୬୦ ହଜାର ଅନୁସୂଚିତ ଜନଜାତି ଓ ଜାତି ଛାତ୍ରଛାତ୍ରୀଙ୍କୁ ଛାତ୍ର ବୃତ୍ତି
ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ରାଜ୍ୟର ୬୪,୨୧୪ଟି ଆପଦଗ୍ରସ୍ତ ଆଦିମ ଜନଜାତି ପରିବାରକୁ (PVTG) ୫୦୦୦ ଟଙ୍କା ଲେଖାଏଁ ‘ ମୁଖ୍ୟମନ୍ତ୍ରୀଙ୍କ ସ୍ଵତନ୍ତ୍ର କୋଭିଡ ସହାୟତା ‘ ପ୍ରଦାନ କରିଛନ୍ତି । କୋଭିଡର ଦ୍ଵିତୀୟ ଲହରୀରେ ଏହି ଆଦିମ ଜନଜାତି ପରିବାର ମାନଙ୍କୁ ଆର୍ଥିକ ସୁରକ୍ଷା ଦେବା ପାଇଁ ଏହି ସହାୟତା ପ୍ରଦାନ କରାଯାଇଛି । ଏହା ସମସ୍ତଙ୍କ ବ୍ୟାଙ୍କ ଆକାଉଣ୍ଟକୁ ପ୍ରଦାନ କରାଯାଇଛି । ପୂର୍ବରୁ ସେମାନଙ୍କୁ ୨୫୦୦ ଟଙ୍କାର ରାସନ୍ କିଟ୍ ଏବଂ ମଜୁରୀ କ୍ଷତି ଭରଣା ପାଇଁ ୧୪୦୦ ଟଙ୍କା ଲେଖାଏଁ ଦିଆଯାଇଥିଲା ।
ସୂଚନାଯୋଗ୍ୟ ଯେ ରାଜ୍ୟରେ ସମୁଦାୟ ୧୬୭୯ ଟି PVTG ଗାଁ ରହିଛି । କୋଭିଡ ସମୟରେ ରାଜ୍ୟ ସରକାର ମାସ୍କ ସାନିଟାଇଜର ଓ ସାବୁନ ବଣ୍ଟନ ସହିତ ସଙ୍ଗରୋଧ କେନ୍ଦ୍ର ଏବଂ ଟୀକାକରଣକୁ ପ୍ରାଥମିକତା ଦେଇ କୋଭିଡ ପରିଚାଳନା କରୁଛନ୍ତି । PVTG ଜନଜାତି ଙ୍କ ମଧ୍ୟରୁ ୩୧୪ ଜଣ କୋଭିଡ଼ ପୀଡ଼ିତ ହୋଇଥିଲେ ମଧ୍ୟ ଗୋଟିଏ ବି ଜୀବନ ହାନି ହୋଇନାହିଁ ।
ଏହି ଅବସରରେ ଉଦବୋଧନ ଦେଇ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ କହିଛନ୍ତି, ”ମୁଁ ଜାଣେ କାରୋନା ରୋଗ ଯୋଗୁଁ ଗରିବ ଲୋକଙ୍କ ରୋଜଗାର ଉପରେ ବହୁତ ପ୍ରଭାବ ପଢିଛି । ଆପଣମାନଙ୍କ ରୋଜଗାର ଉପରେ ମଧ୍ୟ ବହୁତ ପ୍ରଭାବ ପଡିଛି । ଏ ବିପଦ ସମୟରେ ଆପଣମାନେ ଏକା ନୁହନ୍ତି । ଆପଣଙ୍କ ସାଥିରେ ସରକାର ଅଛନ୍ତି । ଆପଣଙ୍କ କଲ୍ୟାଣ ପାଇଁ ସରକାର କାମ କରୁଛି ।“
ସମସ୍ତେ ସଚେତନ ରହିବାକୁ ଅନୁରୋଧ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ କରୋନା ବିଷୟରେ ଆମେ ବିଶେଷ କିଛି ଜାଣି ନାହୁଁ । ତେଣୁ ଆମକୁ ସାବଧାନ ରହିବାକୁ ହେବ । ମାସ୍କ ପିନ୍ଧିବା , ବାରମ୍ବାର ସାବୁନରେ ହାତ ଧୋଇବା ଓ ଭିଡରୁ ଦୂରରେ ରହିଲେ କାରୋନା ଆମଠାରୁ ଦୂରେଇଯିବ । ତା ସହିତ ସମସ୍ତଙ୍କ ପାଇଁ ଦୁଇ ଡ଼ୋଜ ଟୀକା ଖୁବ ଜରୁରୀ । ସମସ୍ତେ ଟୀକା ନିଅନ୍ତୁ , ନିଜ ପରିବାର , ବନ୍ଧୁ ସମସ୍ତଙ୍କୁ ଟୀକା ନେବାକୁ କୁହନ୍ତୁ ବୋଲି ମୁଖ୍ୟମନ୍ତ୍ରୀ ଅନୁରୋଧ କରିଥିଲେ ।
ସେହିପରି ଏସସି/ଏସଟି ଛାତ୍ରଛାତ୍ରୀଙ୍କ ବୃତ୍ତି ପ୍ରଦାନ କରିଥିଲେ ମୁଖ୍ୟମନ୍ତ୍ରୀ । ୬୦ ହଜାର ଛାତ୍ରଛାତ୍ରୀଙ୍କୁ ଏପ୍ରିଲ, ମେ ଓ ଜୁନ୍ ମାସ ପାଇଁ ଏକକାଳୀନ ପ୍ରାକ୍ ମାଟ୍ରିକ୍ ଛାତ୍ରବୃତ୍ତି ଦିଆଯାଇଥିଲା । ଏହି ଟଙ୍କା ପିଲାମାନଙ୍କ ବାପା ମା’ ଙ୍କ ବ୍ୟାଙ୍କ ଆକାଉଣ୍ଟରେ ସିଧାସଳଖ ଜମା କରାଯାଇଥିଲା । ଝିଅମାନଙ୍କ ପାଇଁ ୨୪୦୦ ଟଙ୍କା ଏବଂ ପୁଅମାନଙ୍କ ପାଇଁ ୨୨୫୦ ଟଙ୍କା ଦିଆଯାଇଛି । ସମୁଦାୟ ୫ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ଏହି ସୁବିଧା ପାଇବେ । କୋଭିଡ୍ ଯୋଗୁଁ ଗତବର୍ଷ ମଧ୍ୟ ଆଗୁଆ ଛାତ୍ରବୃତ୍ତି ପ୍ରଦାନ କରାଯାଇଥିଲା ।
ଏହି ଅବସରରେ ମୁଖ୍ୟମନ୍ତ୍ରୀ ରାୟଗଡା ଓ କଳାହାଣ୍ଡି ଜିଲ୍ଲାର କେତେକ PVTG ପରିବାର ସହିତ ଆଲୋଚନା କରିଥିଲେ । ସେହିପରି ଛାତ୍ରବୃତ୍ତି ପାଇଥିବା ସମ୍ବଲପୁରର ଜ୍ୟୋତି ସିଂ, ବିଦୂସ୍ମିତା ମୁଣ୍ଡା ଏବଂ ମୟୂରଭଞ୍ଜର ସୋନାଲି ସୋରେନ ଓ ପାର୍ବତୀ ସୋରେନଙ୍କ ସହ ମୁଖ୍ୟମନ୍ତ୍ରୀ କଥା ହୋଇଥିଲେ ।
ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି) ଭି.କେ. ପାଣ୍ଡିଆନ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।
ଅନୁସୂଚିତ ଜନଜାତି ଓ ଜାତି ବିଭାଗ ପ୍ରମୁଖ ସଚିବ ଶ୍ରୀମତୀ ରଞ୍ଜନା ଚୋପ୍ରା ସ୍ଵାଗତ ଭାଷଣ ଦେଇଥିଲେ ଓ ଜନଜାତି ନିର୍ଦ୍ଦେଶକ ଧନ୍ୟବାଦ ଅର୍ପଣ କରିଥିଲେ ।
କାର୍ଯ୍ୟକ୍ରମରେ ମନ୍ତ୍ରୀ ଜଗନ୍ନାଥ ସାରକା, ପ୍ରେମାନନ୍ଦ ନାୟକଙ୍କ ସମେତ ମୁଖ୍ୟ ଶାସନ ସଚିବ ଶ୍ରୀ ସୁରେଶ ମହାପାତ୍ର , ଉନ୍ନୟନ କମିଶନର ଶ୍ରୀ ପି କେ ଜେନା ଏବଂ ବିଭିନ୍ନ ବିଭାଗର ପ୍ରମୁଖ ସଚିବ ଓ ସଚିବ ମାନେ ଉପସ୍ଥିତ ଥିଲେ ।