ଭୁବନେଶ୍ୱର: ରାଜ୍ୟରେ ଆଗୁଆ ପଞ୍ଚାୟତ ନିର୍ବାଚନ କରିବାକୁ ଯୋଜନା ହେଉଛି । ଜନଗଣନା ପାଇଁ ନିର୍ଦ୍ଧାରିତ ସମୟର ଦୁଇରୁ ତିନି ମାସ ପୂର୍ବରୁ ନିର୍ବାଚନ ହୋଇପାରେ । ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ଆଜି ଏହି ସୂଚନା ଦେଇଛନ୍ତି । ୬ ମାସ ଭିତରେ ବାକିଆ କାମ ସାରି ନିର୍ବାଚନ ପାଇଁ ପ୍ରସ୍ତୁତ ରହିବାକୁ ସେ ଦଳୀୟ ସମର୍ଥିତ ସରପଞ୍ଚ ଓ ସମିତି ସଭ୍ୟମାନଙ୍କୁ ଆହ୍ୱାନ ଦେଇଛନ୍ତି ।
ଆଜି ରାଜ୍ୟ କାର୍ଯ୍ୟାଳୟଠାରେ ଅନୁଷ୍ଠିତ ଏକ ମିଶ୍ରଣ ପର୍ବରେ ଉପସ୍ଥିତ ସରପଞ୍ଚ, ସମିତି ସଭ୍ୟ ଓ କର୍ମୀମାନଙ୍କୁ ପଞ୍ଚାୟତ ନିର୍ବାଚନର ଟିପ୍ସ ଦେଇଥିଲେ ମନମୋହନ । କହିଥିଲେ, ରାଜ୍ୟରେ ଜନଗଣନା ପାଇଁ ଆଗୁଆ ନିର୍ବାଚନ ହେବାର ସମ୍ଭାବନା ଅଛି । ନିର୍ଦ୍ଧାରିତ ସମୟର ଦୁଇରୁ ତିନି ମାସ ପୂର୍ବରୁ ଅର୍ଥାତ ୬ ମାସ ପରେ ନିର୍ବାଚନ ଘୋଷଣା ହେବ । ଏଇ ୬ ମାସ ଭିତରେ ଆପଣମାନେ ଅଧୁରା କାମ ସାରି ଦିଅନ୍ତୁ ଏବଂ ନିର୍ବାଚନ ପାଇଁ ପ୍ରସ୍ତୁତ ହୋଇଯାଆନ୍ତୁ । ଦିନ ରାତି ଏକା କରି ଲାଗିପଡ଼ନ୍ତୁ ।
ମନମୋହନ କହିଥିଲେ ଯେ ଆମକୁ ସବୁ ବ୍ଲକ୍, ପଞ୍ଚାୟତରେ, ୱାର୍ଡରେ ଜିତିବାକୁ ପଡ଼ିବ । ସବୁ ଜିଲ୍ଲା ପରିଷଦରେ ଜିତିବାକୁ ପଡ଼ିବ । ସବୁ ଜାଗାରେ ଆମକୁ ନେତୃତ୍ୱ ତିଆରି କରିବାକୁ ପଡ଼ିବ । ଆଗକୁ ପଞ୍ଚାୟତସ୍ତରରେ ମିଶ୍ରଣ ପର୍ବ ହେବ । ଯେଉଁମାନେ ପଞ୍ଚାୟତ ସ୍ତରରେ ମିଶିବେ ତାଙ୍କୁ ପଞ୍ଚାୟତ ସ୍ତରରେ ମିଶ୍ରଣ ପର୍ବ କରି ବିଜେପିରେ ମିଶାଯିବ । ଯିଏ ଜିଲ୍ଲାସ୍ତରରେ ମିଶିବାକୁ ଚାହିଁବେ ସେମାନଙ୍କୁ ଜିଲ୍ଲା ସ୍ତରରେ ଏବଂ ରାଜ୍ୟସ୍ତରରେ ମିଶିବାକୁ ଚାହିଁଲେ ରାଜ୍ୟ କାର୍ଯ୍ୟାଳୟରେ ମିଶିବେ । ପଞ୍ଚାୟତରୁ ଭୁବନେଶ୍ୱର ପର୍ଯ୍ୟନ୍ତ ମିଶ୍ରଣ ପର୍ବ ଅନୁଷ୍ଠିତ ହେବ ।
ସୂଚନାଥାଉକି, ଆସନ୍ତା ଜାନୁଆରୀ/ଫେବ୍ରୁଆରୀରେ ପଞ୍ଚାୟତ ନିର୍ବାଚନ କରିବା ପାଇଁ ରାଜ୍ୟ ନିର୍ବାଚନ କମିସନଙ୍କ ପକ୍ଷରୁ ପ୍ରସ୍ତୁତି ସରିଛି । ଅନ୍ୟପକ୍ଷରେ ନବଗଠିତ ଏନଏସି ନିର୍ବାଚନ ଆସନ୍ତା ଜୁନ୍ ମାସରେ ହେବାକୁ ଯାଉଛି । ତେବେ ୨୦୧୭ ଫେବ୍ରୁଆରୀରେ ଜନଗଣନା ପାଇଁ ସ୍ଥିର ହୋଇଥିବାରୁ ଏହାର ଦୁଇ ତିନି ମାସ ପୂର୍ବରୁ ପଞ୍ଚାୟତ ନିର୍ବାଚନ କରିବା ପାଇଁ ଯୋଜନା ହୋଇଛି ।







