ଭୁବନେଶ୍ୱର: ‘ସମ୍ବାଦ’ କର୍ମଚାରୀଙ୍କ ନାଁରେ ବଳପୂର୍ବକ ବ୍ୟାଙ୍କ ଋଣ ମାମଲାରେ ଆଜି ଅର୍ଥନୈତିକ ଅପରାଧ ଶାଖା(ଇଓଡବ୍ଲୁ)ର ଏକ ୧୨ ଜଣିଆ ଟିମ୍ ସମ୍ବାଦ ଅଫିସ୍ ରେ ଛାନଭିନ୍ କରିଥିଲେ । ପ୍ରାୟ ୭ ଘଣ୍ଟାର ଛାନଭିନ୍ ବେଳେ ଏ ସମ୍ବନ୍ଧୀୟ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ସେମାନଙ୍କ ହାତରେ ଲାଗିଛି । ସେଗୁଡ଼ିକୁ ଜବତ କରାଯାଇଛି । ଇତିମଧ୍ୟରେ ସମ୍ବାଦ ଋଣ ଜାଲିଆତି ନେଇ ଅଭିଯୋଗ ସଂଖ୍ୟା ୧ ରୁ ବଢ଼ି ୨୦ ରେ ପହଞ୍ଚିଲାଣି । ଇଓଡବ୍ଲୁ ପକ୍ଷରୁ ଜାରି ପ୍ରେସ୍ ରିଲିଜ୍ ରେ ଏହି ସୂଚନା ଦିଆଯାଇଛି ।
ସମ୍ବାଦର ଜଣେ ପୂର୍ବତନ କର୍ମଚାରୀ ଅସୀମ ମହାପାତ୍ରଙ୍କ ଅଭିଯୋଗ ଆଧାରରେ ଏହି ମାମଲା ହୋଇଛି । ତାଙ୍କର ଅଭିଯୋଗ ହେଉଛି, ତାଙ୍କ ନାଁରେ ସମ୍ବାଦ ବଳପୂର୍ବକ ୫ ଲକ୍ଷ ଲୋନ୍ ଉଠାଇଛି । ଜାଲ୍ କାଗଜପତ୍ରରେ ଦସ୍ତଖତ କରାଇ ଏହି ଲୋନ୍ ଉଠାଯାଇଛି । କେବଳ ସେ ନୁହଁନ୍ତି, ୩୦୦ ରୁ ଅଧିକ କର୍ମଚାରୀଙ୍କ ନାଁରେ ୫୦ କୋଟିରୁ ଅଧିକ ଟଙ୍କା ଋଣ ଉଠାଯାଇଛି ।
ଏହି ବେଆଇନ ଋଣ କାରବାରର ମୁଖ୍ୟ କାର୍ପଟଦାର ଭାବେ ସେ ‘ସମ୍ବାଦ’ ସମ୍ପାଦକ ସୌମ୍ୟରଂଜନ ପଟ୍ଟନାୟକ ଏବଂ ମାନବ ସମ୍ବଳ ବିଭାଗର ମୁଖ୍ୟ ବୈଜୟନ୍ତୀ କରଙ୍କୁ ଅଭିଯୁକ୍ତ ଦର୍ଶାଇଛନ୍ତି । ଗତ ୧୬ ତାରିଖରେ ଇଓଡବ୍ଲୁରେ ଏହି ଅଭିଯୋଗ କରିଥିଲେ ଅସୀମ ମହାପାତ୍ର । ତାଙ୍କ ଅଭିଯୋଗ ଆଧାରରେ ସୌମ୍ୟ ପଟ୍ଟନାୟକ ଓ ବୈଜୟନ୍ତୀ କରଙ୍କ ବିରୋଧରେ ଆଇପିସି ଧାରା ୫୦୬, ୪୬୭, ୪୬୮, ୪୭୧, ୪୨୦, ୧୨୦(ବି)ରେ ମାମଲା ରୁଜୁ ହୋଇଛି । ଏହି ମାମଲାର ତଦନ୍ତସ୍ୱରୂପ ଇଓଡବ୍ଲୁ ଟିମ୍ ଆଜି ସମ୍ବାଦ ଅଫିସ୍ ରେ ଚଢ଼ଉ କରିଥିଲେ ।
ଖାଲି ଶ୍ରୀ ମହାପାତ୍ର ନୁହଁନ୍ତି ଇତିମଧ୍ୟରେ ଆଉ ୧୫ ରୁ ୨୦ ଜଣ ପୂର୍ବତନ କର୍ମଚାରୀ ସମାନ ଅଭିଯୋଗ ଆଣିଛନ୍ତି । ମୁକ୍ତ ଓ ନିରପେକ୍ଷ ଭାବେ ବିଶେଷଜ୍ଞ ଟିମ୍ ଦ୍ୱାରା ମାମଲାର ତଦନ୍ତ କରାଯାଉଛି ବୋଲି ଇଓଡବ୍ଲୁ ପ୍ରେସ୍ ରିଲିଜ୍ ରେ କୁହାଯାଇଛି ।
ସୂଚନାଥାଉକି, ଏହି ମାମଲାରେ ସମ୍ବାଦର ସିଇଓ କମଳାକାନ୍ତ ମହାପାତ୍ରଙ୍କୁ ଆଜି ଦ୍ୱିତୀୟ ଦିନରେ ଜେରା କରାଯାଇଥିଲା । ଗତକାଲି ଭଳି ଆଜି ମଧ୍ୟ ତାଙ୍କୁ ଇଓଡବ୍ଲୁ ଅଫିସରେ ପ୍ରାୟ ୩ ଘଣ୍ଟା କାଳ ଜେରା କରାଯାଇଥିଲା ।
ତେବେ ଏହି ଅଭିଯୋଗ ସଂକ୍ରାନ୍ତରେ ସମ୍ବାଦ କର୍ତ୍ତୃପକ୍ଷ କୌଣସି ସ୍ପଷ୍ଟୀକରଣ ଦେଇନାହାନ୍ତି । ଆଜି ଚଢ଼ଉ ବେଳେ ସମ୍ପାଦକ ଶ୍ରୀ ପଟ୍ଟନାୟକ ଅଫିସରେ ଉପସ୍ଥିତ ଥିଲେ ମଧ୍ୟ କୌଣସି ପ୍ରତିକ୍ରିୟା ଦେଇନାହାନ୍ତି ।
ଅନ୍ୟପକ୍ଷରେ କନକ ଟିଭି ଚାନେଲରେ ପ୍ରସାରିତ ଏକ ଖବର ଉପରେ ଇଓଡବ୍ଲୁ ସ୍ପଷ୍ଟୀକରଣ ଦେଇଛି । ସମ୍ବାଦ ଅଫିସରେ ଆଜିର ଚଢ଼ଉ ବେଳେ ଇଓଡବ୍ଲୁ ଅଧିକାରୀମାନେ ଚାପରେ ଅଛନ୍ତି ବୋଲି କହୁଥିବାର ଖବର ସେହି ଚାନେଲରେ ପ୍ରସାରଣ କରିଥିଲା । ମାତ୍ର ଏହା ମିଛ ବୋଲି ଇଓଡବ୍ଲୁ ପ୍ରେସ୍ ରିଲିଜ୍ ରେ ସ୍ପଷ୍ଟୀକରଣ ଦିଆଯାଇଛି । ଇଓଡବ୍ଲୁ ଅଧିକାରୀମାନେ ବରଂ ଚାପ କିଛି ନାହିଁ ବୋଲି କହିଥିବା ସେଥିରେ କୁହାଯାଇଛି ।