ଭୁବନେଶ୍ୱର: କଂଗ୍ରେସ ନେତା ସତ୍ୟ ପ୍ରକାଶ ନାୟକ ଦଳୀୟ ପଦବୀରୁ ଇସ୍ତଫା ଦେଇଛନ୍ତି । ସେ ପିସିସି ସାଧାରଣ ସମ୍ପାଦକ ପଦବୀ ସହ ଦଳର ମିଡିଆ ସେଲ୍ ଆବାହକ ଦାୟିତ୍ୱରେ ଥିଲେ । ପ୍ରଦେଶ କଂଗ୍ରେସ କମିଟିର ନବଗଠିତ ୪୨୭ ଜଣିଆ ସଦସ୍ୟ ତାଲିକାରେ ତାଙ୍କ ନାଁ ନ ଥିବାରୁ ସେ କ୍ଷୁବ୍ଧ ହୋଇଛନ୍ତି । ତାଙ୍କର ସାଂଗଠନିକ ଓ ମିଡିଆ ଅଭିଜ୍ଞତା ପିସିସି ପାଇଁ ଆବଶ୍ୟକତା ନ ଥିବା ଅନୁଭବ କରି ସେ ଏହି ପଦବୀରୁ ଇସ୍ତଫା ଦେଉଥିବା ଗଣମାଧ୍ୟମକୁ କହିଛନ୍ତି । ସେ ତାଙ୍କ ଇସ୍ତଫାପତ୍ର ପିସିସି ସଭାପତି ଶରତ ପଟ୍ଟନାୟକ ଏବଂ ପ୍ରଭାରୀ ଡ. ଚେଲ୍ଲା କୁମାରଙ୍କୁ ପାଖକୁ ପଠାଇ ଦେଇଛନ୍ତି ।
ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ନାୟକ କହିଛନ୍ତି, ଭାରତୀୟ ଜାତୀୟ କଂଗ୍ରେସର ଅଧ୍ୟକ୍ଷ ନିର୍ବାଚନ ଗତକାଲି ଅନୁଷ୍ଠିତ ହୋଇଥିଲା । ଏଥିରେ ଅଂଶଗ୍ରହଣ କରିବା ପାଇଁ ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ସଦସ୍ୟମାନଙ୍କର ଏକ ତାଲିକା ପ୍ରସ୍ତୁତ ହୋଇଥିଲା । ଏଥିରେ ୪୨୭ ଜଣ ସ୍ଥାନ ପାଇଥିଲେ । ଏହି ସଦସ୍ୟମାନଙ୍କ ପାଇଁ ମାପକାଠି ଥିଲା କଂଗ୍ରେସ କାର୍ଯ୍ୟରେ ଅବଦାନ ଓ ଉପଯୋଗିତା । ମାତ୍ର ଏହି ତାଲିକାରେ ତାଙ୍କ ନାଁ ନ ଥିଲା ।
ଏକାସାଙ୍ଗରେ ପ୍ରଦେଶ କଂଗ୍ରେସ କମିଟିର ସାଧାରଣ ସମ୍ପାଦକ, ମିଡିଆ ସେଲ୍ ଆବାହକ ଏବଂ ପୁରୀ ଲୋକସଭା ନିର୍ବାଚନମଣ୍ଡଳୀ ନେତା ହୋଇଥିବା ସତ୍ତ୍ୱେ ପିସିସି ସଦସ୍ୟ ତାଲିକାରେ ତାଙ୍କ ନାଁ ରଖାଯାଇ ନ ଥିବାରୁ ମତଦାନ କରିପାରି ନ ଥିଲେ । ତାଙ୍କର ଅବଦାନ ଓ ଅଭିଜ୍ଞତା ଦଳ ପାଇଁ ଆବଶ୍ୟକ ନ ଥିବା ସେ ଅନୁଭବ କରିଛନ୍ତି । ସୁତରାଂ ଉଭୟ ପଦବୀରୁ ଇସ୍ତଫା ଦେଇଥିବା କହିଛନ୍ତି । ତେବେ ସେ କଂଗ୍ରେସ ଦଳ ଛାଡ଼ି ନ ଥିବା ସ୍ପଷ୍ଟ କରିଛନ୍ତି । ସେ କଂଗ୍ରେସରେ ଭଲ ଭାବ ରେ ଅଛନ୍ତି ବୋଲି କହିଛନ୍ତି ।