ଭୁବନେଶ୍ୱର: ଟୋକିଓ ଅଲମ୍ପିକ୍ସ ଆଜି ଥିଲା ଭାରତ ପାଇଁ ସଫଳତାର ଦିନ । ମହିଳା ସିଙ୍ଗଲ୍ସ ବ୍ୟାଡମିଣ୍ଟନ୍ ରେ ଚୀନ୍ ପ୍ରତିଦ୍ୱନ୍ଦୀଙ୍କୁ ହରାଇ ପିଭି ସିନ୍ଧୁ ବ୍ରୋଞ୍ଚ ପଦକ ହାସଲ କରିଥିଲା ବେଳେ ଭାରତୀୟ ପୁରୁଷ ହକି ଦଳ ସେମିଫାଇନାଲ୍ ଓ ମହିଳା ଦଳ କ୍ୱାର୍ଟର୍ ଫାଇନାଲ୍ ରେ ପ୍ରବେଶ କରିଛି । ଦୀର୍ଘ ୪୧ ବର୍ଷ ପରେ ଭାରତୀୟ ପୁରୁଷ ହକି ଦଳକୁ ଏହି ସଫଳତା ମିଳିଛି ।
ଭାରତୀୟ ପୁରୁଷ ଓ ମହିଳା ହକି ଦଳର ପ୍ରାୟୋଜକ ଥିବା ଓଡ଼ିଶା ପାଇଁ ଏହା ଗର୍ବ ଓ ଗୌରବର ବିଷୟ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟ୍ୱିଟ୍ କରିବା ସହ ଭାରତୀୟ ଟିମ୍ କୁ ଶୁଭେଚ୍ଛା ଜଣାଇଛନ୍ତି ।
ଅଲିମ୍ପିକ୍ସ କ୍ୱାର୍ଟର୍ ଫାଇନାଲ୍ ମ୍ୟାଚ୍ ରେ ଆଜି ବ୍ରିଟେନ୍ କୁ ମୁକାବିଲା କରିଥିଲା ଭାରତ । ଏହି ଉକ୍ରଣ୍ଠାପୂର୍ଣ୍ଣ ମ୍ୟାଚ୍ ରେ ବ୍ରିଟେନ୍ କୁ ୩-୧ ଗୋଲ୍ ରେ ପରାସ୍ତ କରିଥିଲା । ଭାରତର ଦିଲପ୍ରୀତ୍, ଗୁରୁଜନ୍ତ ଓ ହାର୍ଦ୍ଦିକ୍ ଗୋଟିଏ ଲେଖାଏଁ ଗୋଲ୍ ଦେଇଥିଲେ । ଆସନ୍ତା ୩ ତାରିଖରେ ଅନୁଷ୍ଠିତ ହେବାକୁ ଥିବା ସେମି ଫାଇନାଲ୍ ରେ ବେଲିଜିୟମ୍ କୁ ଭେଟିବ ଭାରତୀୟ ହକି ଟିମ୍ ।
ସେମି ଫାଇନାଲ୍ ରେ ପ୍ରବେଶ କରିଥିବା ଭାରତୀୟ ହକି ଟିମ୍ କୁ ମୁଖ୍ୟମନ୍ତ୍ରୀ ଶୁଭେଚ୍ଛା ଜଣାଇବା ସହ ଆଗକୁ ସଫଳତା କାମନା କରିଛନ୍ତି । ମୁଖ୍ୟମନ୍ତ୍ରୀ ଆଜି ଏହି ମ୍ୟାଚ୍ ଟିକୁ ଘରେ ବସି ଦେଖିଥିଲେ ।
ସୂଚନାଯୋଗ୍ୟ, ୨୦୧୮ ମସିହାରୁ ୫ ବର୍ଷ ପାଇଁ ଉଭୟ ପୁରୁଷ ଓ ମହିଳା ହକି ଦଳର ପ୍ରାୟାଜକ ଅଛି ଓଡ଼ିଶା । ଏକ ଜାତୀୟ କ୍ରୀଡ଼ାକୁ ପ୍ରୋତ୍ସାହନ୍ ଦେବାରେ ସମଗ୍ର ଦେଶରେ ଓଡ଼ିଶା ହେଉଛି ଏକମାତ୍ର ରାଜ୍ୟ । ବିଶ୍ୱ ହକି ଦରବାରରେ ଭାରତର ପୂର୍ବ ଗୌରବ ଫେରାଇ ଆଣିବା ପାଇଁ ରାଜ୍ୟ ସରକାର ନିଷ୍ଠା ଓ ପ୍ରତିବଦ୍ଧତା ରଖିଥିବା କୁହାଯାଇଛି । ୨୦୧୮ ରେ ଭୁବନେଶ୍ୱରରେ ପୁରୁଷ ବିଶ୍ୱକପ୍ ହକିର ଆୟୋଜନ କରି ରାଜ୍ୟ ସରକାର ସଫଳ ହୋଇଥିବାରୁ ୨୦୨୩ ବିଶ୍ୱକପ୍ ଆୟୋଜନର ସୁଯୋଗ ମିଳିଛି ।
ଅଲିମ୍ପିକ୍ସ କ୍ୱାର୍ଟର୍ ରେ ଭାରତୀୟ ହକି ଟିମ୍ ର ସଫଳତା ପରେ ମୁଖ୍ୟମନ୍ତ୍ରୀ ଶୁଭେଚ୍ଛା ଜଣାଇଥିବାରୁ ଭାରତୀୟ ହକି ଟିମ୍ ପକ୍ଷରୁ ଭାରତୀୟ ଅଲିମ୍ପିକ୍ ଆସୋସିଏସନ୍ ର ସଭାପତି ନରିନ୍ଦ୍ର ଧ୍ରୁବ ବାତ୍ରା ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ।