ଭୁବନେଶ୍ୱର: ଅଭିଯୋଗ ପ୍ରାୟତଃ ସତ ପ୍ରମାଣିତ ହୋଇଗଲାଣି । ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ‘ସମ୍ବାଦ’ରେ ବ୍ୟାଙ୍କ ଋଣ ସ୍କାମ୍ ର ଖୁଲାସା କରିଛି ଅର୍ଥନୈତିକ ଅପରାଧ ଶାଖା(ଇଓଡବ୍ଲୁ) । ସଂଗଠିତ ଓ ଯୋଜନାବଦ୍ଧ ଭାବେ ସମ୍ବାଦ କର୍ତ୍ତୃପକ୍ଷ ନିରୀହ କର୍ମଚାରୀଙ୍କ ନାଁରେ ଜାଲ୍ କାଗଜପତ୍ର କରି ବ୍ୟାଙ୍କରୁ କୋଟି କୋଟି ଟଙ୍କାର ଋଣ ଉଠାଇଛନ୍ତି । ଅଭିଯୋଗକାରୀଙ୍କ ବୟାନ, ସମ୍ବାଦ ଅଫିସରୁ ଜବତ କାଗଜପତ୍ର ଏବଂ ଜେରା ବେଳେ ଏ ପର୍ଯ୍ୟନ୍ତ ମିଳିଥିବା ତଥ୍ୟରୁ ଏହାର ପ୍ରମାଣ ମିଳିଛି ।
ଆଜି ସଂଧ୍ୟାରେ ଇଓଡବ୍ଲୁ ପକ୍ଷରୁ ଜାରି ପ୍ରେସ୍ ରିଲିଜ୍ ରେ ଏହା ସ୍ପଷ୍ଟ କରାଯାଇଛି । ଏ ପର୍ଯ୍ୟନ୍ତ ମିଳିଥିବା ତଥ୍ୟରେ ସମ୍ବାଦ ବା ଇଷ୍ଟର୍ଣ୍ଣ ମିଡିଆ ପକ୍ଷରୁ ୩୫୦ ରୁ ଅଧିକ କର୍ମଚାରୀଙ୍କ ନାଁରେ ଋଣ ଉଠାଯାଇଥିବା ଜଣାପଡ଼ିଛି । ଭୁବନେଶ୍ୱର ଆଇଆରସି ଭିଲେଜସ୍ଥିତ ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କ ଶାଖାରୁ ସେମାନଙ୍କ ନାଁରେ ଋଣ ଉଠାଯାଇଛି । ଏସବିଆଇ ଏବଂ ଅନ୍ୟ ବ୍ୟାଙ୍କରୁ ମଧ୍ୟ ଋଣ ଅଛି । ପ୍ରାୟତଃ ଗୋଟିଏ ଶୈଳୀରେ ସବୁ ଋଣ ହୋଇଛି । ଘର ନିର୍ମାଣ/ମରାମତି ନାଁରେ ୫ ଲକ୍ଷ ଯାଏଁ ଋଣ ଉଠାଯାଇଛି । ଋଣ ପାଇଁ ସମ୍ବାଦ(ଇଷ୍ଟର୍ଣ୍ଣ ମିଡିଆ) ପକ୍ଷରୁ ଜାଲ କାଗଜପତ୍ର ଦାଖଲ କରାଯାଇଛି । କର୍ମଚାରୀଙ୍କ ନାଁରେ ନକଲି ସାଲାରି ସ୍ଲିପ୍ ବ୍ୟବହାର କରାଯାଇଛି । ପ୍ରକୃତ ସାଲାରି ସ୍ଲିପ୍ ଓ ବ୍ୟାଙ୍କକୁ ଦିଆଯାଇଥିବା ସ୍ଲିପ୍ ମଧ୍ୟରେ ଫରକ୍ ରହିଛି । ଲୋନ୍ ଫର୍ମ ଅନ୍ୟ କାହା ଦ୍ୱାରା ପ୍ରସ୍ତୁତ କରାଯାଇଛି ।
ଫର୍ମରେ ଋଣ ଗ୍ରହୀତା ନାମକୁ ମାତ୍ର ଦସ୍ତଖତ କରିଛନ୍ତି । ସମସ୍ତ ଋଣ ଟଙ୍କା ନଗଦ ଆକାରରେ ଉଠାଯାଇଛି । ମାତ୍ର ପ୍ରକୃତ ଋଣ ଗ୍ରହୀତା ଋଣ ରାଶିରୁ ଟଙ୍କାଟିଏ ବି ପାଇନାହାନ୍ତି । ୨/୩ ଥର ଉଠାଣ ପାଇଁ କିଛି କର୍ମଚାରୀଙ୍କ ଉପରେ ଚାପ ପକାଯାଇଛି । ୬୦ ଟି କିସ୍ତିରେ ସମ୍ବାଦ ପକ୍ଷରୁ ଏହି ଋଣ ପରିଶୋଧ କରାଯାଇଛି । କର୍ମଚାରୀ ଚାକିରିରୁ ଯିବା ପରେ ବି ଋଣ ପରିଶୋଧ କରାଯାଇଛି । ଓବୁ କର୍ମଚାରୀଙ୍କୁ ସମାନ ଢ଼ଙ୍ଗରେ ଋଣ ଜାଲରେ ଛନ୍ଦାଯାଇଛି । ଏକ ଯୋଜନାବଦ୍ଧ ବ୍ୟାଙ୍କ ଠକେଇର ଏହା ସୁଚିନ୍ତିତ ଷଡ଼ଯନ୍ତ୍ର ବୋଲି ଇଓଡବ୍ଲୁ ପକ୍ଷରୁ କୁହାଯାଇଛି ।
ସୂଚନାଯୋଗ୍ୟ, ଏହି ବ୍ୟାଙ୍କ ଋଣ କାରବାରର ମୁଖ୍ୟ ଅଭିଯୁକ୍ତ ଭାବେ ‘ସମ୍ବାଦ’ ସମ୍ପାଦକ ସୌମ୍ୟରଂଜନ ପଟ୍ଟନାୟକ ଏବଂ ମାନବ ସମ୍ବଳ ବିଭାଗର ମୁଖ୍ୟ ବୈଜୟନ୍ତୀ କରଙ୍କ ବିରୋଧରେ ଇଓଡବ୍ଲୁ ମାମଲା ହୋଇଛି । ସମ୍ବାଦର ପୂର୍ବତନ ପୂର୍ବତନ କର୍ମଚାରୀ ଅସୀମ ମହାପାତ୍ରଙ୍କ ଅଭିଯୋଗ ଆଧାରରେ ସୌମ୍ୟ ଓ ବୈଜୟନ୍ତୀଙ୍କ ବିରୋଧରେ ଆଇପିସି ଧାରା ୫୦୬, ୪୬୭, ୪୬୮, ୪୭୧, ୪୨୦, ୧୨୦(ବି)ରେ ମାମଲା ରୁଜୁ ହୋଇଛି ।
ଏହି ମାମଲାର ତଦନ୍ତରେ ଗତକାଲି ଇଓଡବ୍ଲୁ ଟିମ୍ ସମ୍ବାଦ ଅଫିସ୍ ରେ ଚଢ଼ଉ କରିଥିଲେ । ଅନ୍ୟପକ୍ଷରେ ସମ୍ବାଦର ସିଓଓ କମଳାକାନ୍ତ ମହାପାତ୍ରଙ୍କୁ ଦୁଇଦିନ ଧରି ଇଓଡବ୍ଲୁ ଅଫିସରେ ଜେରା କରାଯାଇଥିଲା । ଆଜି ଅନ୍ୟତମ ଅଭିଯୁକ୍ତ ମାନବ ସମ୍ବଳ ବିଭାଗର ମୁଖ୍ୟ ବୈଜୟନ୍ତୀ କରଙ୍କୁ ପ୍ରାୟ ୩ ଘଣ୍ଟା ଧରି ଜେରା କରାଯାଇଥିଲା । ଜେରା ପାଇଁ ଯିବା ପୂର୍ବରୁ ଇଓଡବ୍ଲୁ ଅଫିସ୍ ଆଗରେ ସେ ଗଣମାଧ୍ୟମ ପ୍ରଶ୍ନରେ ସମ୍ବାଦ ବ୍ୟାଙ୍କ ଋଣକୁ ସ୍ୱୀକାର କରି ଯାଇଥିଲେ । ତେବେ ଯାହା ଅଭିଯୋଗ ହେଉଛି ତାହା ନିରାଧାର ବୋଲି ସଫେଇ ଦେଇଥିଲେ ।
ଇତିମଧ୍ୟରେ ସମ୍ବାଦ ବ୍ୟାଙ୍କ ଋଣ ଘୋଟାଲାର ଅଭିଯୋଗକାରୀଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । କିଛି ବରିଷ୍ଠ ପୂର୍ବତନ କର୍ମଚାରୀ ଗଣମାଧ୍ୟମକୁ ଆସି ସମ୍ବାଦ ଶୋଷଣ ସମ୍ପର୍କରେ ମୁହଁ ଖୋଲିଛନ୍ତି ।