ଝାରସୁଗୁଡ଼ା/ଭୁବନେଶ୍ୱର: ବିଶିଷ୍ଟ ବୈଜ୍ଞାନିକ, ପରିବେଶବିତ୍ ତଥା ସମ୍ବଲପୁର ବିଶ୍ୱବିଦ୍ୟାଳୟର ପୂର୍ବତନ କୁଳପତି ପ୍ରଫେସର ଧ୍ରୁବରାଜ ନାୟକ(୮୩)ଙ୍କୁ ଜଣେ ଯୁବକ ଟାଙ୍ଗିଆରେ ଆଣି ହତ୍ୟା କରିଛି । ଲାଇକେରାସ୍ଥିତ ବାସଭବନରେ ଥିବା ବେଳେ ଗାଁର ଜଣେ ମାତାଲ ଯୁବକ ମାତ୍ର ୧୦୦ ଟଙ୍କା ଲାଗି ଏହି ଜଘନ୍ୟ କାଣ୍ଡ ଘଟାଇଥିବା କୁହାଯାଉଛି । ହତ୍ୟାକାରୀକୁ ପୁଲିସ ଅଟକ ରଖି ପଚରାଉଚୁରା କରୁଛି । ଘଟଣାଟି ସବୁ ମହଲକୁ ସ୍ତବ୍ଧ କରିଦେଇଛି ।
ପୂର୍ବତନ କୁଳପତି ପ୍ରଫେସର ନାୟକ ଝାରସୁଗୁଡ଼ା ଜିଲ୍ଲା ଲାଇକେରା ଥାନା ଅନ୍ତର୍ଗତ ନିଜ ଗାଁ ସରଗିଗୁଡ଼ାରେ ରହୁଥିଲେ । ପରିବାର ଲୋକଙ୍କ ସୂଚନା ଅନୁଯାୟୀ, ଆଜି ଦିନ ସାଢ଼େ ୧୧ଟାରୁ ୧୨ଟା ମଧ୍ୟରେ ଗାଁର ଜଣେ ୨୦ ବର୍ଷୀୟ ଯୁବକ ମାତାଲ ଅବସ୍ଥାରେ ପ୍ରଫେସରଙ୍କ ଘରେ ପଶି ୧୦୦ ଟଙ୍କା ମାଗିଥିଲା । ମାତ୍ର ପ୍ରଫେସର ନାୟକ ଟଙ୍କା ଦେବାକୁ ମନା କରିଦେବା ପରେ ଯୁବକ ସହ ତାଙ୍କର ବଚସା ହୋଇଥିଲା । ପରେ ଯୁବକଟି ତାଙ୍କୁ ଘରୁ ଟାଣିନେଇ ଏକ ଟାଙ୍ଗିଆରେ ହାଣି ପକାଇଥିଲା ।
ରକ୍ତ ଜୁଡ଼ୁବୁଡୁ ହୋଇ ଅବସ୍ଥାରେ ପ୍ରଫେସରଙ୍କୁ ଝାରସୁଗୁଡ଼ାସ୍ଥିତ ସମଲେଶ୍ୱରୀ ନର୍ସିଂ ହୋମ୍ କୁ ଅଣାଯାଇଥିଲା । ମାତ୍ର ଡାକ୍ତର ମୃତ ଘୋଷଣା କରିଥିଲେ ।
ପ୍ରଫେସର ଧ୍ରୁବରାଜ ନାୟକ ୧୯୯୮ରୁ ୨୦୦୧ ପର୍ଯ୍ୟନ୍ତ ସମ୍ବଲପୁର ବିଶ୍ୱବିଦ୍ୟାଳୟର କୁଳପତି ଥିଲେ । ଅବସର ପରେ ସେ ନିଜ ଗାଁରେ ରହୁଥିଲେ । ନିଜର ଗବେଷଣା କାର୍ଯ୍ୟ ଜାରି ରଖିବା ସହ ପରିବେଶ ସୁରକ୍ଷା ଉପରେ କାର୍ଯ୍ୟ କରୁଥିଲେ । ୨୦୦୮ ମସିହାରେ ଏକ ସଡ଼କ ଦୁର୍ଘଟଣାରେ ପ୍ରାଣ ହରାଇଥିବା ପୁଅ ସୁବ୍ରତଙ୍କ ଅଧୁରା ସ୍ୱପ୍ନକୁ ପୂରଣ କରିବା ଲକ୍ଷ୍ୟରେ ସେ ନିଜ ଅଞ୍ଚଳରେ ଜଙ୍ଗଲ ସଂରକ୍ଷଣ ଅଭିଯାନର ନେତୃତ୍ୱ ନେଇଥିଲେ । ୧୪ ଗାଁର ଲୋକଙ୍କୁ ନେଇ ଏକ ସଂଘ ଗଢ଼ିଥିଲେ ଏବଂ ଏହି ଅଭିଯାନ ଜରିଆରେ ପାହାଡ଼ ଉପରେ ୧୦୦ ଏକର ଜଙ୍ଗଲ ଜମି ସୃଷ୍ଟି କରାଯାଇଥିଲା ।
ପରିବେଶ ସୁରକ୍ଷା ସହ ବିଭିନ୍ନ ସାମାଜିକ, ସାଂସ୍କୃତିକ ଓ ଧାର୍ମିକ ଅନୁଷ୍ଠାନ ଗଢ଼ିବାରେ ସେ ଅଗ୍ରଣୀ ଥିଲେ । ନିଜ ଅଞ୍ଚଳରେ ଏକ ହାଇସ୍କୁଲ ମଧ୍ୟ ପ୍ରତିଷ୍ଠା କରିଛନ୍ତି । ନିଜକୁ ଚାଷବାସରେ ମଧ୍ୟ ସଂପୃକ୍ତି ରଖିଥିଲେ । ଦୁଇଟି ପୋଖରୀରେ ମାଛ ଚାଷ କରୁଥିଲେ ।
୧୦୦ ଟଙ୍କା ପାଇଁ ହତ୍ୟା ନା ମୃତ୍ୟୁ ପଛରେ ଅନ୍ୟ କାରଣ ରହିଛି ତାହାର ଛାନଭିନ୍ କରୁଛି ପୁଲିସ । ଜଙ୍ଗଲ ଜମି କିମ୍ବା ପୋଖରୀ ଲିଜ୍ କୁ ନେଇ ପୁରୁଣା ଶତ୍ରୁତା କାରଣରୁ ଏହି ହତ୍ୟାକାଣ୍ଡ ଘଟିଥାଏ ପାରେ ବୋଲି ମଧ୍ୟ ଅନୁମାନ କରାଯାଉଛି । ତେବେ ଏ ସମ୍ପର୍କରେ ପୁଲିସ ପକ୍ଷରୁ କିଛି କୁହାଯାଇନାହିଁ । ତଦନ୍ତ ପରେ ସବୁ ସ୍ପଷ୍ଟ ହେବ ବୋଲି ଝାରସୁଗୁଡ଼ା ଏସପି କହିଛନ୍ତି ।