ଭୁବନେଶ୍ୱର: ସମ୍ବିଧାନ ସଂଶୋଧନ ବିଲ୍ ଲୋକସଭାରେ କାଟ୍ ଖାଇଲା ପରେ ରାଜନୀତି ଆହୁରି ସରଗରମ ହୋଇଛି । ବିରୋଧୀ ଦଳମାନେ ମହିଳା ସଂରକ୍ଷଣର ବିରୋଧୀ ବୋଲି ଏନଡିଏ ପ୍ରଚାର କରୁଛି । ଗତକାଲି ରାତିରେ ଦେଶବାସୀଙ୍କୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କଂଗ୍ରେସକୁ ମହିଳା ବିରୋଧୀ ବୋଲି କହିଛନ୍ତି । ଭାରତର ନାରୀ ଶକ୍ତି ବିରୋଧରେ ବିରୋଧୀ ଦଳଙ୍କର ଏହା ଅକ୍ଷମଣୀୟ ପାପ ବୋଲି କହି କ୍ଷୋଭ ପ୍ରକାଶ କରିଥିଲେ । ଏହା ମହିଳାଙ୍କ ମର୍ଯ୍ୟାଦା ପ୍ରତି ବିଶ୍ୱାସଘାତକତା ବୋଲି ପ୍ରଧାନମନ୍ତ୍ରୀ କହିଥିଲେ । ପ୍ରଧାନମନ୍ତ୍ରୀଙ୍କର ଭାଷଣକୁ ବିରୋଧୀ ଦଳ ପକ୍ଷରୁ କଡ଼ା ସମାଲୋଚନା କରାଯାଇଛି । ବିରୋଧୀଙ୍କୁ ଗାଳି କରିବାକୁ ଶ୍ରୀ ମୋଦୀ ପ୍ରଧାନମନ୍ତ୍ରୀ ପଦର ଅପବ୍ୟହାର କରିଛନ୍ତି ବୋଲି ସେମାନେ ଅଭିଯୋଗ କରିଛନ୍ତି । ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ ମିଛ କହିଥିବାରୁ କ୍ଷମା ଦାବି କରିଛନ୍ତି । ୨୦୨୩ ସେପେମ୍ବର ୨୧ରେ ମହିଳା ସଂରକ୍ଷଣ ବିଲ୍ ସଂସଦର ଅନୁମୋଦନ ଲାଭ କରି ଆଇନରେ ପରିଣତ ହୋଇସାରିଛି । ପ୍ରଧାନମନ୍ତ୍ରୀ ସେହି ଆଇନକୁ କାର୍ଯ୍ୟକାରୀ କରିବାରେ ଅସୁବିଧା କେଉଁଠି ବୋଲି ପଚାରିଛନ୍ତି ରାହୁଲ ଗାନ୍ଧୀ ଓ ଅନ୍ୟମାନେ ।
ଏହାକୁ ନେଇ ଜାତୀୟ ରାଜନୀତି ସରଗରମ ଥିବା ବେଳେ ଓଡ଼ିଶାରେ ମଧ୍ୟ କମ୍ପମାନ ଦେଖିବାକୁ ମିଳିଛି । ଏଠାରେ ମୁଖ୍ୟ ବିରୋଧୀ ଦଳ ବିଜେଡି ପ୍ରଥମରୁ ନିଜର ଆଭିମୁଖ୍ୟ ସ୍ପଷ୍ଟ କରିଥିଲା । ମହିଳା ସଂରକ୍ଷଣକୁ ଯୋଡି ସୀମା ନିର୍ଦ୍ଧାରଣ ବିଲ୍ ସପକ୍ଷରେ ନ ଥିଲା । ଏହାଦ୍ୱାରା ଓଡ଼ିଶା ରାଜନୈତିକ ଓ ଆର୍ଥିକ ସ୍ତରରେ କ୍ଷତିଗ୍ରସ୍ତ ହେବ ବୋଲି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ କହିଥିଲେ । ବିଲ୍ କୁ ବିରୋଧ କରିବା ପାଇଁ ସେ ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡ଼ିଥିଲା ବେଳେ ଓଡ଼ିଶାର ସବୁ ବିଜେପି ସାଂସଦମାନେ ଏହା ବିରୋଧରେ ସ୍ୱର ଉଠାଇବାକୁ ଚିଠି ଲେଖିଥିଲେ । ସୁତରାଂ ବିଲ୍ କାଟ୍ ଖାଇବାରେ ନବୀନ ପଟ୍ଟନାୟକଙ୍କ ପ୍ରଭାବ ଜାତୀୟସ୍ତରରେ ଚର୍ଚ୍ଚାର ବିଷୟ ହୋଇଛି । ଏଭଳିସ୍ଥିତିରେ ଆଜି ରାଜ୍ୟ ବିଜେପି କାର୍ଯ୍ୟାଳୟଠାରେ କେନ୍ଦ୍ରୀୟ ନେତ୍ରୀ ସାଂସଦ ବାଂଶୁରି ସ୍ୱରାଜ ଏବଂ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମିଳିତ ଭାବେ ଏକ ସାମ୍ବାଦିକ ସମ୍ମିଳନୀ କରି ନାରୀ ଶକ୍ତି ବନ୍ଦନ ଅଧିନିୟମ ପ୍ରସଙ୍ଗରେ ବିରୋଧୀଙ୍କୁ ନିଶାନା କରିଥିଲେ । ଆଜି ଦିନରେ ମହିଳାମାନେ ସବୁକ୍ଷେତ୍ରରେ ନିଜର ପାରିଦର୍ଶିତା ଦେଖାଇ ପାରିଛନ୍ତି ।୧୪୦ କୋଟି ଜନସଂଖ୍ୟା ବିଶିଷ୍ଟ ଦେଶରେ ଅଧା ହେଉଛନ୍ତି ମହିଳା । ବିଲ୍ ପାସ୍ ହୋଇଥିଲେ ୨୭୨ ମହିଳା ସଂସଦକୁ ନିର୍ବାଚିତ ଯିବାର ସୁଯୋଗ ପାଇଥାନ୍ତେ । ବିରୋଧୀ ଦଳଗୁଡ଼ିକୁ ଏହାକୁ ରୋକି ଭୁଲ୍ କରିଛନ୍ତି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ମୋଦୀ ଯାହା କହିଥାନ୍ତି, ତାହାକୁ ନିଶ୍ଚିତ ଭାବେ କାର୍ଯ୍ୟକାରୀ କରନ୍ତି । ଆଗାମୀ ଦିନରେ କଂଗ୍ରେସ ଏବଂ ସହଯୋଗୀ ଦଳମାନେ ମହିଳାଙ୍କ ଆକ୍ରୋଶର ଶିକାର ହେବେ ବୋଲି ଉଭୟ ଚେତାବନୀ ଦେଇଛନ୍ତି ।
ସେପଟେ ପଞ୍ଚାୟତରୁ ପାର୍ଲିଆମେଣ୍ଟ ଯାଏ ମହିଳା ସଶକ୍ତିକରଣ ପାଇଁ ବିଜେଡି ସବୁବେଳେ ସ୍ୱର ଉଠାଇ ଆସିଛି ବୋଲି ଦଳର ସଭାପତି ନବୀନ ପଟ୍ଟନାୟକ ପ୍ରତିକ୍ରିୟା ଦେଇଛନ୍ତି । ସଂସଦରେ ସମ୍ବିଧାନ ସଂଶୋଧନ ବିଲ୍ କାଟ୍ ପରିପ୍ରେକ୍ଷୀରେ ନବୀନ କହିଛନ୍ତି, ସୀମା ପୁନଃ ନିର୍ଦ୍ଧାରଣ ଜରିଆରେ ରାଜନୈତିକ କ୍ଷମତା ହ୍ରାସ୍ ର ଆମେ ସମ୍ପୂର୍ଣ୍ଣ ବିରୋଧୀ । ମହିଳାମାନଙ୍କ ଅଧିକାର ପାଇଁ କିଏ ଲଢ଼େଇ କରନ୍ତି ତାହା ଓଡ଼ିଶାବାସୀ ଜାଣନ୍ତି । ଓଡ଼ିଶାର ସ୍ୱାର୍ଥ ସହ ବିଜେପି କେମିତି ସାଲିସ କରେ ତାହା ବି ଜାଣନ୍ତି । ବାସ୍ତବରେ ଓଡ଼ିଶା ପ୍ରତି ଅନ୍ୟାୟ ହେଉଥିବା ବେଳେ ଜଣେ ବି ବିଜେପି ସାଂସଦ ସ୍ୱର ନ ଉଠାଇବା ରାଜ୍ୟବାସୀଙ୍କୁ ମର୍ମାହତ କରିଛି । ଓଡ଼ିଶାର ରାଜନୈତିକ କ୍ଷମତା ହ୍ରାସ୍ କୁ ବିଜେପି ସମର୍ଥନ କରିଥିବାରୁ ଦଳର ଅସଲ ଚେହେରା ଧରାପଡ଼ିଛି । ଓଡ଼ିଶାର ସ୍ୱାର୍ଥ ପାଇଁ ବିଜେଡିର ଲଢ଼େଇ ଜାରି ରହିବ ବୋଲି ନବୀନ କହିଛନ୍ତି ।
ନବୀନ ପଟ୍ଟନାୟକଙ୍କ ମନ୍ତବ୍ୟ ଉପରେ ପ୍ରତିକ୍ରିୟା ରଖିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ନବୀନ ବାବୁ ଯାହା କହିଛନ୍ତି ତାହା ଭିତ୍ତିହୀନ ଓ ହାସ୍ୟାସ୍ପଦ । ଧର୍ମେନ୍ଦ୍ର କହିଛନ୍ତି ଯେ ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱାଧୀନ ସରକାର ‘ନାରୀ ଶକ୍ତି ବନ୍ଦନ ଅଧିନିୟମ’ ମାଧ୍ୟମରେ ସଂସଦ ଓ ବିଧାନସଭାରେ ମହିଳାଙ୍କ ପାଇଁ ୩୩ ପ୍ରତିଶତ ସଂରକ୍ଷଣ ସୁନିଶ୍ଚିତ କରିଛନ୍ତି । ଗତ ୧୬ ଓ ୧୭ ତାରିଖରେ ସଂସଦରେ ୧୩୧ତମ ସମ୍ବିଧାନ ସଂଶୋଧନ ବିଲ୍ ଉପରେ ଚର୍ଚ୍ଚା କରିବା ସମୟରେ, ଦେଶର ସବୁ ରାଜ୍ୟ ସମେତ ଓଡ଼ିଶାର ପ୍ରତିନିଧିତ୍ୱ ୫୦ ପ୍ରତିଶତ ବଢ଼ିବ ବୋଲି ଗୃହମନ୍ତ୍ରୀ ଅମିତ୍ ଶାହା ସ୍ପଷ୍ଟ କରିଛନ୍ତି । ଓଡ଼ିଶାର ଲୋକସଭା ଆସନ ସଂଖ୍ୟା ୨୧ରୁ ବୃଦ୍ଧି ପାଇ ୩୨ ହେବ ଏବଂ ତତସହିତ ଅତିକମରେ ୧୧ ଜଣ ମହିଳା ନୂଆ ସାଂସଦ ଭାବେ ଓଡ଼ିଶାରୁ ପ୍ରତିନିଧିତ୍ୱ କରିବାର ସୁଯୋଗ ପାଇବେ । ବର୍ତ୍ତମାନ ଦେଶର ଲୋକସଭା ସିଟ୍ ଆଧାରରେ ଓଡ଼ିଶାର ପ୍ରତିନିଧିତ୍ୱ ୩.୮୭ ପ୍ରତିଶତ ଥିବା ବେଳେ ଏହି ଆସନ ବଢ଼ିଲେ ୩.୯୧ ପ୍ରତିଶତକୁ ବୃଦ୍ଧି ପାଇବ, ଯାହା ଦ୍ୱାରା ଜାତୀୟ ସ୍ତରରେ ଓଡ଼ିଶାର ଭୂମିକା ସୁଦୃଢ଼ ହେବ ।
Continue Reading







