ଭୁବନେଶ୍ୱର: ଆଇଏଏସ୍ ଚାକିରିରୁ ସ୍ୱେଚ୍ଛାକୃତ ଅବସର ନେଇଥିବା ଭି.କେ.ପାଣ୍ଡିଆନ ଏବେ ୫-ଟି ଓ ନବୀନ ଓଡ଼ିଶାର ଅଧ୍ୟକ୍ଷ । ନୂଆ ଦାୟିତ୍ୱରେ ସେ ତାଙ୍କର ପୁରୁଣା କାମକୁ ଦ୍ରୁତ ଗତିରେ ଆଗକୁ ନେଇଛନ୍ତି । ଟାର୍ଗେଟ୍ ପୂରଣ କରିବାରେ କାହାରିକୁ ଫୁରସତ୍ ଦେଉନାହାନ୍ତି । ରାଜ୍ୟ ସରକାରଙ୍କ ଦୁଇ ଦୁଇଟି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକ୍ରମର ଅଧ୍ୟକ୍ଷ ଭାବେ ତାଙ୍କର କାର୍ଯ୍ୟ ପରିସୀମା ବୃଦ୍ଧି ପାଇବା ସହ ଓଡ଼ିଶା ରୂପାନ୍ତରଣର ମଙ୍ଗୁଆଳ ଭାବେ ସେ ଏବେ ଅଧିକ ଚର୍ଚ୍ଚାରେ ।

ନୂଆ ଦାୟିତ୍ୱ ଗ୍ରହଣ ପରେ ଶ୍ରୀ ପାଣ୍ଡିଆନ୍ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ଗତକାଲି ପ୍ରଥମେ ପୁରୀ ଯାଇ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଅଗ୍ରଗତି ସମୀକ୍ଷା କରିଥିଲେ । ଭୋର୍ ୪ଟାରୁ ୬ଟା ପର୍ଯ୍ୟନ୍ତ ଏହି ସମୀକ୍ଷା ଚାଲିଥିଲା । ଡିସେମ୍ବର ୧୫ ସୁଦ୍ଧା ଶ୍ରୀମନ୍ଦିର ପ୍ରକଳ୍ପ କାମ ତ୍ୱରାନ୍ୱିତ କରିବାକୁ ଦାୟିତ୍ୱରେ ଥିବା ଅଧିକାରୀମାନଙ୍କୁ ସେ ନିର୍ଦ୍ଦେଶ ଦେଇଥିଲେ ।
ଆଜି ଦ୍ୱିତୀୟ ଦିନରେ ଭୋର୍ ସାଢ଼େ ୪ଟାରେ ବରିଷ୍ଠ ଅଧିକାରୀମାନଙ୍କୁ ସାଙ୍ଗରେ ଧରି ସେ ଭୁବନେଶ୍ୱର ମେଟ୍ରୋ ରେଳ ପ୍ରକଳ୍ପ ଜାଗା ବୁଲି ଦେଖିଥିଲେ । ପ୍ରକଳ୍ପ ନିର୍ମାଣ କାମ ଯେପରି ଠିକ୍ ସମୟରେ ଆରମ୍ଭ ହେବ ସେ ସମ୍ପର୍କରେ ଆଲୋଚନା କରିଥିଲେ । ଆସନ୍ତା ଜାନୁଆରୀ ପହିଲାରେ ମୁଖ୍ୟମନ୍ତ୍ରୀ ଏହି ରେଳ ପ୍ରକଳ୍ପର ଶିଳାନ୍ୟାସ କରୁଥିବାରୁ ସେ କାହାରିକୁ ଢ଼ିଲା ଦେଇନାହାନ୍ତି ।








