ଭୁବନେଶ୍ୱର: ମେ’ ୧ ରେ ରାଜ୍ୟରେ ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟା ଥିଲା ୧୦,୪୧୩ । ଆଜି ଆକ୍ରାନ୍ତଙ୍କ ସଂଖ୍ୟା ୧୦,୫୨୧କୁ ବଢ଼ିଛି । କରୋନା ସଂକ୍ରମଣରେ ଆଜି ସୁଦ୍ଧା ଏହା ସର୍ବକାଳୀନ ରେକର୍ଡ । ଏହାକୁ ମିଶାଇ ରାଜ୍ୟରେ କରୋନା ସଂକ୍ରମଣ ୫ ଲକ୍ଷ ପାର୍ କରିଛି । ଏବେ ୮୧,୫୮୫ ଆକ୍ଟିଭ୍ କେସ୍ ଅଛନ୍ତି ।
ସଂକ୍ରମଣରେ କ୍ରମାଗତ ଭାବେ ଭୁବନେଶ୍ୱର(ଖୋର୍ଦ୍ଧା ଜିଲ୍ଲା) ସର୍ବାଗ୍ରେ ରହୁଛି । ଆଜି ଜିଲ୍ଲାରୁ ୧୪୭୭ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେହିଭଳି ସୁନ୍ଦରଗଡ ଜିଲ୍ଲାରୁ ୧୧୮୬ ଏବଂ କଟକ ଜିଲ୍ଲାରୁ ୯୬୩ ଚିହ୍ନଟ ହୋଇଛନ୍ତି ।
ଦ୍ୱିତୀୟ ଲହର କରୋନାରେ ସାରା ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ଏଭଳି ହୁ ହୁ ବଢୁଛି । ଏପ୍ରିଲ୍ ୨୨ରେ ଆକ୍ରାନ୍ତଙ୍କ ସଂଖ୍ୟା ୪ ହଜାରରୁ ୬ ହଜାରକୁ ଡେଇଁଲା । ୨୮ ତାରିଖରୁ ଏହା ୮ ହଜାରକୁ ଡେଇଁଥିଲା । ବିଗତ ଗୋଟେ ସପ୍ତାହ ଧରି ଆକ୍ରାନ୍ତଙ୍କ ସଂଖ୍ୟା ୮ ହଜାରରୁ ୧୦ ହଜାରରେ ସ୍ଥିର ରହିଛି । ମେ’ ଶେଷ ସପ୍ତାହରେ ଏହି ଦୈନିକ ସଂକ୍ରମଣ ୧୫ ହଜାର ଛୁଇଁପାରେ ବୋଲି ବିଶେଷଜ୍ଞମାନେ ଆକଳନ କରୁଛନ୍ତି ।
ଅନ୍ୟପକ୍ଷରେ ଗତ ୨୪ ଘଣ୍ଟାରେ ୧୭ ଜଣ ପ୍ରାଣ ହରାଇଛନ୍ତି । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୪ ଜଣଙ୍କର ମୃତ୍ୟୁ ହୋଇଛି । ବାଲେଶ୍ୱର ଓ ମୟୁରଭଞ୍ଜରୁ ୨ ଜଣ ଲେଖାଏଁ ପ୍ରାଣ ହରାଇଥିଲା ବେଳେ ବୌଦ୍ଧ, ଦେବଗଡ଼, ଝାରସୁଗୁଡ଼ା, କଳାହାଣ୍ଡି, କେଉଁଝର, ନୟାଗଡ଼, ରାୟଗଡ଼ା, ସମ୍ବଲପୁର ଏବଂ ସୁନ୍ଦରଗଡ଼ରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି ।