ଭୁବନେଶ୍ୱର: ଧାମନଗର ଉପନିର୍ବାଚନ ମଇଦାନରୁ ହଟିଲେନି ବିଜେଡି ବିଦ୍ରୋହୀ ରାଜେନ୍ଦ୍ର ଓରଫ ରାଜୁ ଦାସ । ଆଜି ପ୍ରାର୍ଥୀପତ୍ର ପ୍ରତ୍ୟାହାରର ଶେଷ ଦିନରେ ତାଙ୍କ ଉପରେ ସମସ୍ତଙ୍କ ନଜର ଥିଲା । ମାତ୍ର ସେ ନିଷ୍ପତ୍ତି ବଦଳାଇନାହାନ୍ତି । ତାଙ୍କୁ ମିଶାଇ ଉପନିର୍ବାଚନ ମଇଦାନରେ ୫ ଜଣ ପ୍ରାର୍ଥୀ ଅବତୀର୍ଣ୍ଣ ହୋଇଛନ୍ତି । ବିଜେଡ଼ିରୁ ଅବନ୍ତୀ ଦାସ, କଂଗ୍ରେସରୁ ବାବା ହରେକୃଷ୍ଣ ସେଠୀ, ବିଜେପିରୁ ସୂର୍ଯ୍ୟବଂଶୀ ସୂରଜ ପ୍ରାର୍ଥୀ ହୋଇଥିବା ବେଳେ ପବିତ୍ର ମୋହନ ଦାସ ଏବଂ ରାଜେନ୍ଦ୍ର କୁମାର ଦାସ ସ୍ୱାଧୀନ ପ୍ରାର୍ଥୀ ରହିଛନ୍ତି ।
ବିଜେଡି ବିଦ୍ରୋହୀ ପ୍ରାର୍ଥୀ ରାଜୁ ଦାସଙ୍କ ପାଇଁ ଧାମନଗର ଉପନିର୍ବାଚନ ମାହୋଲ ଆରମ୍ଭରୁ ସରଗରମ ହୋଇଥିବା ବେଳେ ତାଙ୍କର ପୂର୍ବ ଦୁଇ ଚିଠି ଭଳି ଷ୍ଟାର୍ ପ୍ରଚାରକ ତାଲିକା ମଧ୍ୟ ଆଜି ସୋସିଆଲ୍ ମିଡ଼ିଆରେ ଭାଇରାଲ୍ ହୋଇଛି । ରାଜୁଙ୍କ ଷ୍ଟାର୍ ପ୍ରଚାରକ ତାଲିକାରେ ମା’ ବାପା, ଗୁରୁଜନ, ବୁର୍ଜୁଗ, ଚାଚା, ଚାଚି, ଗରିବ ଖଟିଖିଆ, କୃଷକଭାଇ, ଭାଇ ଓ ଭଉଣୀ ଏବଂ ସାଧାରଣ ଜନତା ଅଛନ୍ତି । ଏହିମାନେ ହର୍ତା କର୍ତା ଦଇବ ବିଧାତା ବୋଲି ରାଜୁ ଏଥିରେ ଲେଖିଛନ୍ତି ।








