ଭୁବନେଶ୍ୱର: ଓଡ଼ିଶାକୁ ଆଉ ଏକ ବାତ୍ୟା ବିପଦର ସମ୍ଭାବନା ସୃଷ୍ଟି ହୋଇଛି । ସମ୍ଭାବ୍ୟ ବାତ୍ୟାକୁ ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ଦକ୍ଷିଣ ପୂର୍ବ ବଙ୍ଗୋପସାଗରେ ଏବେ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି । ପରବର୍ତ୍ତୀ ୪୮ ଘଣ୍ଟାରେ ଏହା ଲଘୁଚାପରେ ପରିଣତ ହେବ । ୨୨ ତାରିଖ ବେଳକୁ ଲଘୁଚାପଟି ଅବପାତରେ ପରିଣତ ହୋଇପାରେ । ପରବର୍ତ୍ତୀ ସମୟରେ ଅଧିକ ଘନୀଭୂତ ହୋଇ ବାତ୍ୟାର ରୂପ ନେଇପାରେ ବୋଲି ପାଣିପାଗ ଅଫିସ ପୂର୍ବାନୁମାନ କରିଛି । ବାତ୍ୟା କେବେ ଓ କେଉଁଠି ସ୍ଥଳଭାଗ ଛୁଇଁବ ୨୨ ପରେ ଚିତ୍ର ସ୍ପଷ୍ଟ ହେବ ।
ଆଇଏମଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ରଙ୍କ ସୂଚନା ଅନୁଯାୟୀ ୨୨ ତାରିଖ ପରେ ଅବପାତଟି ବାତ୍ୟା ରୂପ ନେଇପାରେ । ବାତ୍ୟାଟି କେଉଁ ରାଜ୍ୟ ଦେଇ ଯିବ ବା ନ ଯିବ ତାହାର ଆକଳନ ହୋଇନି । ଲଘୁଚାପରେ ପରିଣତ ହେଲା ପରେ ଅଧିକ ସ୍ପଷ୍ଟତା ଆସିବ । ୨୨ ତାରିଖରେ ବାତ୍ୟା ରୂପ ନେଲା ବେଳକୁ ଏହା ସମୁଦ୍ରରେ ଥିବ । ଏହା କେଉଁ ଦିଗରେ ଯିବ, ତୀବ୍ରତା କେତେ ହେବ ତାହା ପୂର୍ବାନୁମାନ ହୋଇନି । ଲଘୁଚାପ ବା ଅବପାତ ହେଲା ପରେ ବାତ୍ୟାର ଗତିପଥ ସ୍ପଷ୍ଟ ହେବ ।
ଭୁବନେଶ୍ୱର ପାଣିପାଗ କେନ୍ଦ୍ରର ବିଶେଷଜ୍ଞ ଉମାଶଙ୍କର ଦାସଙ୍କ ସୂଚନା ଅନୁଯାୟୀ, ସୃଷ୍ଟ ଘୂର୍ଣ୍ଣିବଳୟ ଆଗାମୀ ୪୮ ଘଣ୍ଟା ମଧ୍ୟରେ ଲଘୁଚାପ କ୍ଷେତ୍ରରେ ପରିଣତ ହେବାର ସମ୍ଭାବନା ରହୁଛି । ଦକ୍ଷିଣ ପୂର୍ବ ବଙ୍ଗୋପସାଗର ଅଞ୍ଚଳରେ ଏହି ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇ ପଶ୍ଚିମ ଉତ୍ତର ପଶ୍ଚିମ ଦିଗରେ ଗତି କରିବ ।୨୨ ତାରିଖ ବେଳକୁ କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ପହଞ୍ଚିଲା ବେଳକୁ ଏହା ଅବପାତ ବା ଡିପ୍ରେସନ୍ ର ରୂପ ନେବାର ସମ୍ଭାବନା ରହୁଛି । ପରବର୍ତ୍ତୀ ସମୟରେ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ଏହା ସାମୁଦ୍ରିକ ଝଡ଼ ବା ବାତ୍ୟାର ରୂପ ନେବା ସମ୍ଭାବନା ରହୁଛି ।
ତେବେ ୨୩ ତାରିଖ ପର୍ଯ୍ୟନ୍ତ ଓଡ଼ିଶାରେ ବର୍ଷାର ବିଶେଷ ପ୍ରଭାବ ନାହିଁ । ତେବେ ହାଲୁକା ଓ ମଧ୍ୟମ ଧରଣର ବର୍ଷା ଲାଗି ରହିବ । ୨୨ ତାରିଖ ବେଳକୁ ପଶ୍ଚିମ କେନ୍ଦ୍ରୀୟ ଓ ଉତ୍ତର ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳର ଗଭୀର ସମୁଦ୍ର ଭିତରକୁ ନ ଯିବା ପାଇଁ ମତ୍ସ୍ୟଜୀବୀମାନଙ୍କୁ ପରାମର୍ଶ ଦିଆଯାଇଛି ।
ଏଣେ ସମ୍ଭାବ୍ୟ ବାତ୍ୟାକୁ ନେଇ ରାଜ୍ୟ ସରକାର ସତର୍କ ହୋଇଯାଇଛନ୍ତି । ସ୍ୱତନ୍ତ୍ର ରିଲିଫ କମିସନର ଏକ ଜରୁରୀ ବୈଠକ ଡାକି ସମ୍ଭାବ୍ୟ ପ୍ରଭାବିତ ଜିଲ୍ଲାର ଜିଲ୍ଲାପାଳମାନଙ୍କୁ ଆଲର୍ଟ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି । କର୍ମଚାରୀଙ୍କ ଛୁଟି ବାତିଲ କରାଯାଇଛି ଏବଂ ସମସ୍ତେ ହେଡକ୍ୱାର୍ଟରରେ ରହିବାକୁ ନିଦେ୍ର୍ଦଶ ଜାରି ହୋଇଛି ।