ଭୁବନେଶ୍ୱର: ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ କାର୍ଯ୍ୟକାଳ ବର୍ଷେ ବୃଦ୍ଧି ପାଇଛି । ଆସନ୍ତା ଡିସେମ୍ବର ୩୧ ତାରିଖରେ ସେ ଚାକିରି ଜୀବନରୁ ଅବସର ନେଇଥାନ୍ତେ । ମାତ୍ର ରାଜ୍ୟ ସରକାରଙ୍କ ପ୍ରସ୍ତାବକ୍ରମେ ନିଯୁକ୍ତି ସଂକ୍ରାନ୍ତ କେନ୍ଦ୍ର କ୍ୟାବିନେଟ୍ କମିଟି ତାଙ୍କ ଚାକିରି କାଳକୁ ଗୋଟିଏ ବର୍ଷ ବୃଦ୍ଧି କରିଛନ୍ତି । ୨୦୨୫ ଡିସେମ୍ବର ୩୧ ଯାଏଁ ସେ ଚାକିରିରେ ରହିବେ ।
୧୯୯୦ ବ୍ୟାଚ୍ ଓଡିଶା କ୍ୟାଡରର ଆଏଏସ୍ ହେଉଛନ୍ତି ମନୋଜ ଆହୁଜା । ରାଜ୍ୟରେ ନୂଆ ବିଜେପି ସରକାର ଆସିବା ପରେ ୨୦୨୪ ଜୁନ୍ ୨୮ ତାରିଖରେ ତାଙ୍କୁ ମୁଖ୍ୟ ଶାସନ ସଚିବ ଭାବେ ନିଯୁକ୍ତି ମିଳିଥିଲା । ୨୦୧୭ ମସିହାରୁ ସେ କେନ୍ଦ୍ରୀୟ ଡେପୁଟେସନ୍ ରେ ଥିଲେ । କେନ୍ଦ୍ର ସରକାରଙ୍କ କୃଷି ଓ କୃଷକ କଲ୍ୟାଣ ବିଭାଗର ସଚିବ ଭାବେ କାର୍ଯ୍ୟ କରୁଥିଲା ବେଳେ ମୁଖ୍ୟ ଶାସନ ସଚିବ ଭାବେ ଓଡିଶା ପ୍ରତ୍ୟାବର୍ତ୍ତନ କରିଥିଲେ । ରାଜ୍ୟ ସରକାରଙ୍କ ଅନୁରୋଧ ରକ୍ଷା କରି ନିଯୁକ୍ତି ସଂକ୍ରାନ୍ତ କେନ୍ଦ୍ର କ୍ୟାବିନେଟ୍ କମିଟି ତାଙ୍କୁ ଓଡିଶା ଫେରିବାକୁ ଅନୁମତି ଦେଇଥିଲେ ।
ଜଣେ ଦକ୍ଷ ଅଫିସର ଭାବେ ମନୋଜ ଆହୁଜାଙ୍କର ସୁନାମ ରହିଛି । ରାଜ୍ୟ ବିଜେପି ସରକାରଙ୍କ ସହ ତାଳମେଳ ରଖି ପ୍ରଶାସନକୁ କ୍ରିୟାଶୀଳ କରିବାରେ ତାଙ୍କର ଉଦ୍ୟମକୁ ପ୍ରଶଂସା ମିଳୁଛି ।