ଭୁବନେଶ୍ଵର: ଆଜି ପବିତ୍ର ନୂଆଁଖାଇ ପର୍ବ ଅବସରରେ ରାଜ୍ୟର ୪୪ ଲକ୍ଷ ୫୬ ହଜାର ଚାଷୀ ପରିବାରଙ୍କୁ ମିଳିଛି କାଳିଆ ସହାୟତା। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡ଼ିଓ କନଫରେନ୍ସ ଜରିଆରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଏହି ସହାୟତା ପ୍ରଦାନ କରିଛନ୍ତି। ପ୍ରତ୍ୟେକ ଚାଷୀ ପରିବାରଙ୍କ ବ୍ୟାଙ୍କ୍ ଆକାଉଣ୍ଟ କୁ ୨୦୦୦ ଟଙ୍କା ଦିଆ ଯାଇଛି। ରବି ଫସଲ ପାଇଁ ଏହି ସହାୟତା ଦିଆଯାଇଛି। ଏଥିରେ ୪୩ ଲକ୍ଷ ୮୮ ହଜାର କ୍ଷୁଦ୍ର ଓ ନାମ ମାତ୍ର ଚାଷୀ ଥିବା ବେଳେ ୬୮ ହଜାର ୭୫୦ ଜଣ ଭୂମି ହୀନ ଚାଷୀ ପରିବାର ଅଛନ୍ତି।
ଏହି ଅବସର ରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ସମସ୍ତଙ୍କୁ ନୂଆଁଖାଇ ର ଶୁଭେଚ୍ଛା ଜଣାଇ କହିଲେ ଯେ ଚାଷୀ ଆମର ଗୌରବ। ମୋ ରାଜ୍ୟର ଚାଷୀ ପରିବାର ସମ୍ମାନର ସହ, ସ୍ୱାଭିମାନର ସହ ବଂଚୁ। ବିକାଶର ସୁଫଳରେ ଚାଷୀ ସାମିଲ ହେଉ। ଆଜି ପର୍ଯ୍ୟନ୍ତ କାଳିଆ ଯୋଜନାରେ ରାଜ୍ୟର ଚାଷୀ ଭାଇ ଭଉଣୀ ମାନଙ୍କୁ ୧୨,୫୦୦ କୋଟି ଟଙ୍କାର ସହାୟତା ଦିଆଯାଇଛି । ଚାଷୀ ପରିବାରର ପିଲାମାନେ ଡାକ୍ତର, ଇଞ୍ଜିନିୟର ହୋଇ, ଭଲ ଭଲ ପ୍ରଫେସନରେ ଯୋଗ ଦିଅନ୍ତୁ ବୋଲି ସେ ଚାହାନ୍ତି। ଏହାଦ୍ୱାରା ସେମାନେ ନିଜ ପରିବାର ପାଇଁ, ସାରା ରାଜ୍ୟ ପାଇଁ ସୁନାମ ଆଣି ପାରିବେ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।
ଏହି ଅବସରରେ ରାଜ୍ୟ କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ଵାଇଁ କହିଲେ ଯେ ମୁଖ୍ୟମନ୍ତ୍ରୀଙ୍କ ଦୂର ଦୃଷ୍ଟି ଯୋଗୁ ରାଜ୍ୟରେ ଅନେକ କୃଷି କଲ୍ୟାଣ ଯୋଜନା କାର୍ଯ୍ୟକାରୀ ହେଉଛି। ସେଥି ମଧ୍ୟରୁ କାଳିଆ ଯୋଜନା ସ୍ୱତନ୍ତ୍ର। ଏହା ଯୋଗୁ ଚାଷୀ ମାନେ ଆଉ ବେସରକାରୀ ଅର୍ଥ ଲଗାଣ କାରି ସଂସ୍ଥା କିମ୍ବା ଗାଁ ସାହୁକାର ଉପରେ ନିର୍ଭର କରୁ ନାହାନ୍ତି। ନିଜ ଉପରେ ଚାଷୀ ମାନଙ୍କ ଆସ୍ଥା ବଢ଼ିଛି।
ଏହି ଅବସରରେ କେତେକ କାଳିଆ ହିତାଧିକାରୀ ସେମାନଙ୍କ ଅଭିଜ୍ଞତା ବର୍ଣ୍ଣନା କରିଥିଲେ।
ମୁଖ୍ୟମନ୍ତ୍ରୀଙ୍କ ସଚିବ ( ୫-ଟି) ଶ୍ରୀ ଭି କେ ପାଣ୍ଡିଆନ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।
ଉନ୍ନୟନ କମିଶନର ଶ୍ରୀମତୀ ଅନୁ ଗର୍ଗ, ସମବାୟ ସଚିବ ଅରବିନ୍ଦ ଅଗ୍ରୱାଲ ଓ ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ। ବିଭିନ୍ନ ଜିଲ୍ଲାରେ ଅଧିକାରୀ ଓ ହିତାଧିକାରୀ ମାନେ ଭିଡ଼ିଓ କନଫରେନ୍ସ ଜରିଆରେ ଯୋଡ଼ି ହୋଇଥିଲେ।
କାର୍ଯ୍ୟକ୍ରମରେ କୃଷି ଓ କୃଷକ କଲ୍ୟାଣ ପ୍ରମୁଖ ସଚିବ ଅରବିନ୍ଦ ପାଢ଼ୀ ସ୍ୱାଗତ ଭାଷଣ ଦେଇଥିଲେ ଓ କୃଷି ନିର୍ଦ୍ଦେଶକ ଧନ୍ୟବାଦ ଅର୍ପଣ କରଥିଲେ।