ଭୁବନେଶ୍ୱର: ଆଜି ଦିନ ୧୧ଟା ପରଠୁ ସାରା ଓଡ଼ିଶାବାସୀଙ୍କ ମୋବାଇଲ୍ କୁ ଆଲାର୍ମ ସାଉଣ୍ଡ ସହ ଏକ ମେସେଜ୍ ଆସିଥିଲା । ଉଭୟ ଇଂରାଜୀ ଓ ଓଡ଼ିଆ ଭାଷାରେ ଏକାଧିକ ଥର ଏହି ମେସେଜ୍ ଆସିଲା । ମେସେଜକୁ ଓକେ କରିବା ପରେ ଯାଇ ଏହା ସ୍କ୍ରିନ୍ ରୁ ହଟୁଥିଲା । କେଁ କେଁ ସାଉଣ୍ଡ କରି ଆସୁଥିବା ମେସେଜ ଭିତରକୁ ନ ଯାଇ କେବଳ ଉପରର ଏମର୍ଜେନ୍ସୀ ଆଲର୍ଟ ହେଡିଂ ଦେଖି ଅନେକ ଲୋକ ଛାନିଆଁ ହୋଇଗଲେ । ଏହାକୁ ପଢ଼ିବା ପରେ ଯାଇ ଆଶ୍ୱସ୍ତ ହେଲେ ।
ଏହି ଏମର୍ଜେନ୍ସୀ ଆଲର୍ଟ କ’ଣ ତାହା ମେସେଜରେ ସ୍ପଷ୍ଟ କରାଯାଇଛି । ଭାରତ ସରକାରଙ୍କ ଟେଲିକମ ବିଭାଗ ଦ୍ୱାରା ସେଲ୍ ବ୍ରୋଡକାଷ୍ଟିଂ ସିଷ୍ଟମ ମାଧ୍ୟମରେ ପଠାଯାଇଥିବା ଏକ ନମୁନା ପରୀକ୍ଷା ବାର୍ତ୍ତା । ଜାତୀୟ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ ଦ୍ୱାରା କାର୍ଯ୍ୟକାରୀ ହେଉଥିବା ଅଲ୍ ଇଣ୍ଡିଆ ଜରୁରୀକାଳୀନ ଆଲର୍ଟ ସିଷ୍ଟମ ପରୀକ୍ଷା କରିବାକୁ ଏହି ବାର୍ତ୍ତା ପଠାଯାଇଛି । ଜନସାଧାରଣଙ୍କ ସୁରକ୍ଷାକୁ ବଢ଼ାଇବାକୁ ଏବଂ ଜରୁରୀକାଳୀନ ସମୟରେ ଠିକ୍ ସମୟରେ ସତର୍କ ସୂଚନା ପ୍ରଦାନ କରିବାକୁ ସିଷ୍ଟମ୍ ଲକ୍ଷ୍ୟ ରଖିଛି ।
ଆଉ ଟିକେ ସରଳ ଭାବେ ବୁଝିଲେ, ଏହା ହେଉଛି ଏକ ବିପର୍ଯ୍ୟୟ ଆଲାର୍ମ । ବିପର୍ଯ୍ୟୟ ବେଳେ ସବୁ ନାଗରିକଙ୍କ ପାଖରେ ପହଞ୍ଚିବ ସତର୍କ ସୂଚନା । ଏହି ବ୍ୟବସ୍ଥାରେ ସାରା ଦେଶର ନାଗରିକମାନଙ୍କୁ ସତର୍କ କରାଯିବ । ଜାତୀୟ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ ପକ୍ଷରୁ ଏହି ନୂଆ ପଦକ୍ଷେପ ଗ୍ରହଣ କରାଯାଉଛି । ଫ୍ଲାସଫ୍ଲଡ୍, ସୁନାମୀ, ଭୂମିକମ୍ପ ବେଳେ ଏହା ଉପଯୋଗୀ ହେବ । ବାତ୍ୟା, ଉଦ୍ଧାର କାର୍ଯ୍ୟ ବେଳେ ମଧ୍ୟ ଉପଯୋଗ କରାଯିବ । ଓଡ଼ିଶାରେ ଆଜି ଏହାର ଟେଷ୍ଟିଂ ଥିଲା । ନଭେମ୍ବର ପହିଲାରୁ ଆଲର୍ଟ ବ୍ୟବସ୍ଥା କାର୍ଯ୍ୟକାରୀ ହେବ ।
ଟେଲିକମ୍ ଡିଡିଜି ବିଜୟ ଭୂଷଣ ପାଣ୍ଡେ ଗଣମାଧ୍ୟମକୁ କହିଛନ୍ତି, ଲୋକଙ୍କୁ ବିପର୍ଯ୍ୟୟ ସମ୍ପର୍କିତ ସୂଚନା ଦେବା ପାଇଁ ଏହି ପଦକ୍ଷେପ ଗ୍ରହଣ କରାଯାଇଛି । ଏବେ ଏହାର ଟେଷ୍ଟିଂ ଚାଲିଛି । ଲୋକଙ୍କୁ ଠିକ୍ ଭାବେ ମେସେଜ୍ ଆସୁଛି କି ନାହିଁ ଟେଷ୍ଟ କରାଯାଉଛି । ଓଡ଼ିଶାରେ ୯୯% ଲୋକଙ୍କ ମୋବାଇଲକୁ ଏହି ମେସେଜ୍ ପହଞ୍ଚିଛି । ଆଉ ୧% ଲୋକଙ୍କ ମୋବାଇଲ୍ କୁ କାହିଁକି ପହଞ୍ଚିଲା ନାହିଁ ତାହାର ତର୍ଜମା କରାଯାଉଛି । ନଭେମ୍ବର ପହିଲାରୁ ଆଲର୍ଟ ବ୍ୟବସ୍ଥା କାର୍ଯ୍ୟକାରୀ ହେବ । ଏହି ମେସେଜ୍ ଯୋଗେ ଫ୍ଲାସଫ୍ଲଡ୍, ସୁନାମୀ, ଭୂମିକମ୍ପ, ବଜ୍ରପାତ ସମ୍ପର୍କରେ ଲୋକଙ୍କୁ ଆଲର୍ଟ କରାଯିବ । ଲୋକ ତୁରନ୍ତ ମେସେଜ୍ ଦେଖିବା ପାଇଁ ଆଲାର୍ମ ସାଉଣ୍ଡ ଦିଆଯାଇଛି । ଏଥିରେ ଭୟଭୀତ ନ ହେବାକୁ ସେ ପରାମର୍ଶ ଦେଇଛନ୍ତି ।