ଭୁବନେଶ୍ୱର: ଦ୍ୱିତୀୟ ଡୋଜ୍ ଅପେକ୍ଷାରେ ଥିବା ଲୋକଙ୍କୁ ଟିକାକରଣରେ ପ୍ରାଥମିକତା ଦିଆଯିବ । ସେମାନଙ୍କ ଛଡ଼ା କୌଣସି ନୂଆ ଲୋକଙ୍କୁ ଏବେ ଟିକା ଦିଆଯିବନି । ଟିକା ଅର୍ଡର ଦିଆଯାଇଛି । ଆସିଲେ ସମସ୍ତଙ୍କୁ ମିଳିବ ବୋଲି ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର କହିଛନ୍ତି ।
ରାଜ୍ୟରେ ୪୫ ବର୍ଷରୁ ଉଦ୍ଧ୍ୱର୍ ବୟସର ମୋଟ ୧ କୋଟି ୧୬ ଲକ୍ଷ ଲୋକ ଅଛନ୍ତି । ଏମାନଙ୍କ ମଧ୍ୟରୁ ୪୩ ଲକ୍ଷ ୫୫ ହଜାର(୩୭.୫%) ଲୋକ ପ୍ରଥମ ଡୋଜ୍ ନେଇସାରିଲେଣି । ୨୩ ଲକ୍ଷ ୪୩ ହଜାର ୯୦୭ ଲୋକଙ୍କ ଦ୍ୱିତୀୟ ଡୋଜ୍ ସମୟ ହୋଇଥିବା ବେଳେ ୫ ଲକ୍ଷ ୯୬ ହଜାର(୨୫%) ଲୋକ ଦ୍ୱିତୀୟ ଡୋଜ୍ ନେଲେଣି । ଆଉ ୧୭ ଲକ୍ଷ ଲୋକ ଦ୍ୱିତୀୟ ଡୋଜ୍ ପାଇବେ ।
ଭୁବନେଶ୍ୱର ମହାନଗର ନିଗମ ଅଞ୍ଚଳରେ ଦିଆଯାଉଥିବା କୋଭାକ୍ସିନ୍ ଟିକା ଦ୍ୱିତୀୟ ଡୋଜ୍ ରେ କିଛି ସମସ୍ୟା ନାହିଁ । ମାତ୍ର ରାଜ୍ୟର ଅନ୍ୟ ଅଞ୍ଚଳ ପାଇଁ ଦିଆଯାଉଥିବା କୋଭିସିଲ୍ଡ ଟିକା ର ଅଭାବ ଅଛି । ତୁରନ୍ତ ୧୫ ଲକ୍ଷ ଡୋଜ୍ ପାଇଁ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରାଯାଇଛି । ୧୫ ତାରିଖ ଭିତରେ ୫/୬ ଲକ୍ଷ ଡୋଜ୍ ଆସିବ । ଏଥିରେ ଦ୍ୱିତୀୟ ଡୋଜ୍ ବାଲାଙ୍କୁ ଅଗ୍ରାଧିକାର ଦିଆଯିବ ବୋଲି ଶ୍ରୀ ମହାପାତ୍ର କହିଛନ୍ତି ।
କୋଭିସିଲ୍ଡ ଟିକାକରଣରେ କରୋନା ପ୍ରଭାବିତ ସହରାଞ୍ଚଳଗୁଡ଼ିକୁ ପ୍ରାଥମିକତା ଦିଆଯିବ । ତେବେ ଏବେ ସମସ୍ତଙ୍କୁ କୋୱିନ୍ ପୋର୍ଟାଲ୍ ରେ ନାଁ ରେଜିଷ୍ଟି୍ର କରିବାକୁ ହେବ । ଗାଁ ଗହଳିରେ ରହୁଥିବା ଲୋକମାନେ ଆଇଟି ବିଭାଗ ଦ୍ୱାରା ଖୋଲିଥିବା କମନ ସର୍ଭିସ୍ ସେଣ୍ଟରରେ ରେଜିଷ୍ଟ୍ରି କରିପାରିବେ ।
ଏସିଏସ୍ ଶ୍ରୀ ମହାପାତ୍ର ଆଉ ଏକ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି । ଯେଉଁମାନେ ଘରୋଇ ହସ୍ପିଟାଲ୍ ରେ ପ୍ରଥମ ଡୋଜ୍ ନେଇଛନ୍ତି ସେମାନେ ସରକାରୀ କେନ୍ଦ୍ରରେ ମାଗଣାରେ ଦ୍ୱିତୀୟ ଡୋଜ୍ ନେଇପାରିବେ । ଲୋକଙ୍କ ସୁବିଧା ପାଇଁ ଆଗକୁ ଘରୋଇ ହସ୍ପିଟାଲରେ ଟିକାକେନ୍ଦ୍ର ଖୋଲାଯିବ । ସେଠାରେ ଟିକା ପାଇଁ ପଇସା ଦେବାକୁ ପଡିବନି । କେବଳ ପ୍ରଶାସନିକ ଖର୍ଚ୍ଚ ବାବଦରେ ୧୦୦ ଟଙ୍କା ଦେବାକୁ ହେବ ।
ବର୍ତ୍ତମାନ ସୁଦ୍ଧା ୯୭% ସ୍ୱାସ୍ଥ୍ୟକର୍ମୀ ପ୍ରଥମ ଡୋଜ୍ ନେଇଛନ୍ତି । ସେମାନଙ୍କ ମଧ୍ୟରୁ ୮୭% ଦ୍ୱିତୀୟ ଡୋଜ୍ ନେଲେଣି । ୯୭% ସମ୍ମୁଖ ଯୋଦ୍ଧା ପ୍ରଥମ ଡୋଜ୍ ନେଇଥିଲା ବେଳେ ୮୫% ଦ୍ୱିତୀୟ ଡୋଜ୍ ନେଲେଣି ।
ଦେଶ ଓ ରାଜ୍ୟରେ କରୋନା ସଂକ୍ରମଣ ଆଜି ଶୀର୍ଷରେ ଛୁଇଁଛି । ସମସ୍ତେ କୋଭିଡ୍ ଗାଇଡଲାଇନ୍ ମାନି ଚଳିବାକୁ ଶ୍ରୀ ମହାପାତ୍ର ଜନସାଧାରଣଙ୍କୁ ନିବେଦନ କରିଛନ୍ତି ।
୧୫ କୋଟିରୁ ଅଧିକ ଫାଇନ୍
ରାଜ୍ୟରେ କୋଭିଡ୍ କଟକଣା ଭାଙ୍ଗିଥିବା ଲୋକଙ୍କଠାରୁ ୧୫ କୋଟିରୁ ଅଧିକ ଟଙ୍କା ଫାଇନ୍ ଆଦାୟ ହୋଇଛି । ମାସ୍କ ପିନ୍ଧି ନ ଥିବାରୁ ୬ କୋଟି ୩୪ ଲକ୍ଷ ଫାଇନ୍ ଆଦାୟ ହୋଇଥିବା ପୁଲିସ ଡିଜି ଶ୍ରୀ ଅଭୟ ସୂଚନା ଦେଇଛନ୍ତି । କୋଭିଡ୍ କଟକଣା ଭାଙ୍ଗିବା ଅଭିଯୋଗରେ ୫୫୩ ଜଣଙ୍କୁ ଗିରଫ କରାଯାଇଥିଲା ବେଳେ ୨୧,୪୦୬ ଗାଡ଼ି ସିଜ୍ ହୋଇଛନ୍ତି । ଏହାଛଡ଼ା ପୁଲିସ ସହଯୋଗରେ ଅନ୍ୟ ରାଜ୍ୟକୁ ୬,୩୫୪ ମେଟ୍ରିକ୍ ଟନ୍ ଅକ୍ସିଜେନ୍ ପଠାଯାଇଥିବା ଡିଜି କହିଛନ୍ତି । କୋଭିଡ୍ ଗାଇଡଲାଇନ୍ ସମସ୍ତେ ଭଲ ଭାବରେ ମାନିବାକୁ ଡିଜି ଜନସାଧାରଣଙ୍କୁ ଅନୁରୋଧ କରିଛନ୍ତି ।