ଭୁବନେଶ୍ୱର: ଯାହା ଆକଳନ କରାଯାଉଥିଲା ତାହା ହିଁ ଘଟୁଛି । ହୁ ହୁ ହୋଇ ବଢ଼ି ଚାଲିଛି କରୋନା । ରାଜ୍ୟରେ ଦୈନିକ ସଂକ୍ରମଣ ଆଜି ୧୨ ହଜାର ପାର୍ କରିଛି । ଗତ ୨୪ ଘଣ୍ଟାରେ ୧୨,୨୩୮ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏଥିସହ ୧୯ ଜଣଙ୍କର ମୃତ୍ୟୁ ହୋଇଛି । ଦୈନିକ ସଂକ୍ରମଣ ଓ ମୃତ୍ୟୁରେ ଏହା ପୂର୍ବର ସବୁ ରେକର୍ଡକୁ ଭାଙ୍ଗି ଦେଇଛି । ଆଗକୁ ଦୈନିକ ସଂକ୍ରମଣ ୧୭ ହଜାର ଟପିଯିବ ବୋଲି ଅନୁମାନ କରାଯାଉଛି ।
ଦୈନିକ ସଂକ୍ରମଣରେ ଖୋର୍ଦ୍ଧା ଜିଲ୍ଲାକୁ ଆଜି ପଛରେ ପକାଇଛି ସୁନ୍ଦରଗଡ଼ । ଜିଲ୍ଲାରେ ୨୦୭୩ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ୧୮୨୮ ନୂଆ ପଜିଟିଭ୍ ସହ ଖୋର୍ଦ୍ଧା ଜିଲ୍ଲା ଦ୍ୱିତୀୟ ସ୍ଥାନକୁ ଚାଲିଆସିଛି । ଏହାପଛକୁ ରହିଛି କଟକ ଜିଲ୍ଲା । ଜିଲ୍ଲାରୁ ୯୧୬ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । କଳାହାଣ୍ଡିରୁ ୫୮୦, ସମ୍ବଲପୁରରୁ ୫୪୪, ଅନୁଗୁଳରୁ ୪୮୦, ବରଗଡରୁ ୪୭୫ ଏବଂ ବାଲେଶ୍ୱରରୁ ୪୩୭ ନୂଆ ପଜିଟିଭ୍ ଚିହ୍ନଟ ହୋଇଛନ୍ତି ।
ଏମାନଙ୍କୁ ମିଶାଇ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୫ ଲକ୍ଷ ୧୨ ହଜାର ୪୦୦ କୁ ବୃଦ୍ଧି ପାଇଛି । ଗତ ୨୪ ଘଣ୍ଟାରେ ୬,୮୫୪ ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ଏ ପର୍ଯ୍ୟନ୍ତ ମୋଟ ସୁସ୍ଥଙ୍କ ସଂଖ୍ୟା ୪ ଲକ୍ଷ ୨୩ ହଜାର ୨୫୭ରେ ପହଞ୍ଚିଛି । ରାଜ୍ୟରେ ଆକ୍ଟିଭ୍ କେସ୍ ଅଛନ୍ତି ୮୬,୯୫୦ ।
ଅନ୍ୟପକ୍ଷରେ ଗତ ୨୪ ଘଣ୍ଟାରେ ରାଜ୍ୟରେ ୧୯ ଜଣଙ୍କର ପ୍ରାଣ ନେଇଛି କରୋନା । ଗତକାଲି ୧୭ ଜଣଙ୍କର ଜୀବନ ଯାଇଥିଲା ।
ଦେଶରେ ମଧ୍ୟ ଦୈନିକ ସଂକ୍ରମଣ ପୂର୍ବ ରେକର୍ଡ ଭାଙ୍ଗିଛି । ଗତକାଲି ଦୈନିକ ସଂକ୍ରମଣ ୪୧୨,୨୬୨ ଏବଂ ମୃତ୍ୟୁ ସଂଖ୍ୟା ୩୯୮୦ ଥିଲା ବେଳେ ଆଜି ଦୈନିକ ସଂକ୍ରମଣ ୪୧୪,୧୮୮ ଏବଂ ମୃତ୍ୟୁସଂଖ୍ୟା ୩୯୧୫ ରହିଛି ।
ମହାରାଷ୍ଟ୍ରରେ ସର୍ବାଧିକ ୬୨,୧୯୪, କର୍ଣ୍ଣାଟକରେ ୪୯,୦୫୮, କେରଳ ୪୨,୪୬୪, ଉତ୍ତର ପ୍ରଦେଶ ୨୬,୬୨୨, ତାମିଲନାଡୁ ୨୪,୮୯୮, ଆନ୍ଧ୍ର ପ୍ରଦେଶ ୨୧,୯୫୪, ଦିଲ୍ଲୀ ୧୯,୧୩୩ ଏବଂ ପଶ୍ଚିମବଙ୍ଗରେ ୧୮,୪୩୧ ନୂଆ ପଜିଟିଭ୍ ଚିହ୍ନଟ ହୋଇଛନ୍ତି ।