ଭୁବନେଶ୍ୱର: ରାଜସ୍ୱ ମନ୍ତ୍ରୀ ଶ୍ରୀମତୀ ପ୍ରମିଳା ମଲ୍ଲିକ ହେବେ ବିଧାନସଭାର ବାଚସ୍ପତି । ବିଜେଡି ପ୍ରାର୍ଥୀ ଭାବେ ଆଜି ତାଙ୍କ ନାଁ ଘୋଷଣା କରାଯାଇଛି । ଆସନ୍ତାକାଲି ସେ ବାଚସ୍ପତି ପଦ ଲାଗି ପ୍ରାର୍ଥୀପତ୍ର ଦାଖଲ କରିବେ । ୨୨ ତାରିଖ ସକାଳ ସାଢ଼େ ୯ଟାରେ ଏଥିଲାଗି ନିର୍ବାଚନ ଅନୁଷ୍ଠିତ ହେବ । ଓଡ଼ିଶା ବିଧାନସଭାର ସେ ହେବେ ପ୍ରଥମ ମହିଳା ବାଚସ୍ପତି ।
ବିଜେଡିର ବରିଷ୍ଠ ନେତ୍ରୀ ହେଉଛନ୍ତି ପ୍ରମିଳା ମଲ୍ଲିକ । ବିଂଝାରପୁର ଆସନରୁ ସେ ୬ ଥର ବିଧାନସଭାକୁ ନିର୍ବାଚିତ ହୋଇଛନ୍ତି । ନବୀନ ପଟ୍ଟନାୟକଙ୍କ ତୃତୀୟ ପାଳିରେ ସେ ମନ୍ତ୍ରୀ ହୋଇଥିଲେ । ତାଙ୍କୁ ମହିଳା ଓ ଶିଶୁ କଲ୍ୟାଣ ବିଭାଗର ଦାୟିତ୍ୱ ମିଳିଥିଲା । ଚଳିତଥର ମନ୍ତ୍ରିମଣ୍ଡଳର ପ୍ରଥମ ସମ୍ପ୍ରସାରଣରେ ତାଙ୍କୁ ଦ୍ୱିତୀୟ ଥର ପାଇଁ ମନ୍ତ୍ରିମଣ୍ଡଳରେ ସ୍ଥାନ ମିଳିଛି । ରାଜସ୍ୱ ଭଳି ଗୁରୁତ୍ୱପୂର୍ଣ୍ଣ ବିଭାଗର କ୍ୟାବିନେଟ୍ ମନ୍ତ୍ରୀ ଭାବେ କାର୍ଯ୍ୟ କରୁଛନ୍ତି । ଏହାପୂର୍ବରୁ ସେ ମୁଖ୍ୟ ସଚେତକ ଭାବେ କାର୍ଯ୍ୟ କରିଥିଲେ । ବିଜେଡିର ଜଣେ ଟାଣୁଆ ନେତା ଓ ଦକ୍ଷ ସଂଗଠକ ଭାବେ ତାଙ୍କର ସୁନାମ ରହିଛି । ଦୀର୍ଘ ସମୟ ଧରି ବିଜୁ ମହିଳା ଜନତା ଦଳର ସଭାପତି ଦାୟିତ୍ୱ ତୁଲାଇଥିଲେ ।
ଗତ ମେ’ ମାସରେ ବାଚସ୍ପତି ପଦରୁ ବିକ୍ରମ କେଶରୀ ଆରୁଖ ଇସ୍ତଫା ଦେବା ପରେ ପଦଟି ଖାଲି ପଡ଼ିଛି । ୨୨ ତାରିଖରେ ନିର୍ବାଚନ ଔପଚାରିକତା ପୂରଣ ପରେ ପ୍ରମିଳା ମଲ୍ଲିକ ବାଚସ୍ପତି ଆସନରେ ବସିବେ ।