ଭୁବନେଶ୍ୱର: ବାଲେଶ୍ୱରର ପୂର୍ବତନ ସାଂସଦ ରବୀନ୍ଦ୍ର ଜେନା ବ୍ୟକ୍ତିଗତ କାରଣ ଦର୍ଶାଇ ଗତକାଲି ବିଜେଡିରୁ ଇସ୍ତଫା ଦେଇଛନ୍ତି । ମାତ୍ର ତାହା ଅପ୍ରତ୍ୟାଶିତ ନ ଥିଲା । ସେ ବିଜେଡି ଛାଡୁଛନ୍ତି ବୋଲି ବହୁ ଆଗରୁ ଜଣାଥିଲା । ରାଜ୍ୟସଭା ନିର୍ବାଚନରେ ନବୀନ ପଟ୍ଟନାୟକଙ୍କୁ ପାନେ ଦେବା ପାଇଁ ହୋଇଥିବା ଷଡ଼ଯନ୍ତ୍ରରେ ସେ ଗୁଣ୍ଡୁଚି ମୂଷା ହୋଇଛନ୍ତି । ତାଙ୍କ ବିଧାୟିକା ପତ୍ନୀ ସୁବାସିନୀ ଜେନା ସମ୍ଭବତଃ ବିଦ୍ରୋହୀ ତାଲିକାରେ ଯୋଡି ହେବେ । ଏଥିପାଇଁ ସୁଚିନ୍ତିତ ରଣନୀତି ପ୍ରସ୍ତୁତ ସରିଛି । କେବଳ କାର୍ଯ୍ୟକାରୀ କରାଯିବ ।
ଗମ୍ଭୀର କଥା ହେଉଛି ଯେ ଏହି ରଣନୀତି ଚତୁର୍ଥ ଆସନରେ ଆଉ ସୀମିତ ନାହିଁ । ଏହା ତୃତୀୟ ଆସନ ଆଡକୁ ପଳେଇ ଆସିଛି । ଅର୍ଥାତ ବିଜେଡି ପ୍ରାର୍ଥୀ ଡ. ସଂତୃପ୍ତ ମିଶ୍ରଙ୍କୁ ହରାଇବା ପାଇଁ ଦଳ ଭିତରୁ ଆରମ୍ଭ ହୋଇଛି ଭୟଙ୍କର ଖେଳ । ତାଙ୍କର ବିଜୟ ପାଇଁ ବିଜେଡି ପାଖରେ ସଂଖ୍ୟାର ଅଭାବ ନ ଥିଲେ ମଧ୍ୟ ସଂତୃପ୍ତଙ୍କ ବିଜୟ ବାଟ ରୋକିବା ପାଇଁ କିଛି ବି ହୋଇପାରେ । ସେହି ଆଭାସ ପାଇବା ପରେ ଦଳ ମୁଖିଆ ନବୀନ ପଟ୍ଟନାୟକ ବିବ୍ରତ ହୋଇପଡ଼ିଛନ୍ତି । ଡ. ମିଶ୍ରଙ୍କ ନିଦ ହଜିଯାଇଛି । ନିଜର ବିଜୟ ପାଇଁ ସଂତୃପ୍ତ ସନ୍ଦିହାନ ହୋଇପଡ଼ିଥିବା ବିଶ୍ୱସ୍ତ ସୂତ୍ରରୁ ଜଣାପଡ଼ିଛି । ଏଥିପାଇଁ ଅତି ବିଶ୍ୱସ୍ତ ୩୫ ପ୍ରଥମ ପସନ୍ଦ ଭୋଟ ଉପରେ ନଜର କେନ୍ଦ୍ରୀଭୂତ କରିବାକୁ ବାଧ୍ୟ ହୋଇଛନ୍ତି । ଦଳୀୟ ବିଧାୟକଙ୍କ ଘରକୁ ଘର ବୁଲି ଭୋଟ ପ୍ରାର୍ଥନା କରୁଛନ୍ତି ।
ବିଶ୍ୱସ୍ତ ସୂତ୍ରର ଖବର ଅନୁଯାୟୀ, ଦଳ ଭୋଟ ଦଳ ସପକ୍ଷରେ ରଖିବା ନବୀନଙ୍କ ପାଇଁ ଏବେ ପ୍ରାଥମିକତା ହୋଇଛି । ଏଥିପାଇଁ ନବୀନ ନିବାସ ଓ ଶଙ୍ଖ ଭବନରେ ଜୋରଦାର କସରତ ଚାଲିଛି । ତିନି ଦିନ ତଳେ ବିଜେଡି ବିଧାୟକମାନଙ୍କୁ ମହାପ୍ରସାଦ ଖୁଆଇ ଶପଥ ଦିଆଯାଇଥିଲା । ରବି ଜେନାଙ୍କ ପତ୍ନୀ ସୁବାସିନୀ ମଧ୍ୟ ଶପଥ ନେଇଥିଲେ । ହେଲେ ବିଜେଡ଼ି ନିଷ୍ପତ୍ତି ପଛରେ ରହିବେ ବୋଲି ଗଣମାଧ୍ୟମ ଆଗରେ କିନ୍ତୁ ଦୃଢ଼ତା ଦେଖାଇ ନ ଥିଲେ । ଏବେ ସ୍ୱାମୀ ସଦଳବଳେ ବିଜେଡିରୁ ଇସ୍ତଫା ଦେବା ପରେ ତାଙ୍କର ଭୂମିକା କ୍ରମଶଃ ସ୍ପଷ୍ଟ ହେବାରେ ଲାଗିଲାଣି । ପୂର୍ବରୁ ଦେବୀରଂଜନ ତ୍ରିପାଠୀ, ସୌଭିକ ବିଶ୍ୱାଳଙ୍କ ଉପରେ ସନ୍ଦେହ ହୋଇ ଆସୁଥିବା ବେଳେ ତାଲିକାରେ ସୁବାସିନୀଙ୍କ ନାଁ ଯୋଡି ହୋଇଛି ।
ସୋସିଆଲ୍ ମିଡିଆରେ ବିଦ୍ରୋହୀ ବିଧାୟକଙ୍କ କିଛି ତାଲିକା ଘୂରି ବୁଲୁଥିଲେ ମଧ୍ୟ ଭୋଟ ପରେ ଏହାର ସତ୍ୟତା ଜଣାପଡ଼ିବ । କିଛି ରାଜନୈତିକ ସମୀକ୍ଷକଙ୍କ ମତରେ ରାଜନୀତିରେ ନୀତି ଓ ଆଦର୍ଶର କଥା ଆଉ ନାହିଁ । ନୋଟ୍ ଯୁଆଡ଼େ ଭୋଟ ସିଆଡ଼େ । ଧରନ୍ତୁ, ଜଣେ ବିଧାୟକଙ୍କର ଆଗକୁ ଆଉ ରାଜନୀତି କରିବାର ଲକ୍ଷ୍ୟ ନାହିଁ । ୧୦ କୋଟି ଟଙ୍କା ତାଙ୍କୁ ଯଦି ଖାଲି ଖାଲି ମିଳିଯାଏ, ସେ କ’ଣ ତାକୁ ଛାଡ଼ିବେ? ପଇସା ଆଗରେ ନୈତିକତା, ଲୋକଲଜ୍ଜାର କିଛି ମୂଲ୍ୟ ନାହିଁ । ଆଜି କଥା ଲୋକେ ପରା କାଲିକି ଭୁଲି ଯାଉଛନ୍ତି । ଅପରାଧରେ ଜେଲ୍ ଯାଇଥିବା ନେତାଙ୍କୁ ଫୁଲମାଳ ପକାଇ ଆମ ଲୋକ ବିଜୟ ଶୋଭାଯାତ୍ରାରେ ବୁଲାଉଛନ୍ତି ନା ନାହିଁ?
ସେ ଯାହା ବି ହେଉ, ସାଂଘାତିକ କଥା ହେଲା- ବିଜେଡି ପ୍ରାର୍ଥୀ ସଂତୃପ୍ତ ମିଶ୍ରଙ୍କୁ ହରାଇବା ପାଇଁ ତଥାକଥିତ ଏହି ଷଡ଼ଯନ୍ତ୍ରର ମୁଖ୍ୟ କାର୍ପଟଦାର ଦଳର ପୂର୍ବତନ ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ(ବବି) ଦାସ ବୋଲି ଏବେ ସବୁଆଡ଼େ ଚର୍ଚ୍ଚା । କୁହାଯାଉଛି, ବର୍ଷେ ତଳୁ ସେ ଦଳ ବିରୋଧୀ କୁଚକ୍ରୀ ଗୋଷ୍ଠୀରେ ସାମିଲ ହୋଇଥିଲେ । ମାତ୍ର ରାଜ୍ୟସଭା ନିର୍ବାଚନ ତାଙ୍କୁ ପ୍ରତିଶୋଧପରାୟଣ କରିଛି । ଏଥର ରାଜ୍ୟସଭା ଯିବା ପାଇଁ ନବୀନଙ୍କ ପାଖରେ ଜିଦ୍ ଧରିଥିଲେ । ମାତ୍ର ସଂତୃପ୍ତଙ୍କୁ ପ୍ରାର୍ଥୀ କରାଯାଇଥିବାରୁ ସେ ପ୍ରତିଶୋଧ ନିଆଁରେ ଜଳୁଛନ୍ତି । ତେଣୁ ସଂତୃପ୍ତଙ୍କ ବାଟ ଓଗାଳିବାକୁ ସେ ଗୋଟିଚାଳନା ଚଳାଇଛନ୍ତି । ଏଥିପାଇଁ ବିଜେପି ପଟୁ ତାଙ୍କୁ ବଳ ମିଳିଯାଇଛି । ଚତୁର୍ଥ ଆସନ ପାଇଁ କଂଗ୍ରେସ ସହ ବିଜେଡିର ବୁଝାମଣା ହୋଇଥିବାରୁ ବିଜେପି ନେତୃତ୍ୱ କ୍ଷୁବ୍ଧ ହୋଇଛନ୍ତି । ନବୀନଙ୍କ ଉପରେ ପ୍ରତିଶୋଧ ନେବା ପାଇଁ କେନ୍ଦ୍ରୀୟ ନେତା ବି ଚାହିଁ ବସିଛନ୍ତି । ଯାହାର ସୁଯୋଗ ନେଇଛନ୍ତି ବବି ଦାସ । ଯୋଜନା ସାକାର ହେଲେ ରାଜ୍ୟସଭା ନିର୍ବାଚନରେ ବିଜେଡିି ମୂଳପୋଛ ହୋଇଯିବ । ନା ସଂତୃପ୍ତ ଜିତିବେ ନା ଦତ୍ତେଶ୍ୱର!
ସୂଚନାଥାଉକି, ୨୦୨୪ ନିର୍ବାଚନରେ ବିଜେଡିର ଶୋଚନୀୟ ପରାଜୟ ପାଇଁ ପାଣ୍ଡିଆନ୍-ବବିଙ୍କୁ ଦାୟୀ କରି ଦଳୀୟ ନେତାମାନେ ଅସନ୍ତୋଷ ଝାଡ଼ିଥିଲେ । ପାଖାପାଖି ୧୦ଟି ଆସନରେ ଦଳୀୟ ପ୍ରାର୍ଥୀଙ୍କୁ ହରାଇବା ପାଇଁ ବବି କୁଆଡ଼େ ବିପୁଳ ଟଙ୍କା ଖର୍ଚ୍ଚ କରିଥିଲେ ଏବଂ ସେଥିରେ ସଫଳ ହୋଇଥିଲେ । ନିର୍ବାଚନ ପରାଜୟ ପରେ ନବୀନ ତାଙ୍କ ହାତରୁ ସଂଗଠନ ସମ୍ପାଦକ ଦାୟିତ୍ୱ କାଢ଼ିନେବାରୁ ସେ ରାଗରେ ଜଳିଥିଲେ । ଏଥିପାଇଁ ବିଜୟ ମହାପାତ୍ର ଓ ଦିଲ୍ଲୀପ ରାୟଙ୍କ ସହ ଯୋଗସୂତ୍ର ରଖି ନବୀନଙ୍କୁ ପାନେ ଦେବା ପାଇଁ ପ୍ରସ୍ତୁତ ହୋଇଥିଲେ । ଏବେ ରାଜ୍ୟସଭାରେ ଦଳୀୟ ପ୍ରାର୍ଥୀ ଏବଂ ଦଳ ସମର୍ଥିତ କମନ୍ ପ୍ରାର୍ଥୀଙ୍କୁ ହରାଇବା ପାଇଁ ତାଙ୍କର ତଥାକଥିତ ଭୂମିକା ବିଜେଡି ରାଜନୀତିରେ ହଟଚମଟ ସୃଷ୍ଟି କରିଛି । ବିଜେଡି ଓ ସଂତୃପ୍ତ ମିଶ୍ର ଏହି ବିପଦରୁ କେମିତି ବର୍ତ୍ତିବେ ତାହା ଦେଖିବାର କଥା ।