ଭୁୁବନେଶ୍ୱର: ଆଉ ଜଣେ ସାମ୍ବାଦିକଙ୍କ ଜୀବନ ନେଇଛି କରୋନା । ‘ସମ୍ବାଦ’ର ଗଞ୍ଜାମ ଜିଲ୍ଲା ପ୍ରତିନିଧି ପ୍ରଦୀପ ସାହୁଙ୍କର ଆଜି ମୃତ୍ୟୁ ହୋଇଛି । ତାଙ୍କୁ ମାତ୍ର ୪୩ ବର୍ଷ ବୟସ ହୋଇଥିଲା । ପ୍ରଦୀପଙ୍କ ବିୟୋଗ ସାମ୍ବାଦିକମହଲକୁ ପୁଣି ସ୍ତବ୍ଧ କରିଛି ।
ତିନି ସପ୍ତାହ ତଳେ କୋଭିଡ୍ ରେ ଆକ୍ରାନ୍ତ ହୋଇ ପ୍ରଦୀପ ମେଡିକାଲ୍ ରେ ଭର୍ତ୍ତି ହୋଇଥିଲେ । ତେବେ ତାଙ୍କ ସ୍ୱାସ୍ଥ୍ୟାବସ୍ଥାରେ ସୁଧାର ଆସି ନ ଥିଲା । ଅବସ୍ଥା ଗୁରୁତର ହେବାରୁ ଭେଣ୍ଟିଲେଟରକୁ ଚାଲି ଯାଇଥିଲେ । ଦୀର୍ଘ ଦୁଇ ସପ୍ତାହ କାଳ ଭେଣ୍ଟିଲେଟର ରହି ମୃତ୍ୟୁ ସହ ଲଢ଼େଇ କରିବା ପରେ ପ୍ରଦୀପ ହାରିଯାଇଛନ୍ତି ।
ସାମ୍ବାଦିକ ମହଲରେ ପ୍ରଦୀପ ସମସ୍ତଙ୍କର ପ୍ରିୟପାତ୍ର ଥିଲେ । ସମ୍ବାଦ ପ୍ରତିନିଧି ଭାବେ ଗଞ୍ଜାମରେ ଯୋଗଦେବା ପୂର୍ବରୁ ଧରିତ୍ରୀରେ ବହୁ ବର୍ଷ କାମ କରିଥିଲେ । ଖୋର୍ଦ୍ଧା, ପୁରୀ ଓ ଭୁବନେଶ୍ୱରରେ ଦୀର୍ଘଦିନ ଧରି ସାମ୍ବାଦିକତା କାର୍ଯ୍ୟକାଳରେ ସେ ନିଜର ଦକ୍ଷତା ପ୍ରଦର୍ଶନ କରି ସମସ୍ତଙ୍କ ବିଶ୍ୱାସଭାଜନ ହୋଇଥିଲେ । ସେ ଅତ୍ୟନ୍ତ ମେଳାପୀ ଓ ବନ୍ଧୁ ବତ୍ସଳ ଥିଲେ ।
କରୋନାର ଦ୍ୱିତୀୟ ଲହରରେ ପ୍ରଦୀପଙ୍କୁ ମିଶାଇ ଏ ପର୍ଯ୍ୟନ୍ତ ୧୭ ଜଣ ସାମ୍ବାଦିକ ପ୍ରାଣ ହରାଇଲେଣି । ପ୍ରଥମ ଲହରରେ ୪ ଜଣ ସାମ୍ବାଦିକଙ୍କର ଜୀବନ ଯାଇଥିଲା ।