ଭୁବନେଶ୍ୱର: ରାଜ୍ୟ ନିର୍ବାଚନ କମିସନ ଆଦିତ୍ୟ ପ୍ରସାଦ ପାଢ଼ୀ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ତାରିଖ ଘୋଷଣା କରିଛନ୍ତି । ପାଞ୍ଚଟି ପର୍ଯ୍ୟାୟରେ ଫେବ୍ରୁଆରୀ ୧୬, ୧୮, ୨୦, ୨୨ ଏବଂ ୨୪ ତାରିଖରେ ନିର୍ବାଚନ ଅନୁଷ୍ଠିତ ହେବ । ୱାର୍ଡ ମେମ୍ବର ସରପଞ୍ଚ, ସମିତି ସଭ୍ୟ ଓ ଜିଲ୍ଲା ପରିଷଦ ସଭ୍ୟ ପାଇଁ ଏହି ନିର୍ବାଚନ ହେବ । ଫେବ୍ରୁଆରୀ ୨୬, ୨୭ ଏବଂ ୨୮ ତାରିଖରେ ସଂପୃକ୍ତ ବ୍ଲକ୍ ସଦର ମହକୁମାରେ ଭୋଟ ଗଣତି ହେବ । ରାଜ୍ୟରେ ଆଜିଠାରୁ ଫେବ୍ରୁଆରୀ ୨୮ ତାରିଖ ପର୍ଯ୍ୟନ୍ତ ଆଦର୍ଶ ଆଚରଣ ବିଧି ଲାଗୁ ହୋଇଛି ।
ଜାନୁଆରୀ ୧୩ ତାରିଖରେ ନିର୍ବାଚନ ବିଜ୍ଞପ୍ତି ଜାରି ହେବ । ଜାନୁଆରୀ ୧୭ ରୁ ମନୋନୟନ ପତ୍ର ଦାଖଲ ଆରମ୍ଭ ହୋଇ ୨୧ ତାରିଖ ଯାଏଁ ଚାଲିବ । ୨୨ ତାରିଖରେ ମନୋନୟନପତ୍ର ଯାଞ୍ଚ ହେବ । ମନୋନୟନପତ୍ର ପ୍ରତ୍ୟାହାରର ଶେଷ ତାରିଖ ରହିଛି ୨୫ । ସେହି ୨୫ ତାରିଖରେ ହିଁ ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶିତ ହେବ ।
ସମ୍ପୂର୍ଣ୍ଣ କୋଭିଡ୍ କଟକଣା ମଧ୍ୟରେ ନିର୍ବାଚନ ଅନୁଷ୍ଠିତ ହେବ । କେବଳ ଡୋର୍ ଡୋର୍ କ୍ୟାମ୍ପେନ୍ ପାଇଁ ଅନୁମତି ଦିଆଯାଇଛି । ସର୍ବାଧିକ ୫ ଜଣଙ୍କୁ ନେଇ ପ୍ରାର୍ଥୀ ନିର୍ବାଚନ ପ୍ରଚାର କରିବେ । କୌଣସି ପ୍ରକାର ରାଲି, ଶୋଭାଯାତ୍ରା ଓ ସମାବେଶକୁ ନିଷିଦ୍ଧ କରାଯାଇଛି । ବିଜୟ ଶୋଭାଯାତ୍ରା ମଧ୍ୟ ହୋଇପାରିବ ନାହିଁ । କରୋନା ସ୍ଥିତି ଅନୁଯାୟୀ ଏହି ନିୟମରେ କୋହଳ କିମ୍ବା ଅଧିକ କଡ଼ାକଡ଼ି କରାଯାଇପାରେ ବୋଲି ନିର୍ବାଚନ କମିସନ କହିଛନ୍ତି ।
ଏଥର ନିର୍ବାଚନରେ କମିସନଙ୍କ ପକ୍ଷରୁ କିଛି ନୂଆ ପଦକ୍ଷେପ ଗ୍ରହଣ କରାଯାଇଛି । ପୋଲିଂ ସମୟକୁ ଘଣ୍ଟାଏ ବଢ଼ାଇ ଦିଆଯାଇଛି । ମତଦାନ ସକାଳ ୭ଟାରୁ ଦିନ ଗୋଟାଏ ପର୍ଯ୍ୟନ୍ତ ଚାଲିବ । ସେହିପରି ବ୍ଲକ୍ ସଦର ମହକୁମାରେ ୱାର୍ଡ ମେମ୍ବର, ସରପଞ୍ଚ, ସମିତି ସଭ୍ୟ ଏବଂ ଜିଲ୍ଲା ପରିଷଦ ପ୍ରାର୍ଥୀଙ୍କ ଭୋଟଗଣତି ହେବ । ଜିଲ୍ଲା ପରିଷଦ ସଭ୍ୟଙ୍କ ସତ୍ୟପାଠ ଜିଲ୍ଲା ୱେବସାଇଟ୍ ରେ ପ୍ରକାଶ ପାଇବ । ପ୍ରାର୍ଥୀ ମିଥ୍ୟା ସତ୍ୟପାଠ ଦେଇଥିଲେ ଦଣ୍ଡିତ ହେବେ ।
ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ୨ କୋଟି ୭୯ ଲକ୍ଷ ଭୋଟର ମତଦାନ ସାବ୍ୟସ୍ତ କରିବେ । ୯୧, ୯୧୩ ୱାର୍ଡ ମେମ୍ବର, ୬,୭୯୪ ସରପଞ୍ଚ, ୬,୭୯୩ ସମିତି ସଭ୍ୟ ଏବଂ ୮୫୩ ଜିଲ୍ଲା ପରିଷଦ ସଭ୍ୟ ପାଇଁ ନିର୍ବାଚନ ଅନୁଷ୍ଠିତ ହେବ ।