ଭୁବନେଶ୍ୱର: ଓଡ଼ିଶା ଷ୍ଟାଫ୍ ସିଲେକ୍ସନ୍ କମିଶନ ସଦସ୍ୟଙ୍କ ପିଏସ୍ ବିରଞ୍ଚି ନାରାୟଣ ସାହୁ ଆଜି ଗିରଫ ହୋଇ ଝାରପଡ଼ା ଜେଲ୍ ଯାଇଛନ୍ତି । ଗତକାଲି ରାତି ସାଢ଼େ ଦୁଇଟାରେ ତାଙ୍କ ଘରେ ଭିଜିଲାନସ୍ ରେଡ୍ ସରିଥିଲା । ମୋଟ ୩ କୋଟି ୭୯ ଲକ୍ଷ ଟଙ୍କାର ସମ୍ପତ୍ତି ଠାବ କରାଯାଇଛି । ସେଥିମଧ୍ୟରେ ଅଛି ଭୁବନେଶ୍ୱର ନୀଳାଦ୍ରି ବିହାରରେ ଦୁଇମହଲାର ଦୁଇଟି କୋଠା, ଭକ୍ତିବିହାର ଓ ଗୋଡ଼ିବନ୍ଧରେ ଦୁଇଟି କୋଠା, ଭୁବନେଶ୍ୱର, ଖୋର୍ଦ୍ଧା ଓ ପୁରୀରେ ୧୪ ଟି ପ୍ଲଟ୍, ୫୬ ଲକ୍ଷ ଟଙ୍କାର ବୀମା, ଦେଢ଼ କେଜି ସୁନା ଏବଂ ଦୁଇଟି ବ୍ୟାଙ୍କ ଡିପୋଜିଟ୍ ସ୍ଲିପ୍ । କିଛି ପରୀକ୍ଷାର୍ଥୀଙ୍କ ଆଡମିଟ୍ କାର୍ଡ ମଧ୍ୟ ତାଙ୍କ ଘରୁ ଜବତ ହୋଇଛି ।
ତୃତୀୟ ଶ୍ରେଣୀ କର୍ମଚାରୀ ବିରଞ୍ଚି ମାସକୁ ୬୦ ହଜାର ଦରମା ପାଉଥିବା ବେଳେ ତାଙ୍କର ଏତେ ସମ୍ପତ୍ତି ସମସ୍ତଙ୍କୁ ତାଜୁବ କରିଛି । ତାଙ୍କ ମୋଟ ସମ୍ପତ୍ତିର ମୂଲ୍ୟ ଆୟଠାରୁ ୨୬୮% ଅଧିକ ବୋଲି ଭିଜିଲାନସ୍ ଆକଳନରୁ ଜଣାପଡ଼ିଛି ।
ବିରଞ୍ଚିଙ୍କ ବିପୁଳ ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ପଛର ରହସ୍ୟକୁ ନେଇ ଏବେ ସବୁଆଡ଼େ ଚର୍ଚ୍ଚା । ଷ୍ଟାଫ୍ ସିଲେକ୍ସନ୍ କମିଶନ ଦ୍ୱାରା ନିଯୁକ୍ତି ପରୀକ୍ଷାରେ ଦୁର୍ନୀତି ହେଉଛି ବୋଲି ପୂର୍ବରୁ ଅନେକଙ୍କ ମନରେ ଥିବା ଆଶଙ୍କା ଆହୁରି ଦୃଢ଼ୀଭୂତ ହୋଇଛି । ପରୀକ୍ଷା ପଦ୍ଧତିରେ ଜଣେ ପିଏସ୍ ଙ୍କର କୌଣସି ସଂପୃକ୍ତି ନାହିଁ ବୋଲି ଯେତେ ସଫେଇ ଦିଆଗଲେ ମଧ୍ୟ ତାହା ବିଶ୍ୱାସ କରାଯାଇପାରୁନାହିଁ । ତାଙ୍କ ପାଖରୁ ପରୀକ୍ଷାର୍ଥୀମାନଙ୍କ ଆଡମିଟ୍ କାର୍ଡ ମିଳିଥିବାରୁ ଆଉ ବଡ଼ ପ୍ରମାଣର ଆବଶ୍ୟକତା ନାହିଁ ।
ବିରଞ୍ଚି ଅସାଧୁ ଉପାୟରେ ଏତେ ପରିମାଣର ସମ୍ପତ୍ତି ଦିନକରେ ଅର୍ଜିନାହାନ୍ତି । ବର୍ଷ ବର୍ଷ ଧରି ଏଭଳି କାମ କରି ଆସୁଥିବେ । ତେବେ ଏକଥା କେହି ଜାଣିପାରିଲେ ନାହିଁ କେମିତି? ଭିଜିଲାନସ୍ ବିଭାଗ ଏତେ ବିଳମ୍ବରେ ଜାଣିଲା କାହିଁକି?
ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, କମିଶନଙ୍କ ଅଫିସକୁ ଲାଗିଥିଲା ସ୍ପେଶାଲ୍ ବ୍ରାଞ୍ଚଅଫିସ । ସେଠି ବଡ଼ ବଡ଼ ଗୁଇନ୍ଦା ଅଧିକାରୀ କାମ କରୁଥିଲେ ମଧ୍ୟ କାହା କାନରେ ଏହା ବାଜିଲାନି କେମିତି? କି ସମସ୍ତେ ଜାଣି ଚୁପ୍ ରହିଥିଲେ? ଷ୍ଟାଫ୍ ସିଲେକ୍ସନ୍ ପରୀକ୍ଷା ପ୍ରକ୍ରିୟାର ସ୍ୱଚ୍ଛତାକୁ ନେଇ ପୂର୍ବରୁ ବହୁ ଅଭିଯୋଗ ଥିଲା ବେଳେ ପୁଲିସ, ଭିଜିଲାନସ୍ ଏବଂ ସ୍ପେଶାଲ୍ ବ୍ରାଞ୍ଚ ବାବୁମାନେ କ’ଣ କରୁଥିଲେ ବୋଲି ସମସ୍ତେ ପ୍ରଶ୍ନ କରୁଛନ୍ତି ।
ତେବେ ବିରଞ୍ଚି ଏକା ନୁହଁନ୍ତି । ଏଭଳି କାର୍ଯ୍ୟ ଏକା କରିବା ସମ୍ଭବ ବି ନୁହେଁ । ଏଥିରେ ଏକ ବଡ଼ ରାକେଟ୍ କାମ କରୁଛି ଏବଂ ସେମାନଙ୍କ ପଛରେ ବଡ଼ମୁଣ୍ଡ ଥିବା ବି କୁହାଯାଉଛି । ତାହାର ପର୍ଦ୍ଦାଫାସ୍ କରାଯାଇ ଦୋଷୀଙ୍କୁ କଠୋର ଦଣ୍ଡ ଦିଆଯିବା ଦରକାର । ବିପୁଳ ପରିମାଣର ସମ୍ପତ୍ତି ଜବତ ବୋଲି ମିଡ଼ିଆରେ ଜୋରଦାର ପ୍ରଚାର କରାଯାଇ ଭିଜିଲାନସ୍ ବାହାବାରେ ମାମଲାଟି ସୀମିତ ରହି ଗଲେ ଚଳିବ ନାହିଁ ।