ଭୁବନେଶ୍ୱର: ଦକ୍ଷ ରାଜନେତା, ପୂର୍ବତନ ମନ୍ତ୍ରୀ ଦୁର୍ଯୋଧନ ମାଝୀଙ୍କର ପରଲୋକ ହୋଇଯାଇଛି । ତାଙ୍କୁ ୮୩ ବର୍ଷ ହୋଇଥିଲା । ଗତକାଲି ରାତି ପ୍ରାୟ ୧ଟା ବେଳେ ସେ ଶୋଇଥିବା ଅବସ୍ଥାରେ ହଠାତ୍ ଅସୁସ୍ଥ ଅନୁଭବ କରିଥିଲେ । ପରିବାର ଲୋକେ ତାଙ୍କୁ କ୍ୟାପିଟାଲ୍ ହସ୍ପିଟାଲ୍ ନେଇ ଆସିଥିଲେ । ମାତ୍ର ସେଠାରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା । ଶ୍ରୀ ମାଝୀଙ୍କ ବିୟୋଗ ରାଜନୈତିକ ମହଲରେ ଶୋକର ଛାୟା ଖେଳାଇ ଦେଇଛି । ଓଡ଼ିଶା ଜଣେ ଦକ୍ଷ, ସରଳ ଓ ଅମାୟିକ ରାଜନେତାଙ୍କୁ ହରାଇଲା ବୋଲି ବିଶିଷ୍ଟ ବ୍ୟକ୍ତିମାନେ ଶୋକପ୍ରକାଶ କରିଛନ୍ତି ।
ଏକଦା ବିଜୁବାବୁଙ୍କର ବେଶ୍ ବିଶ୍ୱସ୍ତ ଥିବା ଶ୍ରୀ ମାଝୀ ନୂଆପଡ଼ା ଜିଲ୍ଲା ଖଡ଼ିଆଳ ବିଧାନସଭାରୁ ୫ ଥର ବିଧାୟକ ହୋଇଥିଲେ । ୧୯୯୦ ଏବଂ ୧୯୯୫ ମସିହାରେ ଜନତା ଦଳ ଟିକେଟରେ ନିର୍ବାଚିତ ହୋଇଥିଲା ବେଳେ ୨୦୦୦ ଏବଂ ୨୦୦୪ ମସିହାରେ ବିଜେଡ଼ି ଟିକେଟରେ ନିର୍ବାଚିତ ହୋଇଥିଲେ । ନବୀନ ପଟ୍ଟନାୟକଙ୍କ ଦ୍ୱିତୀୟ ପାଳି ସରକାରରେ ଗୁରୁତ୍ୱପୂର୍ଣ୍ଣ ସ୍ୱାସ୍ଥ୍ୟ ବିଭାଗର ମନ୍ତ୍ରୀ ଭାବେ ସେ ଦାୟିତ୍ୱ ତୁଲାଇ ଦିଜର ଦକ୍ଷତା ପ୍ରତିପାଦିତ କରିଥିଲେ ।
ପରବର୍ତ୍ତୀ ସମୟରେ ସେ ବିଜେପିରେ ମିଶି ୨୦୧୪ ନିର୍ବାଚନରେ ପଞ୍ଚମ ଥର ପାଇଁ ଖଡ଼ିଆଳ ଆସନରୁ ନିର୍ବାଚିତ ହୋଇଥିଲେ । ୨୦୧୯ ନିର୍ବାଚନରେ ଲଢ଼ିବା ପାଇଁ ବିଜେପି ତାଙ୍କୁ ଟିକେଟ ନ ଦେବାରୁ ସେ ଦଳ ଛାଡ଼ି ବିଜେଡ଼ିକୁ ଫେରି ଆସିଥିଲେ ।
ଭୁୁବନେଶ୍ୱରରୁ ତାଙ୍କ ମରଶରୀର ଗାଁ କୁ ନିଆଯାଇ ଆଜି ସଂଧ୍ୟାରେ ଶେଷକୃତ୍ୟ ସମ୍ପନ୍ନ ହେବ ବୋଲି ପରିବାର ସୂତ୍ରରୁ ଜଣାପଡ଼ିଛି ।
ଶ୍ରୀ ମାଝୀଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକପ୍ରକାଶ କରିଛନ୍ତି । ସେ ତାଙ୍କ ଶୋକବାର୍ତ୍ତାରେ କହିଛନ୍ତି, ରାଜନେତା ତଥା ପୂର୍ବତନ ମନ୍ତ୍ରୀ ଦୁର୍ଯୋଧନ ମାଝୀଙ୍କ ଦେହାନ୍ତ ବିଷୟରେ ଜାଣି ମୁଁ ଦୁଃଖିତ । ନିଜ ଅଞ୍ଚଳର ବିକାଶ ତଥା ଆଦିବାସୀଙ୍କ କଲ୍ୟାଣ କ୍ଷେତ୍ରରେ ତାଙ୍କର ଗୁରୁତ୍ୱପୂର୍ଣ୍ଣ ଅବଦାନ ରହିଛି । ତାଙ୍କ ଅମର ଆତ୍ମାର ସଦଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାର ସଦସ୍ୟଙ୍କ ପ୍ରତି ମୋର ଗଭୀର ସମବେଦନା ଜଣାଉଛି ।