ଭୁବନେଶ୍ୱର: ବାତ୍ୟା ‘ଜୱାଦ୍’ କୁ ନେଇ ଆସିଲା ଆଶ୍ୱସ୍ତି ଖବର । ଧୀରେ ଧୀରେ ଦୁର୍ବଳ ହେଉଛି ‘ଜୱାଦ୍’ । ଆଗାମୀ ୧୨ ଘଣ୍ଟା ମଧ୍ୟରେ ଏହା ଦୁର୍ବଳ ହୋଇଯିବ । କାଲି ପୁରୀ ଛୁଇଁଲା ବେଳକୁ ବାତ୍ୟା ଦୁର୍ବଳ ହୋଇଯାଇଥିବ । ତେବେ ବର୍ଷାର ପ୍ରକୋପ ରହିବ ବୋଲି ପାଣିପାଗ ଅଫିସ୍ ପକ୍ଷରୁ ସୂଚନା ଦିଆଯାଇଛି ।
ଭୁବନେଶ୍ୱର ପାଣିପାଗ ବିଜ୍ଞାନ କେନ୍ଦ୍ରର ବିଶେଷଜ୍ଞ ଉମାଶଙ୍କର ଦାସ କହିଛନ୍ତି, ଜୱାଦ୍ ଆଗାମୀ ୧୨ ଘଣ୍ଟା ଯାଏଁ ଉତ୍ତର ଦିଗରେ ଗତି କରିବ । ପରେ ଉତ୍ତର ଉତ୍ତର-ପୂର୍ବ ଦିଗକୁ ଗତି ପରିବର୍ତ୍ତନ କରିବ । ପୁରୀ ଉପକୂଳ ଛୁଇଁବା ବେଳକୁ ବାତ୍ୟା ସମ୍ପୂର୍ଣ୍ଣ ଦୁର୍ବଳ ହୋଇ ଗଭୀର ଅବପାତ ରୂପ ନେବ । ଗଭୀର ଅବପାତ ବେଳେ ପବନର ବେଗ ସର୍ବାଧିକ ୭୫ କିମି ହେବ । ଗଭୀର ଅବପାତ ଦୁର୍ବଳ ହୋଇ ପଶ୍ଚିମବଙ୍ଗ ମୁହାଁ ହେବ ବୋଲି ସେ କହିଛନ୍ତି ।
ଆଇଏମଡ଼ି ଡିଜି ମୃତ୍ୟୁଞ୍ଜୟ ମହାପାତ୍ରଙ୍କ ସୂଚନା ଅନୁଯାୟୀ, ଜୱାଦ୍ ଦିଗ ପରିବର୍ତ୍ତନ କରି ଉତ୍ତର ଦିଗରେ ଗତି କରୁଛି । ଏବେ ଘଣ୍ଟା ପ୍ରତି ୪ କିମି ବେଗରେ ଆଗକୁ ବଢ଼ୁଛି । ୧୨ ଘଣ୍ଟା ପରେ ଉତ୍ତର- ଉତ୍ତର ପୂର୍ବ ଦିଗରେ ଗତି କରିବ । ଦିଗ ପରିବର୍ତ୍ତନ କରୁଥିବାରୁ ବାତ୍ୟାର ବେଗ ହ୍ରାସ ପାଇଛି । ଓଡ଼ିଶା ପାଖକୁ ଆସିବା ବେଳକୁ ଆଉ ବାତ୍ୟା ହୋଇ ନ ଥିବ । ଏହାର ପ୍ରଭାବରେ ଆଜି ବର୍ଷା ଜାରି ରହିବ । ଉତ୍ତର ଓଡ଼ିଶାରେ ଆସନ୍ତାକାଲି ବର୍ଷା ସମ୍ଭାବନା ଥିବା ସେ କହିଛନ୍ତି ।