ଭୁବନେଶ୍ୱର: ପିସିସିର ପୂର୍ବତନ ସାଧାରଣ ସମ୍ପାଦକ ନାରାୟଣ ଜେନା ଆଜି ଶତାଧିକ ସମର୍ଥକଙ୍କ ସହ ବିଜେଡିରେ ମିଶିଛନ୍ତି । ଶଙ୍ଖ ଭବନଠାରେ ଦଳର ଉପସଭାପତି ତଥା ବିଧାୟକ ଦେବୀପ୍ରସାଦ ମିଶ୍ର ଓ ରାଜ୍ୟସଭା ସାଂସଦ ମାନସ ମଙ୍ଗରାଜଙ୍କ ଉପସ୍ଥିତିରେ ସେ ଦଳରେ ଯୋଗ ଦେଇଛନ୍ତି । ବିଜେଡିରେ କଂଗ୍ରେସ କର୍ମୀଙ୍କ ଯୋଗଦାନ ଫଳରେ ତିର୍ତ୍ତୋଲ ନିର୍ବାଚନମଣ୍ଡଳୀରେ ଦଳୀୟ ସଂଗଠନ ଆହୁରି ମଜବୁତ ହେବ ବୋଲି ଶ୍ରୀ ମଙ୍ଗରାଜ କହିଛନ୍ତି ।
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଲୋକାଭିମୁଖୀ କାର୍ଯ୍ୟକ୍ରମ ତଥା ନୀତି ଓ ଆଦର୍ଶରେ ଅନୁପ୍ରାଣିତ ହୋଇ ବିଜେଡିରେ ଯୋଗଦେଉଥିବା ନାରାୟଣ ଜେନା କହିଥିଲେ । ଦଳରେ ଗ୍ରହଣ କରିଥିବାରୁ ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ, ସାଂସଦ ଶ୍ରୀ ମଙ୍ଗରାଜଙ୍କ ସମେତ ସମସ୍ତ ନେତୃବୃନ୍ଦଙ୍କୁ ସେ କୃତଜ୍ଞତା ଜ୍ଞାପନ କରିଥିଲେ ।
ଶ୍ରୀ ଜେନାଙ୍କ ସମର୍ଥକ ତିର୍ତ୍ତୋଲ ଅଞ୍ଚଳର କଂଗ୍ରେସ ନେତା ଅଜୟ କୁମାର ରାଉଳ, ପର୍ଶୁରାମ ଭଟ୍ଟ, ସତ୍ୟଭୂଷଣ ଦାସ, କ୍ଷୀରେଦ ଚନ୍ଦ୍ର ସେଠୀ, ରଶ୍ମିରଞ୍ଜନ ପରିଜା, ସଞ୍ଜୟ ମହାନ୍ତି, ନୃସିଂହ ଚରଣ ଲେଙ୍କା, ଅଶୋକ କୁମାର ସାହୁ, ପ୍ରଫୁଲ୍ଲ ଚନ୍ଦ୍ର ଭଟ୍ଟ, ଶୁଭ୍ରଜିତ୍ ଲେଙ୍କା, ଦେବୀ ପ୍ରସାଦ ରାଉଳ, ଦୀନେଶ ମହାନ୍ତିଙ୍କ ସମେତ ଶତାଧିକ କଂଗ୍ରେସ କର୍ମୀ ବିଜେଡିରେ ସାମିଲ ହୋଇଥିଲେ ।
ସୂଚନାଥାଉକି, ବିଧାୟକ ମହମ୍ମଦ ମୋକିମ୍ ଓ ପୂର୍ବତନ ବିଧାୟକ ଚିରଞ୍ଜୀବ ବିଶ୍ୱାଳଙ୍କ ବିରୋଧରେ ପିସିସି କାର୍ଯ୍ୟାନୁଷ୍ଠାନକୁ ଖୋଲାଖୋଲି ବିରୋଧ କରି ଚର୍ଚ୍ଚାକୁ ଆସିଥିଲେ ତତ୍କାଳୀନ ସାଧାରଣ ସମ୍ପାଦକ ନାରାୟଣ ଜେନା । ଦଳୀୟ ନେତୃତ୍ୱଙ୍କ ଏହି ନିଷ୍ପତ୍ତିକୁ ସେ ଚାଲେଞ୍ଜ କରିଥିଲେ । ଗଣମାଧ୍ୟମରେ ତାଙ୍କର ବୟାନ ଦଳୀୟ ଶୃଙ୍ଖଳା ଭଙ୍ଗ କରୁଥିବା ଦର୍ଶାଇ ଗତ ଜୁଲାଇ ୨୧ ତାରିଖରେ ତାଙ୍କୁ କଂଗ୍ରେସରୁ ବହିଷ୍କାର କରାଯାଇଥିଲା ।







