ପୁରୀ: ଡ୍ରେସ୍ କୋଡ ପ୍ରଚଳନ ପରେ ଶ୍ରୀମନ୍ଦିରରେ ଏବେ ପାନ ଓ ଗୁଟଖା ଉପରେ କଟକଣା । ନୂଆବର୍ଷ ଅର୍ଥାତ୍ ଆସନ୍ତା ଜାନୁଆରୀ ୧ ରୁ ଶ୍ରୀମନ୍ଦିର ପରିସରରେ ଭକ୍ତମାନେ ପାନ କି ଗୁଟଖା ଖାଇପାରିବେ ନାହିଁ । ସେବାୟତ ଓ ଶ୍ରୀମନ୍ଦିର ପ୍ରଶାସନର କର୍ମଚାରୀମାନେ ଏହି କଟକଣାରୁ ବାଦ୍ ପଡ଼ିବେନି । ଶ୍ରୀମନ୍ଦିର ପରିସରରେ ପାନ ଏବଂ ଗୁଟଖା ଉପରେ ସମ୍ପୂର୍ଣ୍ଣ କଟକଣା ଲାଗିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ କୁହାଯାଇଛି ।
ପୂର୍ବରୁ ମଧ୍ୟ ଏଭଳି କଟକଣା ଜାରି ହୋଇଥିଲା । ମାତ୍ର ତାହାକୁ କଡ଼ାକଡ଼ି ଲାଗୁ କରିବାରେ ପ୍ରଶାସନ ବିଫଳ ହୋଇଥିଲା । ଏଥର ଅବଶ୍ୟ ପୂର୍ବ ତ୍ରୁଟିକୁ ସଂଶୋଧନ କରାଯାଇଛି । ଲୋକମାନଙ୍କ ମଧ୍ୟରେ ଏଥିପାଇଁ ସଚେତନତା ସୃଷ୍ଟି କରିବାକୁ ଶ୍ରୀମନ୍ଦିର ପ୍ରଶାସନ ପଦକ୍ଷେପ ନେଇଛି । ଖାଲି ପାନ କି ଗୁଟଖା ବନ୍ଦ ନୁହେଁ, ଫୁଲ ଏବଂ ଭୋଗ ନେବା ପାଇଁ ପଲିଥିନ୍ ବ୍ୟାଗ୍ ବ୍ୟବହାରକୁ ମଧ୍ୟ ନିଷିଦ୍ଧ କରିବାକୁ ନିଷ୍ପତ୍ତି ନିଆଯାଇଛି ।