଼ି ଏ ଘଟଣାକୁ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ପାଖକୁ ନେଇଛି । ପିପିଲିରେ ପରାଜୟ ଡର ବିଜେପିକୁ ଏବେଠାରୁ ଘାରିଲାଣି । ତେଣୁ ପ୍ରବଳ ଟଙ୍କା ଜରିଆରେ ଭୋଟରଙ୍କୁ ପ୍ରଭାବିତ କରିବାକୁ ଉଦ୍ୟମ ଆରମ୍ଭ କରିଦେଲାଣି । ମାତ୍ର ପିପିଲିର ସଚେତନ ଭୋଟର ବିଜେପିର ଏହି ଅସାଧୁ ଉଦ୍ୟମରେ ନ ଭଳି ତାହାକୁ ପଣ୍ଡ କରିବେ ବୋଲି ବିଜେଡ଼ି ପକ୍ଷରୁ କୁହାଯାଇଛି ।
ପୁଲିସ ପାଟ୍ରୋଲିଂ କଡ଼ାକଡ଼ି କରିବା ସହ ଏଭଳି ଅସାଧୁ କାରବାର ଉପରେ ରୋକ୍ ଲଗାଇବା ପାଇଁ ବିହିତ ପଦକ୍ଷେପ ନେବା ପାଇଁ ବିଜେଡ଼ି ପ୍ରତିନିଧି ଦଳ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି । ବିଜେଡ଼ି ପ୍ରତିନିଧି ଦଳରେ ଥିଲେ ଡ. ସସ୍ମିତ୍ ପାତ୍ର, ଲେନିନ୍ ମହାନ୍ତି, ସୁଲତା ଦେଓ ଏବଂ ଶ୍ରୀମୟୀ ମିଶ୍ର ।